ଗାନ୍ଧୀ ଦର୍ଶନ ଓ ସାମ୍ୟବାଦର ଏକ ସମନ୍ବୟ ନବକୃ‌ଷ୍ଣ

ପ୍ରଫେସର ମଣୀନ୍ଦ୍ର କୁମାର ମେହେର

ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଦ୍ବାରା ନବକୃଷ୍ଣ ଚୌଧୁରୀ ସପରିବାର କିପରି ଉଦ୍‌ବୁଦ୍ଧ ହୋଇଥିଲେ ତାହା ତାଙ୍କ ସଂସ୍ପର୍ଶରେ ଆସିଥିବା ଯେ କୌଣସି ସଚେତନ ଭଦ୍ର ବ୍ୟକ୍ତି ଅନୁଭବ କରିଛନ୍ତି। ସମସ୍ତେ ଏକଥା ଜାଣନ୍ତି ଯେ, ନବକୃଷ୍ଣ ଚୌଧୁରୀ ଭିନ୍ନ ଉପାଦାନରେ ଗଢ଼ା ହୋଇଥିବା ଜଣେ ବିଚିତ୍ର ଚେତନାର ମଣିଷ। ସେ ଗାନ୍ଧୀଜୀଙ୍କ ବ୍ୟକ୍ତିତ୍ବ ଓ ଦର୍ଶନ ପ୍ରତି ପ୍ରଗାଢ଼ ଆକର୍ଷଣ ଅନୁଭବ କରୁଥିଲେ ମଧ୍ୟ ସେତିକିରେ କଦାପି ସନ୍ତୁଷ୍ଟ ନ ଥିଲେ। କୌଣସି ନିର୍ଦ୍ଦି‌ଷ୍ଟ ଭାବାଦର୍ଶ ମଧ୍ୟରେ ଆବଦ୍ଧ ହୋଇ ରହିବା ତାଙ୍କ ସ୍ବଭାବ ନଥିଲା। ଏହାର ସର୍ବମୂଳ କାରଣଟି ହେଉଛି ଏଭଳି ଏକ ଜାତିଭେଦ ତଥା ଶ୍ରେଣୀଭେଦରୁ ସଂପୂର୍ଣ୍ଣ ମୁକ୍ତ ଏକ ସମାଜର ପରିକଳ୍ପନା ତାଙ୍କୁ ରୋମାଞ୍ଚିତ କରି ରଖିଥିଲା, ‌େଯଉଁଥିପାଇଁ ତାଙ୍କ ଅଧ୍ୟୟନ ଓ ମନନର ପରିସର ଥିଲା ବହୁ ବ୍ୟାପକ। ମଣିଷ-ମଣିଷ ମଧ୍ୟରେ ସମାନତା ପ୍ରତିଷ୍ଠା କରିବାର ସ୍ବପ୍ନ ତାଙ୍କୁ କରିଦେଇଥିଲା ଅନ୍ତର୍ମୁଖୀ। ଯିଏ ମଣିଷକୁ ନିର୍ମଳ ଭାବରେ ଭଲପାଇପାରେ ସେ ହିଁ ଅତିକ୍ରମ କରିଯାଇଥିଲେ ଗୋଟିଏ ଆଦର୍ଶରୁ ଆଉ ଏକ ଆଦର୍ଶ।

ନବକୃଷ୍ଣ ବାବୁଙ୍କ ଚିନ୍ତନ ଓ ପଠନର ପରିସର ଏତେ ପ୍ରସାରିତ ଥିଲା ଯେ, ସେ ଏ ପୃଥିବୀର ସମସ୍ତ ମହାଦର୍ଶକୁ ହଜମ କରିଦେବା ପାଇଁ ବ୍ୟାକୁଳ ଥିଲେ। ନବକୃଷ୍ଣ ଆମ ସମାଜରେ ବ୍ୟାପି ଯାଇଥିବା ଆର୍ଥିକ ଓ ମାନସିକ ଦାରିଦ୍ର୍ୟକୁ ବେଦନାପୂର୍ଣ୍ଣ ହୃଦୟ ନେଇ କିପରି ସହ୍ୟ କରୁଥିଲେ, ତାହା ତାଙ୍କ ବ୍ୟକ୍ତିତ୍ବ ସଂପର୍କରେ କଳ୍ପନା କଲା ମାତ୍ରକେ ସ୍ପଷ୍ଟ ହୋଇଉଠେ। ବାସ୍ତବରେ ସେ ଯେ ସହ୍ୟ କରୁଥିଲେ ଏହା ନୁହେଁ, ଅସହ୍ୟ ଉତ୍ତାପରେ ତାଙ୍କ ମାନବବାଦୀ ପ୍ରାଣ ଖଣ୍ଡ ବିଖଣ୍ଡିତ ହୋଇଯାଉଥିଲା। ଯାହାଙ୍କ ବିଚାର ଶକ୍ତି ନିତ୍ୟ-ନୂତନ, ତା’ର ପ୍ରତିଟି ମୁହୂର୍ତ୍ତ ହେଉଛି ଦ୍ବନ୍ଦ୍ବାକ୍ରାନ୍ତ। ଗାନ୍ଧୀଜୀଙ୍କ ଅହିଂସା-ମନ୍ତ୍ରରେ ଦୀକ୍ଷିତ ନବକୃ‌ଷ୍ଣ ଚୌଧୁରୀ ପୁନଶ୍ଚ ଅନ୍ୟ କ୍ରାନ୍ତଦର୍ଶୀ ମହାପୁରୁଷଙ୍କ ଅଶରୀର ସାନ୍ନିଧ୍ୟରେ ଲାଭ କରିଛନ୍ତି ପ୍ରଭୂତ ପ୍ରେରଣା। କେତେବେଳେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁରଙ୍କ ପଦ ସମ୍ଭାର ତାଙ୍କ ଅନ୍ତରାତ୍ମାକୁ ଆନ୍ଦୋଳିତ କରିଛି ତ ପୁଣି ଆଉ କେତେ‌ବେଳେ ସାମ୍ୟବାଦୀ ଚିନ୍ତାଧାରାର ଭାବନାରେ ସେ ଆଲୋକସ୍ନାତ ହୋଇଯାଇଛନ୍ତି। ଯେ କୌଣସି ପୁସ୍ତକର ବା ମହାନ୍ ବ୍ୟକ୍ତିତ୍ବର ଭାବ-ନିର୍ଯାସ ଗ୍ରହଣ କରିବାରେ ଓ ପରିପାକ କରିବାରେ ତାଙ୍କର ସାମର୍ଥ୍ୟ ଅନନ୍ୟ ଥିଲା।

