ନବଯୌବନ ବେଶରେ ଶ୍ରୀଜିଉ, ଅଣସର ପିଣ୍ଡିରୁ ଦେଲେ ଦର୍ଶନ

ପରିମାଣିକ ଦର୍ଶନ ପାଇଁ ଲାଗିଲା ଲମ୍ବାଧାଡ଼ି

ପୁରୀ : ଦେବସ୍ନାନ ପୂର୍ଣ୍ଣିମାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ସୁସ୍ଥହୋଇ ବୁଧବାର ଦିନ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। କାଳିଆ ସାଆନ୍ତଙ୍କ ସହ ବଡ଼ଭାଇ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରା ବି ଅଣସର ପିଣ୍ଡିରୁ ଦର୍ଶନ ଦେଇଛନ୍ତି। ତେବେ ଶ୍ରୀଜିଉଙ୍କୁ ପୂର୍ଣ୍ଣ ସୁସ୍ଥ ପାଇଁ ବୁଧବାର ବିଳମ୍ବିତ ରାତିରେ ଗୋପନ ସେବା ଆରମ୍ଭ ହୋଇଛି। ପୁଣି ବିଳମ୍ବିତ ରାତିରେ ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

କୋଭିଡ୍‌ କଟକଣା ଯୋଗୁଁ ଦୁଇବର୍ଷ ଧରି ନବଯୌବନ ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ। ଆଜି ମହାପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନ କରି ଭାବବିହ୍ବଳ ହେବା ସହ ଲୋତକାଶ୍ରୁ ଝରାଇଥିଲେ। ବୁଧବାର ସକାଳୁ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଦକ୍ଷିଣ ଦ୍ବାରରୁ ଭକ୍ତଙ୍କୁ ଛଡ଼ାଯାଇଥିଲା। ଏଥିପାଇଁ ଏମାର ମଠ ଚକଡ଼ା ନିକଟରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ପରେ ଦେଢ଼ ଘଣ୍ଟା ସାହାଣମେଲା ଦର୍ଶନ କରି ନୀତିକାନ୍ତି ପାଇଁ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ପରେ ଅପରାହ୍ନ ୨ଟାରୁ ୩ଟା, ସଂଧ୍ୟା ୬ଟାରୁ ସାଢ଼େ ୬ଟା, ରାତି ୯ଟାରୁ ସାଢ଼େ ୧୦ଟା ଓ ରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ, ଏଭଳି ୪ ଘଣ୍ଟା ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ।

ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଅସୁସ୍ଥ ଶ୍ରୀଅଙ୍ଗକୁ ସୁସ୍ଥ କରିବା ପାଇଁ ୧୫ ଦିନ ଧରି ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳି ବିଜେ, ଖଡ଼ି ପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସଂପନ୍ନ ହୋଇଥିଲା। ବନକଲାଗି ଜରିଆରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ପରେ ଗତକାଲି ରାତି ପ୍ରାୟ ୧୧ଟା ୪୦ରେ ବନକଲାଗି ନୀତି ଆରମ୍ଭ ହୋଇଥିଲା। ଦତ୍ତ ମହାପାତ୍ର ସେବକମାନେ ବନକଲାଗି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ।

ବୁଧବାର ଭୋର ୫ଟା ୩୦ରେ ଚକା ଅପସର ନୀତି ଅନୁଷ୍ଠିତ ହେବା ସହ ଜୟ-ବିଜୟ ଦ୍ବାର ଖୋଲିଥିଲା। ମଙ୍ଗଳ ଆଳତି, ଅବକାଶ ପୂଜା ପରେ ମଇଲମ ହୋଇ ସକାଳ ୬ଟା ୫୫ରେ ପଟଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ୧୫ରେ ଅଣସର ତାଟି ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଇଥିଲେ।

ସମ୍ବନ୍ଧିତ ଖବର