‘ନବକଳେବର କଥା’ର ବଙ୍ଗଳା ଅନୁବାଦ ଦୁଇ ରାଜ୍ୟର ସଂପର୍କକୁ ଘନିଷ୍ଠ କରିବ

କୋଲକାତା : ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ବଙ୍ଗଳା ଓ ଓଡ଼ିଶା ମଧ୍ୟରେ ଏକ ମଧୁର ସଂପର୍କ ଶତାବ୍ଦୀ ଶତାବ୍ଦୀ ଧରି ଗଢ଼ି ଉଠିଛି। ‘ନବକଳେବର କଥା’ର ବଙ୍ଗଳା ସଂସ୍କରଣ ଏହି ସଂପର୍କକୁ ଅଧିକ ଘନିଷ୍ଠ କରିବ ବୋଲି ‘ଶ୍ରୀଜଗନ୍ନାଥ ମହାପ୍ରଭୁର ନବକଳେବର’ ପୁସ୍ତକର ଲୋକାର୍ପଣ ଉତ୍ସବରେ ଅତିଥି ଓ ବକ୍ତାମାନେ ମତପ୍ରକାଶ କରିଛନ୍ତି।

କୋଲକାତାର ରବୀନ୍ଦ୍ର ଭବନ ପରିସରସ୍ଥିତ ଜୀବନାନନ୍ଦ ସଭାଗୃହଠାରେ ଅସିତ ମହାନ୍ତିଙ୍କ ‘ନବକଳେବର କଥା’ ପୁସ୍ତକର ଏହି ବଙ୍ଗଳା ସଂସ୍କରଣ ଲୋକାର୍ପିତ ହୋଇଥିଲା। ଡକ୍ଟର କୃଷ୍ଣଚନ୍ଦ୍ର ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଆନନ୍ଦ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ସୁଧୀର ଦତ୍ତ କଲିକତାର ‘ପ୍ରଭା ପ୍ରକାଶନୀ’ ପକ୍ଷରୁ ପ୍ରକାଶିତ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଉତ୍ସବରେ ଅନୁବାଦିକା ଭାରତୀ ନନ୍ଦୀ ଓ ଲେଖକ ଶ୍ରୀ ମହାନ୍ତି ଉପସ୍ଥିତ ଥିଲେ। ବଙ୍ଗଳା କବୟିତ୍ରୀ ତ୍ରିଷ୍ଣା ବସାକ ପୁସ୍ତକର ସମୀକ୍ଷା କରିଥିଲେ।

ଏହି ଅବସରରେ ଶ୍ରୀ ଦତ୍ତ ଓ ଶ୍ରୀମତୀ ବସାକ ଓଡ଼ିଶା ସହ ରହିଥିବା ସେମାନଙ୍କର ମଧୁର ସଂପର୍କର ସ୍ମୃତିଚାରଣ କରିଥିଲେ। କବି ଶ୍ରୀ ଦତ୍ତଙ୍କର ଘର ଓଡ଼ିଶା-ବଙ୍ଗଳା ସୀମାନ୍ତର୍ବୀ ଏକ ଗ୍ରାମରେ ଏବଂ ପିଲାଦିନେ ମାତୃଭାଷା ବଙ୍ଗଳା ସହିତ ଓଡ଼ିଆ ଶିଖି ସେ ଜଗନ୍ନାଥ ଦାସଙ୍କ ଭାଗବତର ଦଶମ ସ୍କନ୍ଧ ପଢ଼ି ପାରୁଥିଲେ ବୋଲି କହିଥିଲେ। ସେହିପରି ଶ୍ରୀମତୀ ବସାକଙ୍କ ପିତା ଓଡ଼ିଶାରେ କାର୍ଯ୍ୟ କରୁଥିଲାବେଳେ ସେ ପିଲାଦିନେ ଓଡ଼ିଶାରେ ଖାଇଥିବା ଗରମ ଗରମ ରସଗୋଲାର ସ୍ୱାଦ ଏଯାଏ ଭୁଲି ପାରିନାହାନ୍ତି ବୋଲି କହିଥିଲେ। ଓଡ଼ିଶା ସହ ବଙ୍ଗବାସୀଙ୍କର ରହିଥିବା ଏପରି ଅନେକ ମଧୁର ସଂପର୍କ ସହିତ ପୁରୀ ସମୁଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ରହିଥିବା ମୈତ୍ରୀ ବନ୍ଧନକୁ ଏହି ଅନୁବାଦ ପୁସ୍ତକ ଦୃଢ଼ କରିବ ବୋଲି ଅତିଥି ଦ୍ୱୟ କହିଥିଲେ।

ଏହି ଅବସରରେ ଲେଖକ ଶ୍ରୀ ମହାନ୍ତି ଓ ଅନୁବାଦିକା ଶ୍ରୀମତୀ ନନ୍ଦୀ ନିଜ ନିଜର ଲେଖକୀୟ ଓ ଅନୁବାଦକୀୟ ଅନୁଭୂତି ବଖାଣି ଥିଲେ। ଉତ୍ସବର ଆୟୋଜକ ଶ୍ରୀଜଗନ୍ନାଥ ସାହିତ୍ୟ ପରିଷଦ ଓ ପୁସ୍ତକର ସର୍ବ ଭାରତୀୟ ବିତରକ ସୃଜନ ଇଣ୍ଡିଆ ପକ୍ଷରୁ ଲେଖକ, ଅନୁବାଦକ ଓ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀଜଗନ୍ନାଥ ସାହିତ୍ୟ ପରିଷଦ ପକ୍ଷରୁ ଉତ୍ସବକୁ ସାଫଲ୍ୟ ନନ୍ଦୀ ସଂଯୋଜନା କରିଥିଲାବେଳେ ଡକ୍ଟର ଜ୍ଞାନେଶ୍ୱର ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର