ବିନା ଭକ୍ତରେ ସଂପନ୍ନ ହେଲା ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଭାବବିହ୍ୱଳ ହୋଇ କାନ୍ଦିଲେ ଭକ୍ତ

ପୁରୀ : ଦେବସ୍ନାନ ପୂର୍ଣ୍ଣିମାଠାରୁ ଜ୍ୱରରେ ପଡ଼ି ଅଣସରରେ ଅବସ୍ଥାନ କରୁଥିବା ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତ ହୋଇଛନ୍ତି। ୧୫ ଦିନ ଧରି ନାନାଦି ଗୁପ୍ତସେବା ପରେ ନବଯୌବନ ଦର୍ଶନ ଦେଇଛନ୍ତି। ତେବେ ପ୍ରତି ବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଥିବାବେଳେ ଆଜି ବିନା ଭକ୍ତରେ ମହାପ୍ରଭୁଙ୍କ ନବଯୌବନ ନୀତିକାନ୍ତି ଅନୁଷ୍ଠିତ ହୋଇଛି।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତମାନେ ଭାବବିହ୍ବଳ ହୋଇ କାନ୍ଦି ପକାଉଥିବା ଦେଖାଯାଇଛି। ସଟ୍‌ଡାଉନ୍‌ ସତ୍ତ୍ବେ କିଛି ଭକ୍ତ ସିଂହଦ୍ବାରରୁ ପତିତପାବନଙ୍କୁ ନବଯୌବନ ଦର୍ଶନ କରି ଫେରିଛନ୍ତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଅସୁସ୍ଥ ଶ୍ରୀଅଙ୍ଗକୁ ସୁସ୍ଥ କରିବା ପାଇଁ ୧୫ ଦିନ ଧରି ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ, ଖଳି ବିଜେ, ଖଡ଼ି ପ୍ରସାଦ ବିଜେ ଆଦି ଗୁପ୍ତ ନୀତି ସଂପନ୍ନ ହୋଇଥିଲା। ବନକଲାଗି ଜରିଆରେ କସ୍ତୁରୀ, କେଶର, ହରତାଳ, ହିଂଗୁଳ ଆଦିର ମିଶ୍ରଣରେ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ଜୁଣ ବାହାରି ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ପରେ ବନକଲାଗି ନୀତି ଆରମ୍ଭ ହୋଇଥିଲା। ବନକଲାଗି ନୀତି ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଥିଲେ।

ନବଯୌବନ ଦର୍ଶନ ପାଇଁ ପୂର୍ବ ନିର୍ଧାରିତ ନୀତି ଅନୁସାରେ ସୁଦର୍ଶନ ବୁଣାଟ ନୀତି ସଂପନ୍ନ ହୋଇଥିଲା। ମଧ୍ୟାହ୍ନ ୧୨ଟା ୧୫ରେ ଚକା ଅପସର ନୀତି ସଂପନ୍ନ ହୋଇଥିଲା। ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ଅପରାହ୍ଣ ଗୋଟାଏ ୧୫ରେ ଅବକାଶ ନୀତି ପରେ ସାଢ଼େ ଗୋଟାଏରେ ଦଶ ଅବତାରଙ୍କ ବାହୁଡ଼ା ବିଜେ ନୀତି ସଂପନ୍ନ ହୋଇଥିଲା। ଅପରାହ୍ଣ ୨ଟା ୨୫ ସୁଦ୍ଧା‌ ଅବକାଶ ଓ ଦଶାବତାର ନୀତି ଶେଷ ପରେ ଅପରାହ୍ଣ ୨ଟା ୪୦ରେ ଅଣସର ତାଟି ଫିଟାଯାଇଥିଲା ଏବଂ ମହାପ୍ରଭୁ ନବଯୌବନ ଦର୍ଶନ ଦେଇଥିଲେ। କିନ୍ତୁ କଟକଣା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ କୌଣସି ଭକ୍ତ ନଥିଲେ।

ଯେଉଁ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିବା କଥା ସେ ସମୟରେ ଶ୍ରୀମନ୍ଦିର ଖାଁ ଖାଁ ଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ନ ଯାଇପାରି ଭାବବିହ୍ବଳ ଭକ୍ତ ସିଂହଦ୍ବାରରେ ଅଶ୍ରୁ ଝରାଇଥିଲେ। ଅନ୍ୟପଟେ ଭକ୍ତ ନଥିବାରୁ ଓ ଆଜି ରାତିରୁ ଗ୍ରହଣ ଲାଗୁଥିବାରୁ ସମସ୍ତ ନୀତି ସଅଳ ସାରି ଦିଆଯାଇଛି। ଧୁଆଧୋଇ ହୋଇ ଦଇତାପତି ସର୍ବାଙ୍ଗ, ବନ୍ଦାପନା, ନେତ୍ରୋତ୍ସବ ବନ୍ଦାବନା ନୀତି, ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ତଡ଼ପଲାଗି ନୀତି ସଂପନ୍ନ ହୋଇଛି। ରାତି ୧୦ଟା ୩୫ ସୁଦ୍ଧା ସମସ୍ତ ନୀତି ଶେଷ କରାଯାଇଛି। ଏହା ପରଠାରୁ ପ୍ରାୟ ୧୨ ଘଣ୍ଟା ଦେବନୀତି ନିଷେଧ କରାଯାଇଛି। ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରୁ ସାଢ଼େ ୧୧ଟା ଭିତରେ ଗ୍ରହଣ ମହାସ୍ନାନ କରାଯାଇ ଦେବନୀତି ଆରମ୍ଭ ହେବ।

ସମ୍ବନ୍ଧିତ ଖବର