ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରୁ ହଟିବ ନବକଳେବର ଗ୍ୟାଲେରି

ପୂର୍ବ ଭାରତର ପ୍ରାକୃତିକ ସମ୍ପଦକୁ ନେଇ ହେବ ନୂଆ ଗ୍ୟାଲେରି
ବାର୍ଷିକ ବୈଠକ ପରେ ପ୍ରସ୍ତୁତ ହେବ ବଜେଟ୍‌

ଭୁବନେଶ୍ୱର : ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟରୁ ହଟିବ ନବକଳେବର ଗ୍ୟାଲେରି। ୨୦୧୬ରେ ନୂଆ କରି ଉଦ୍‌ଘାଟିତ ହୋଇଥିବା ଏହି ଗ୍ୟାଲେରିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସଂଗ୍ରହାଳୟ କର୍ତୃପକ୍ଷ। ଓଡ଼ିଶାର ପରମ୍ପରା ସହ ଜଡ଼ିତ ଏହି ଗ୍ୟାଲେରିକୁ ହଟାଯିବା ପରେ ସେଠାରେ ଆଉ ଏକ ନୂଆ ଗ୍ୟାଲେରି ପ୍ରତିଷ୍ଠା ହେବ। ସେଥିରେ ପୂର୍ବ ଭାରତର ବିଭିନ୍ନ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ବଜେଟ୍‌ ପ୍ରସ୍ତୁତ କରାଯାଇ ନୂଆ ଗ୍ୟାଲେରି ତିଆରି ହେବ ବୋଲି ସଂଗ୍ରହାଳୟର ନିର୍ଦେଶକ ବୈଜ୍ଞାନିକ ଗୌରବ କହିଛନ୍ତି।

୨୦୧୫ରେ ଶ୍ରୀଜୀଉଙ୍କ ନବକଳେବର ଉତ୍ସବ ଅନୁଷ୍ଠିତ ହୋଇଥିଲା। ସାରା ଓଡ଼ିଶାରେ ଲକ୍ଷାଧିକ ଭକ୍ତଙ୍କ ଉପସ୍ଥିତିରେ ଉତ୍ସବ ପାଳିତ ହେବା ପରେ ନବକଳେବରକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ କର୍ତୃପକ୍ଷ ମଧ୍ୟ ଏଦିଗରେ ପଦକ୍ଷେପ ନେଇଥିଲେ। ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ନବକଳେବର ଗ୍ୟାଲେରି ନିର୍ମାଣ କରିଥିଲେ। ଏଠାରେ ମହାପ୍ରଭୁଙ୍କୁ ଲାଗି ହେଉଥିବା ବିଭିନ୍ନ ପ୍ରକାର ଫୁଲ, ଦଶମୂଳ ପସ୍ତୁତ ଓ ଫୁଲୁରି ତେଲ ପ୍ରସ୍ତୁତି, ଟାହିଆ, ପଦ୍ମ ବେଶ, ବଡ଼ ସିଂହାର ବେଶ ସମ୍ପର୍କରେ ବି ଉଲ୍ଲେଖ ହୋଇଛି। ଓଡ଼ିଶାର ସ୍ଥାପତ୍ୟର ପଟୋଚିତ୍ର ମଧ୍ୟ ଏଠାରେ ଦେଖିବାକୁ ମିଳୁଛି। ମନ୍ଦିରର କଳାକୃତି କିଭଳି ତାହା ବି ପ୍ର୍ରଦର୍ଶନ କରାଯାଇଛି। ବିଭିନ୍ନ ମେଡିସିନ୍‌ ପ୍ଲାଣ୍ଟର ଚିତ୍ର ଓ ତାହାର ଉପକାରିତାକୁ ବୋର୍ଡ ମାଧ୍ୟମରେ ଦର୍ଶକଙ୍କୁ ଅବଗତ କରାଯାଇଛି।

ମହାପ୍ରଭୁଙ୍କ ଲାଗି ଚିହ୍ନଟ ହେଉଥିବା ଦାରୁ ସମ୍ପର୍କରେ ବି ଉଲ୍ଲେଖ ହୋଇଛି। କିଭଳି ଦାରୁ ଚିହ୍ନଟ କରାଯାଇଥାଏ ତାହାକୁ ଫଟୋ ସହ ବୋର୍ଡରେ ଦେଖାଯାଇଛି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ଦାରୁ ବିଷୟରେ ବି ତଥ୍ୟ ରହିଛି। ଠାକୁରଙ୍କୁ ଲାଗି ହେଉଥିବା ଭୋଗ ସମ୍ପର୍କରେ ବି ଉଲ୍ଲେଖ କରାଯାଇଛି। ଦୁଇ ବର୍ଷ ହେଲା ଏହି ଗ୍ୟାଲେରି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ପଦୁଟିଏ ବି ଲେଖାଯାଇ ନାହିଁ। ସମସ୍ତ ତଥ୍ୟ ଇଂରାଜୀ ଭାଷାରେ ହିଁ ଉଲ୍ଲେଖ ରହିଛି। ଯେତେବେଳେ କି ଓଡ଼ିଶାରୁ ଅଧିକାଂଶ ପିଲାମାନେ ଏହି ସଂଗ୍ରହାଳୟକୁ ବୁଲିବାକୁ ଆସୁଛନ୍ତି। ଏନେଇ ଛାତ୍ରଛାତ୍ରୀ, ଅଭିଭାବକମାନେ ବି ବାରମ୍ବାର ଅଭିଯୋଗ ବି କରୁଛନ୍ତି। ଏବେ ସଂଗ୍ରହାଳୟ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଯେ ସମ୍ପୂର୍ଣ୍ଣ ନବକଳେବର ଗ୍ୟାଲେରିକୁ ହିଁ ହଟାଇ ଦେବେ। ସେଠାରେ ଏକ ନୂତନ ଗ୍ୟାଲେରି ପ୍ରତିଷ୍ଠା କରିବେ।

ସଂଗ୍ରହାଳୟର ନିର୍ଦେଶକ ବୈଜ୍ଞାନିକ ଗୌରବଙ୍କ କହିବାନୁଯାୟୀ, ୨୦୧୬ରେ ତରବରିଆ ଭାବେ ଏହି ଗ୍ୟାଲେରି ପ୍ରତିଷ୍ଠା ହୋଇଥିଲା। ଏଥିରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରାଯାଇଛି। ଏହି ସଂଗ୍ରହାଳୟରେ ତାହାର କିଛି ଆବଶ୍ୟକତା ନାହିଁ। ତେଣୁ ତାହାକୁ ହଟାଯାଇ ପୂର୍ବ ଭାରତୀୟ ବିଭିନ୍ନ ପ୍ରାକୃତିକ ପରିବେଶକୁ ସ୍ଥାନିତ କରାଯିବ। ଜୀବଜନ୍ତୁଙ୍କ କଙ୍କାଳକୁ ପ୍ରାଧାନ୍ୟ ଦେବା ସହ ପୂର୍ବ ଭାରତ ତଥା ଓଡ଼ିଶା, ଛତିଶଗଡ଼, ବାହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରରେ ଦେଖିବାକୁ ମିଳୁଥିବା ଫୁଲ, ଜୀବାଶ୍ମ୍ମ ଆଦିକୁ ନେଇ ନୂତନ ଗ୍ୟାଲେରି ହେବ। ବାର୍ଷିକ ବୈଠକ ବସିବା ପରେ ବଜେଟ୍‌ ସ୍ଥିର କରାଯାଇ ଗ୍ୟାଲେରି କାର୍ଯ୍ୟ ଆରମ୍ଭ ହେବ। ନୂତନ ଗ୍ୟାଲେରିରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ତଥ୍ୟ ଲେଖାଯିବ।

ସମ୍ବନ୍ଧିତ ଖବର