ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ, ବିଶିଷ୍ଟ ଜନନାୟକ, ରାଷ୍ଟ୍ରନୀତିଜ୍ଞ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ ଓଡ଼ିଶା ବିଧାନସଭା ପରିସରରେ ପାଳିତ ହୋଇଯାଇଛି। ମହାପୁରୁଷଙ୍କ ପ୍ରତିମୂର୍ତ୍ତି‌‌ରେ ମାଲ୍ୟାର୍ପଣ କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି, ଉପବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଚୌଧୁରୀଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଦୀନଦୁଃଖୀ, ଦରିଦ୍ର, ନିସ୍ପେଷିତ ଓ ଅବହେଳିତଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସେ ସର୍ବଦା ସଂଗ୍ରାମ କରି ଆସୁଥିଲେ। କୃତଜ୍ଞ ଓଡ଼ିଆ ଜାତିର ହୃଦୟରେ ସେ ଚିର ଅମର ରହିବେ ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ। କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଉତ୍କଳ ସମ୍ମିଳନୀ ସଭାପତି ଦିଲ୍ଲୀପ ଦାଶଶର୍ମା, ସମ୍ପାଦକ ଆଦିତ୍ୟ ପାତ୍ର ଏବଂ ବିଧାନସଭାର ଅଧିକାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଧାନସଭା ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ ଏବଂ ଯୁଗ୍ମ ନିର୍ଦ୍ଦେଶକ(ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର