ପୁରୀ : ଦେବସ୍ନାନ ପୂର୍ଣ୍ଣିମାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତ ହୋଇଛନ୍ତି। ୧୫ ଦିନ ଧରି ଗୋପନ ସେବା ଓ ଜ୍ବରରୁ ସୁସ୍ଥ ହେବାପରେ କାଳିଆ ସାଆନ୍ତ ଆଜି ଅଣସର ପିଣ୍ଡିରୁ ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ୧୫ ଦିନର ଅନ୍ତର ପରେ ତିନିଠାକୁରଙ୍କୁ ଦେଖି ଭାବବିହ୍ବଳ ହୋଇ ଲୋତକାଶ୍ରୁ ଝରାଇଛନ୍ତି ଭକ୍ତ। ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନର ସୌଭାଗ୍ୟ ଅର୍ଜିଛନ୍ତି।
ସୋମବାର ସକାଳେ ଅଣସର ତାଟି ଫିଟିବା ସହ ପଟିଦିଅଁଙ୍କ ବାହୁଡ଼ା ବିଜେ ନୀତି ପରେ ଦକ୍ଷିଣଦ୍ବାର ଦେଇ ପରିମାଣିକ ଦର୍ଶନ ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ପରିମାଣିକ ଦର୍ଶନ ସମୟ ଧାର୍ଯ୍ୟ ହୋଇଥିଲେ ହେଁ ଏହାର ଅଧଘଣ୍ଟା ଆଗରୁ ପରିମାଣିକ ଟିକେଟ୍ଧାରୀ ଭକ୍ତମାନେ ନବଯୌବନ ଦର୍ଶନର ସୁଯୋଗ ପାଇଥିଲେ। ପରିମାଣିକ ଦର୍ଶନ ସଅଳ ଶେଷ ହୋଇଯିବାରୁ ଆଜି ସାହାଣମେଲା ଦର୍ଶନ ବି ସଅଳ ହୋଇଥିଲା। ସକାଳ ୯ଟାରେ ସିଂହଦ୍ବାର ଦେଇ ସାହାଣମେଲା ଦର୍ଶନ ଆରମ୍ଭ ହେବାକୁ ସ୍ଥିର ହୋଇଥିଲେ ବି ସାଢ଼େ ୮ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଏଥିପାଇଁ ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗି ରହିଥିଲା। ପୂର୍ବାହ୍ନ ୧୧ଟା ୨୦ରୁ ଦର୍ଶନ ବନ୍ଦପରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହୋଇଥିଲା।
ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ, ମହାପ୍ରଭୁଙ୍କ ଅସୁସ୍ଥ ଶ୍ରୀଅଙ୍ଗକୁ ସୁସ୍ଥ କରିବା ପାଇଁ ୧୫ଦିନ ଧରି ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳି ବିଜେ, ଖଡ଼ି ପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସମ୍ପନ୍ନ ହୋଇଥିଲା। ବନକଲାଗି ଜରିଆରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ଜୁଣ ବାହାରି ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ବାରା ବିଳମ୍ବିତ ରାତି ବନକଲାଗି ନୀତି ଆରମ୍ଭ ହୋଇଥିଲା। ବନକଲାଗି ନୀତି ସାରି ଆଜି ଭୋର୍ ୬ଟା ୧୫ରେ ଦତ୍ତ ମହାପାତ୍ର ସେବକ ବାହାରିବା ପରେ ୬ଟା ୩୫ରେ ଚକା ଅପସର ନୀତି ଅନୁଷ୍ଠିତ ହେବାସହ ଜୟ-ବିଜୟ ଦ୍ବାର ଖୋଲିଥିଲା। ମଙ୍ଗଳ ଆଳତି, ଅବକାଶ ପୂଜାପରେ ମଇଲମ ହୋଇ ସକାଳ ୭ଟା ୨୦ରେ ପଟଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ୨୫ରେ ଅଣସର ତାଟି ଫିଟିବା ପରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଦର୍ଶନ ଦେଇଥିଲେ। ପୂର୍ବାହ୍ନ ୧୧ଟା ୨୦ ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ଚାଲିବାପରେ ଦର୍ଶନ ବନ୍ଦ କରି ଚୁନ ପାଣି ପଡ଼ିଥିଲା। ପୂର୍ବାହ୍ନ ୧୨ଟା ୫୫ରେ ଦଇତାପତି ସର୍ବାଙ୍ଗ ଶେଷ ହେବାପରେ ନେତ୍ରୋତ୍ସବ ବନ୍ଦାପନା, ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ତଡ଼ପଲାଗି ନୀତି ସମ୍ପନ୍ନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା।
ସେପଟେ ଏତେଦିନ ଜ୍ବରରେ ପଡ଼ିବାରୁ ଶୁଖିଲା ଦିଶୁଛି ଶ୍ରୀବିଗ୍ରହଙ୍କ ଶ୍ରୀମୁଖ। ଏଣୁ ଶ୍ରୀଜିଉଙ୍କୁ ପୂର୍ଣ୍ଣ ସୁସ୍ଥ ପାଇଁ ଆଜି ବିଳମ୍ବିତ ରାତିରେ ଗୋପନ ସେବା ଆରମ୍ଭ ହୋଇଛି। ପୁଣି ବିଳମ୍ବିତ ରାତିରେ ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।