ପୁରୀ : ୧୮୯୩ ମସିହାରେ ଯୋଡ଼ା ଆଷାଢ଼ ପଡ଼ିବାରୁ ପୁରୀରେ ମହାପ୍ରଭୁଙ୍କର ନବକଳେବର ହେବାର ବିଧି ଥିଲା। ମାତ୍ର ତତ୍କାଳୀନ ପୁରୀର ମହାରାଣୀ ଏଥିରେ ସମ୍ମତି ପ୍ରକାଶ କଲେନାହିଁ। ତେଣୁ ଆଂଶିକ ନବକେଳବର ହୋଇଥିଲା। ସେହିବର୍ଷ ଜଗନ୍ନାଥବଲ୍ଲଭ ମଠରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନବକଳେବର ହୋଇଥିଲା।

Advertisment

ନବକଳେବର ବର୍ଷ ହୋଇଥିବାରୁ ମହାପ୍ରଭୁଙ୍କ ମନୋହର ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତମାନେ ଉତ୍କଣ୍ଠିତ ଆବେଗରେ ଚାହିଁ ରହିଥା’ନ୍ତି। ଲକ୍ଷଲକ୍ଷ ଭକ୍ତ ଶ୍ରୀବିଗ୍ରହଙ୍କ ନବଯୌବନ ରୂପ ସଂଦର୍ଶନ ପାଇଁ ଦୂରରୁ ଛୁଟି ଆସିଥା’ନ୍ତି। ମାତ୍ର, ୧୮୯୩ରେ ଅନବସର ତାଟି ଫିଟିବା ପରେ ଏହି ଅପୂର୍ବ ରୂପ ସଂଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ। ଯାତ୍ରୀଙ୍କ ପ୍ରବଳ ସମାଗମ ଦେଖି ଦଳାଚକଟାର ଆଶଙ୍କା କରି ନବଯୌବନ ଦର୍ଶନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଥିଲା। ପ୍ରାୟ ୨ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ତେବେ ଘରଭଡ଼ା ଅତିଶୟ ବୃଦ୍ଧି ଯୋଗୁ ଲୋକେ ଗଳିକନ୍ଦି ରାସ୍ତା ଓ ବାରନ୍ଦାରେ ପଡ଼ି ରହିଥିଲେ।

publive-image

୧୮୯୩ ମସିହା ଜୁଲାଇ ୧୫ ତାରିଖରେ ରଥଯାତ୍ରା ଥିଲା। ୧୪ ତାରିଖରେ ନବଯୌବନ ବେଶ ଥିଲା। ତେଣୁ ପୂର୍ବଦିନ ରାତିରୁ ଏହି ବେଶ ଦର୍ଶନ ପାଇଁ ଚାରି ଦ୍ବାର ସମ୍ମୁଖରେ ବିପୁଳ ଯାତ୍ରୀ ଭିଡ଼ ଜମେଇଥିଲେ ହଁ ଚାରି ଦ୍ବାର ବନ୍ଦ ରଖାଯାଇ ପୁଲିସ ପ୍ରହରା ଦେଇଥିଲା। ତେଣୁ ଯାତ୍ରୀମାନେ ମର୍ମାହତ ହୋଇଥିଲେ। ଦଳାଚକଟା ଭୟରେ ସିନା ଚାରିଦ୍ବାର ବନ୍ଦ କରି ଦିଆଗଲା, କିନ୍ତୁ ସେବକ ଏବଂ ମନ୍ଦିରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମନ୍ଦିର ମଧ୍ୟକୁ ଯିବାରେ ବଡ଼ ସମସ୍ୟା ଦେଖାଗଲା। ମହାପ୍ରଭୁଙ୍କ ନୀତି ସରୁସରୁ ସକାଳ ହୋଇଗଗଲା। ବଡ଼ସିଂହାର ଭୋଗ ହୋଇପାରିଲା ନାହିଁ କି ମହାପ୍ରସାଦ ବିକ୍ରି ହୋଇପାରିଲା ନାହିଁ। ମନ୍ଦିର ମଧ୍ୟକୁ ଦର୍ଶନ ପାଇଁ ଛଡ଼ା ନ ଯିବାରୁ ସୂପକାରମାନେ ମହାପ୍ରସାଦ ରାନ୍ଧିଥିଲେ ହେଁ ବିକ୍ରି କରିନପାରି କ୍ଷତି ସହିଲେ। କିଛି ସେବକ ମହାପ୍ରସାଦ ଶିକା ମାଧ୍ୟମରେ ପାଚେରି ଡେଇଁ ବାହାରକୁ ଆଣିଲେ। ତେବେ, ଏହା ମହାପ୍ରସାଦକୁ ଚାହିଁ ବସିଥିବା ଯାତ୍ରୀଙ୍କ ଆବଶ୍ୟକତା ମେଣ୍ଟାଇପାରିନଥିଲା।

ସେହିବର୍ଷ ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗ୍ରହମାନେ ରଥାରୂଢ଼ ହେବା ବେଳକୁ ରାତି ୧୨ଟା ବାଜି ସାରିଥିଲା। ଠାକୁର ରଥ ଉପରେ ବିଜେ କରିବା ମାତ୍ରେ ଭକ୍ତମାନେ ରଥ ଉପରେ ଚଢ଼ିଯାଇଥିଲେ। ଫଳରେ, ପ୍ରଭା ଉପରେ ଠାକୁରମାନଙ୍କୁ ରୁନ୍ଧା ହୋଇପାରିଲା ନାହିଁ। ନବଯୌବନ ଦର୍ଶନରୁ ବଞ୍ଚିତ ଭକ୍ତମାନେ ଉତ୍କଣ୍ଠାରେ ରଥ ଉପରେ ଚଢ଼ି ମହାପ୍ରଭୁଙ୍କୁ ସ୍ପର୍ଶ କରି ଥିବାରୁ ଶ୍ରୀବିଗ୍ରହଙ୍କ ମୁଖାରବିନ୍ଦ ମଳିନ ଓ ବିବର୍ଣ୍ଣ ହୋଇଯାଇଥିଲା। ୫ ଦିନ ବିତିସାରିଥିଲେ ସୁଦ୍ଧା ସମସ୍ତ ରଥ ଗୁଣ୍ଡିଚା ଘର ନିକଟରେ ପହଞ୍ଚି ପାରିନଥିଲା। ୧୯ ତାରିଖ ଦିନ ହେରା ପଞ୍ଚମୀ ଥିଲା। କିନ୍ତୁ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡିଠାରେ ପହଞ୍ଚିଥିଲା। ତେଣୁ ସେଇ ବଳଗଣ୍ଡିରେ ହେରାପଞ୍ଚମୀ ନୀତି ସମ୍ପାଦିତ ହୋଇଥିଲା।