ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବାସଗୃହକୁ ସୁରକ୍ଷିତ ରହିବ ନା ଭୁଶୁଡ଼ିଯିବ, ଏହି ପ୍ରଶ୍ନଟି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ନେତା, ମନ୍ତ୍ରୀ, ପ୍ରଶାସକମାନେ ଏହି ଗୃହକୁ ସୁରକ୍ଷିତ ରଖିବା ଲାଗି ଯେତେ ସବୁ ଘୋଷଣା କରିଥିଲେ, ପ୍ରତିଶ୍ରୁତି ଦେଇଥିଲେ, ସେସବୁ କାର୍ଯ୍ୟାନ୍ବୟନ ହୋଇନାହିଁ, ବରଂ ଗଣମାଧ୍ୟମ ରିପୋର୍ଟ ଭିତରେ ଯେମିତି ଅଟକିଯାଇଛି। ବିକୃତ ଫାଇବର ପ୍ରତିମୂର୍ତ୍ତି କ୍ଷେତ୍ରରେ ଯାହା, ସ୍ମାରକୀ ଗୃହର ସଂରକ୍ଷଣ କ୍ଷେତ୍ରରେ ସେୟା। ମାଟି କାନ୍ଥର ଚାଳଛପର ଘରଟି ଏବେ ଭୁଶୁଡ଼ିବା ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ।
ଅନୁଗୁଳ ବାଜିରାଉତ ଛାତ୍ରାବାସ ପରିସରରେ ଥିବା ଚାଳଘର ନବକୃଷ୍ଣ ଚୌଧୁରୀଙ୍କ କର୍ମସ୍ଥଳ ଥିଲା। ସେହି ମାଟି ଘରେ ୧୯୮୪ ଜୁନ୍ରେ ତାଙ୍କର ଦେହାନ୍ତ ହୋଇଥିଲା। ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଯେଉଁ ଘରେ ରହୁଥିଲେ ସେଠାକୁ ସେମାନଙ୍କୁ ଭେଟିବା ପାଇଁ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଆସିଥିଲେ। ଏହି ମାଟି ଘରଟିକୁ ଜାତୀୟ ସ୍ମାରକୀରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ଦାବି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦାୟିତ୍ୱ ନେଇନାହାନ୍ତି। ବରଂ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଚାଳ ଘରୁ ବର୍ଷା ହେଲେ ପାଣି ଗଳୁଥିବାରୁ ତାହା ଉପରେ କଳା ପଲିଥିନ ପକାଇ ପ୍ରଶାସନ ଚୁପ୍ ବସିଥିଲା। ଗତ ବିଧାନସଭା ଅଧିବେଶନ ସମୟରେ ଏ ପ୍ରସଙ୍ଗ ଖଣ଼୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଠାଇବା ପରେ ରାଜ୍ୟ ସରକାର ଚାରିଆଡ଼ୁ ସମାଲୋଚିତ ହୋଇଥିଲେ। ଠିକ୍ ସେହି ସମୟରେ ଗୋପବନ୍ଧୁ ପାର୍କରେ ନବକୃଷ୍ଣ ଚୌଧୁରୀଙ୍କ ସମେତ ୧୧ଜଣ ସଂଗ୍ରାମୀଙ୍କ ବିକୃତ ଫାଇବର ପ୍ରତିମୂର୍ତ୍ତି ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ କରି ପକାଇଥିଲା।
ପରିସ୍ଥିତିର ଗମ୍ଭୀରତା ଲକ୍ଷ୍ୟ ରଖି ରାଜ୍ୟ ସଂସ୍କୃତି ବିଭାଗର ଏକ ଉଚ୍ଚସ୍ତରୀୟ ଦଳ ଅନୁଗୁଳ ଗସ୍ତ କରି ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ। ବାଜି ରାଉତ ଛାତ୍ରାବାସରେ ଥିବା ଏହି ଗୃହର ସଂରକ୍ଷଣ ସହିତ ତାହାକୁ ସ୍ମାରକୀ ଭାବେ ଘୋଷଣା କରିବା ଲାଗି ଯେତେ ଅର୍ଥ ଦରକାର ତାହା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏହାପରେ ଏକ ବିଶେଷଜ୍ଞ ଦଳ ସେଠାକୁ ଯାଇ ଘର ମାପଚୁପ କରିଥିଲା। ବିକୃତ ପ୍ରତିମୂର୍ତ୍ତିଗୁଡ଼ିକୁ ହଟାଇ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ଏବେ କେବଳ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ଭୁବନେଶ୍ୱରରେ ନିର୍ମାଣାଧୀନ ଥିବାବେଳେ ସ୍ମାରକୀ ଗୃହର ସଂରକ୍ଷଣ କଥା ଆଲୋଚନା ହେଉନାହିଁ।
ବିଶିଷ୍ଟ ଗାନ୍ଧିବାସୀ ପ୍ରହଲ୍ଲାଦ ସିଂହ କହିଛନ୍ତି ଯେ ଅନୁଗୁଳସ୍ଥିତ ନବକୃଷ୍ଣ ଚୌଧୁରୀଙ୍କ ମାଟିଘରର ସଂରକ୍ଷଣ ଦିଗରେ ରାଜ୍ୟ ସରକାରୀ କୌଣସି ବି ପଦକ୍ଷେପ ନେଇନାହାନ୍ତି। ଏ ପ୍ରସଙ୍ଗ ବିଧାନସଭାରେ ଉଠିବା ପରେ ମଧ୍ୟ ପ୍ରଶାସନ କାହିଁକି ଆନ୍ତରିକତା ଦେଖାଉ ନାହିଁ ତାହା ବୁଝା ପଡ଼ୁ ନାହିଁ। ଏମ୍ଡିଏନ୍ସି ଟ୍ରଷ୍ଟ ମାଧ୍ୟମରେ ଆମେ ମାଟି ଘରର ମରାମତି କରିବା ସହ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନେଉଛୁ।