ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମହାନଗର ନିଗମ; ଉତ୍ତର ଓଡ଼ିଶାକୁ କାହିଁକି ଅଣଦେଖା?

ବାଲେଶ୍ବର ପୌରସଂସ୍ଥାକୁ ମହାନଗର ନିଗମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ନବଜ୍ୟୋତି

ବାଲେଶ୍ବର : ବାଲେଶ୍ବର ପୌରସଂସ୍ଥାକୁ ମହାନଗର ନିଗମରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ବାଲେଶ୍ବର ସଂସଦୀୟ କ୍ଷେତ୍ରର ଯୁବନେତା ନବଜ୍ୟୋତି ପଟ୍ଟନାୟକ। ଏଥିରେ ସେ ଉଲ୍ଲେଖ କରିଛନ୍ତି, ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାଗୁଡିକରେ ଖୁବଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଜଣେ ସଚେତନ ନାଗରିକ ତଥା ବାଲେଶ୍ବରର ଜନ ପ୍ରତିନିଧି ଭାବେ ସେ ଏ ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆବଶ୍ୟକ ମନେ କରୁଛନ୍ତି।

ରାଜ୍ୟ ସରକାର ଏହାମଧ୍ୟରେ କେତେକ ପୌରସଂସ୍ଥାକୁ ଉନ୍ନୀତ କରି ମହାନଗର ନିଗମରେ ପରିଣତ କରିସାରିଛନ୍ତି। ଉଦାହରଣସ୍ୱରୂପ ଉପକୂଳ ଓଡ଼ିଶାରେ କଟକ ଓ ଭୁବନେଶ୍ବର ମହାନଗର ନିଗମ, ପଶ୍ଚିମ ଓଡ଼ିଶାରେ ସମ୍ବଲପୁର, ରାଉରକେଲା ଓ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ମହାନଗର ନିଗମ ଗଠିତ ହୋଇସାରିଛି। କିନ୍ତୁ ଏହି ଦୃଷ୍ଟିକୋଣରୁ ଉତ୍ତର ଓଡ଼ିଶା ପ୍ରତି ଅବହେଳା କରାଯାଇଛି। ବାଲେଶ୍ବର ରାଜ୍ୟର ଅନ୍ୟତମ ସର୍ବପୁରାତନ ପୌରସଂସ୍ଥା ହୋଇଥିବାରୁ ଏହାକୁ ମହାନଗର ନିଗମରେ ପରିଣତ କରିବା ଆଜିର ଦିନରେ ସବୁଠୁ ବଡ଼ ପ୍ରାସଙ୍ଗିକତା। ଏଥିପାଇଁ ସମ୍ବିଧାନର ୭୪ତମ ସଂଶୋଧନ-୧୯୯୨ ଏବଂ ଓଡ଼ିଶା ପୌରାଞ୍ଚଳ ଆଇନର ସମସ୍ତ ସର୍ତ୍ତ ପୂରଣ କରୁଛି ବାଲେଶ୍ବର ପୌରପାଳିକା। ମହାନଗର ନିଗମରେ ପରିଣତ ହେଲେ ବାଲେଶ୍ବର ସହରାଞ୍ଚଳରେ ପ୍ରାଶାସନିକ ପରିଚାଳନା ଅଧିକ ଦକ୍ଷ ହେବା ସହିତ ସହରବାସୀଙ୍କ ପାଇଁ ଅଧିକ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ହୋଇପାରିବ। ବାଲେଶ୍ଵର ତଥା ସମଗ୍ର ଉତ୍ତର ଓଡ଼ିଶାବାସୀଙ୍କର ବୃହତ୍ତର ସ୍ଵାର୍ଥ ପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ମହାନଗର ନିଗମ ଗଠନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନବଜ୍ୟୋତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର