ଆଜି ନବଯୌବନ ଦର୍ଶନ; ସକାଳ ୮ରୁ ଦର୍ଶନ, ୧୧ରୁ ବନ୍ଦ

ନୀତି ସଅଳ ହେଲେ ରାତି ୯ଟାରୁ ସେନାପଟା ଲାଗି

ଆଜି ନବଯୌବନ ଦର୍ଶନ; ସକାଳ ୮ରୁ ଦର୍ଶନ, ୧୧ରୁ ବନ୍ଦ

ସିଂହଦ୍ବାର ଚକଡ଼ାକୁ ବିଜେ ପୂର୍ବରୁ ୩ ରଥରେ କପଡ଼ା ଲାଗିଛି

ପୁରୀ : ଅଣସର ଘରେ ଗୋପନ ନୀତି ପରେ ଜ୍ବରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବାପରେ ଖଡ଼ି ଲାଗି ସହ ରବିବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସମ୍ପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୫ ଦିନର ଅଣସର ‌ଶେଷକରି ସୋମବାର ଶ୍ରୀଜିଉ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେବ। ପ୍ରଥମେ ପରିମାଣିକ ଓ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

ଚଳିତଥର ମାତ୍ର ୩ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସକାଳ ୮ଟାରୁ ୯ଟା ପରିମାଣିକ ଦର୍ଶନ ଓ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ସାହାଣମେଲା ଦର୍ଶନ ହେବ। ପୂର୍ବାହ୍ନ ୧୧ଟାରୁ ଦର୍ଶନ ବନ୍ଦ ହୋଇ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହେବ। କିନ୍ତୁ, ଯେଉଁ ଭକ୍ତମାନେ ଦର୍ଶନ ବଦଳରେ ବେଢ଼ା ପରିକ୍ରମା କରିବାକୁ ଚାହୁଛନ୍ତି, ସେମାନେ ବେଢ଼ା ପରିକ୍ରମା କରିପାରିବେ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

publive-image

ଅନ୍ୟପଟେ ପ୍ରତିବର୍ଷ ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଦର୍ଶନ ପାଇଁ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଚକା ବିଜେ କରିଥିବା ଶ୍ରୀଜିଉଙ୍କ ଚକା ଅପସର ନୀତି ସୋମବାର ସକାଳ ୬ଟାରେ ଅନୁଷ୍ଠିତ ହେବ। ଏହିସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହେବ। ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୮ଟାରେ ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପରିମାଣିକ ଟିକେଟ୍‌ କରିଥିବା ଭକ୍ତମାନେ ସକାଳ ୮ଟାରୁ ଦକ୍ଷିଣଦ୍ବାର ଦେଇ ପ୍ରଥମେ ଦର୍ଶନ ପାଇଁ ଯିବେ। ପରେ ସାହାଣମେଲା ଦର୍ଶନ ପାଇଁ ସକାଳ ୯ଟାରୁ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ। ଉଭୟ ପରିମାଣିକ ଓ ସାହାଣମେଲା ଦର୍ଶନ ବେଳେ ଭକ୍ତମାନେ ଭିତରକାଠରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe