ଅନୁଗୁଳ : ବହୁ ଆଲୋଚନା ଓ ତୀବ୍ର ସମାଲୋଚନା ପରେ ଶେଷରେ ଚେତିଛି ଜିଲ୍ଲା ପ୍ରଶାସନ। ଜନନାୟକ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ଦେଇଛି ସମ୍ମାନ। ମୁଖ୍ୟାଳୟରୁ ହଟାଇଥିବା ଫଟୋକୁ ପୁଣି ଅବସ୍ଥାପିତ କରାଯାଇଛି। ଜିଲ୍ଲା କାର୍ଯ୍ୟାଳୟର ପ୍ରତୀକ୍ଷା କକ୍ଷରେ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଫଟୋ ନିକଟରେ ନୁମା-ବାପିଙ୍କ ଫଟୋକୁ ଜିଲ୍ଲା ପ୍ରଶାସନ ସମ୍ମାନ ଦେଇଛି।
ଉଲ୍ଲେଖଯୋଗ୍ୟ, ତ୍ୟାଗ ଓ ବଳିଦାନର ପ୍ରତୀକ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ସଂଗ୍ରାମୀ ଜୀବନ କାହାକୁ ଅଛପା ନାହିଁ। ସେମାନଙ୍କ ବ୍ୟକ୍ତିତ୍ବ ସରକାରୀ କଳ ଦ୍ବାରା ପ୍ରଚାରିତ ନ ହେଲେ ବି ଜନ ମୁଖେ ବିଦିତ। ଏହି ମହାନ ଦମ୍ପତିଙ୍କ ଝିଅ କ୍ରିଷ୍ଣା ମହାନ୍ତି ଗଲାବର୍ଷ ଗାନ୍ଧୀ ଭବନ ପାଇଁ ଜିଲ୍ଲା ପ୍ରଶାସନ ଆଗରେ ସତ୍ୟାଗ୍ରହ କରିଥିଲେ। ଯାହା ବେଶ୍ ଚର୍ଚ୍ଚିତ ହୋଇଥିଲା। ଗାନ୍ଧୀ ଭବନ କରିବା ନେଇ ଜିଲ୍ଲା ପ୍ରଶାସନ ସେତେବେଳେ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ନିର୍ମାଣ ହୋଇ ନଥିଲା। ଏ ଘଟଣାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲାଗିଥିବା ମାଳତୀ ଚୌଧୁରୀ ଏବଂ ନବକୃଷ୍ଣ ଚୌଧୁରୀ (ନୁମା-ବାପି)ଙ୍କ ଫଟୋକୁ ଜିଲ୍ଲା ପ୍ରଶାସନ କୁଆଡ଼େ ହଟାଇ ଦେଇଥିଲା ବୋଲି ଭୁବନେଶ୍ବର ଲୋହିଆ ଏକାଡେମିରେ ଗାନ୍ଧୀବାଦି ନେତାମାନେ ସାଙ୍ଘାତିକ ଅଭିଯୋଗ କରିଥିଲେ।
ଝିଅର ସତ୍ୟାଗ୍ରହ ପାଇଁ ବାପା-ମାଙ୍କ ଫଟୋ ଉପରେ ଏ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କେବଳ ଅଭିଯୋଗ ହୋଇ ନଥିଲା, ବରଂ ଏ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ତୀବ୍ର ସମାଲୋଚନାର ଶିକାର ହୋଇଥିଲା। ସାମାଜିକ ଗଣମାଧ୍ୟମରେ ଜିଲ୍ଲାର ବୁଦ୍ଧିଜୀବୀମାନେ ତୁହାକୁ ତୁହା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନକୁ ନିନ୍ଦା ମଧ୍ୟ କରାଯାଇଥିଲା। ଖବର ପ୍ରକାଶନର ୪୮ଘଣ୍ଟା ଭିତରେ ଜିଲ୍ଲା ପ୍ରଶାସନ ଫଟୋକୁ ସସମ୍ମାନେ ଆଣି ଜିଲ୍ଲା କାର୍ଯ୍ୟାଳୟର ପ୍ରତୀକ୍ଷା କକ୍ଷରେ ସ୍ଥାପନ କରିଛି। ଏ ସମ୍ପର୍କରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତିକ୍ରିୟା ପାଇଁ ଫୋନ୍ କରାଯାଇଥିଲା। କିନ୍ତୁ, ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।