ଶାନ୍ତିନିକେତନର ଆଶ୍ରମ ପରିବେଶ ଓ କବିଗୁରୁ ରବୀନ୍ଦ୍ରଙ୍କ ଭାବୋଚ୍ଛ୍ବାସମୟ ସଂଗୀତ ତାଙ୍କୁ କମ୍ ଅନୁପ୍ରାଣିତ କରିନଥିଲା! ମହାତ୍ମା ଗାନ୍ଧୀଙ୍କ ପ୍ରତିଷ୍ଠିତ ଆଶ୍ରମରେ ରହି ସେହିପରି ସେ ଜାତିର ପିତାଙ୍କ କଣ୍ଠସ୍ବର ସହିତ ସମ୍ମିଳିତ କରି ଦେଇଛନ୍ତି ଆପଣାର କଣ୍ଠ-ଧ୍ବନିକୁ। ଏକ ନୂତନ ଭାରତବର୍ଷ ଗଠନର ସ୍ବପ୍ନରେ ସେ ନିଜକୁ ଉତ୍ସର୍ଗ କରିଦେଇଥିଲେ ସହଧର୍ମିଣୀ ମାଳତୀ ଦେବୀଙ୍କ ସହିତ। କାର୍ଲ ମାର୍କସ‌୍ ଶ୍ରେଣୀବିହୀନ ସମାଜ ଗଠନର ଯେଉଁ ମହାନ୍ ବାର୍ତ୍ତା ପୃଥିବୀକୁ ପ୍ରଦାନ କଲେ, ନବକୃଷ୍ଣ ସେହି ସନ୍ଦେଶ-ସ୍ପର୍ଶରେ ହୋଇଥିଲେ ସ୍ପନ୍ଦିତ। ସେ କ’ଣ ଜାଣୁନଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଓ ସାମ୍ୟବାଦୀ ଭାବାଦର୍ଶ ଭିତରେ କ’ଣ ପାର୍ଥକ୍ୟ ଓ ସାମଞ୍ଜସ୍ୟ ରହିଛି?
ଏହି ଉଭୟ ଚିନ୍ତାଦର୍ଶକୁ ନିଜ ଭିତରେ ସମାହିତ କରି ଦେଇ ପାରିଥିଲେ ସେ। ଅହିଂସା ନାମରେ ଯେଉଁମାନେ ଏ ଦେଶରେ ଛଳନାର ମଂଜି ବୁଣିଛନ୍ତି, ସେହି ବିଷାକ୍ତ ବୃକ୍ଷକୁ ଉତ୍ପାଟିତ କରିଦେବା ପାଇଁ ତାଙ୍କ ଭିତରେ ସୃଷ୍ଟି ହୋଇଥିଲା ବୈପ୍ଳବିକ ବହ୍ନି। ମହାତ୍ମା ଗାନ୍ଧୀ ମଧ୍ୟ ବହୁବାର ଏକଥା କହିଛନ୍ତି ଯେ, ଅହିଂସା ଭୀରୁମାନଙ୍କର ଅସ୍ତ୍ର ନୁହେଁ, ତାହା ହେଉଛି ବୀରୋଚିତ ବ୍ୟକ୍ତିତ୍ବର ସର୍ବୋତ୍ତମ ସ୍ନେହାପ୍ଳୁତ ତୀକ୍ଷ୍‌ଣ ତୀର। ସକଳ ସହନଶୀଳତା ସତ୍ତ୍ବେ ଯେଉଁ ପୁଂଜିପତିମାନଙ୍କ ହୃଦୟ ବିଗଳିତ ହୁଏ ନାହିଁ, ସେମାନଙ୍କ ନିଷ୍ଠୁରତା ଦେଇଥିଲା ପ୍ରଚଣ୍ଡ ଆଘାତ। ଯେତେବେଳେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ ସେଇ ସମୟରେ ସନ୍ଥ ବିନୋବାଙ୍କ ଦ୍ବାରା ଭୂଦାନ ଆନ୍ଦୋଳନ ଚାଲିଥିଲା। ମହାତ୍ମା ଗାନ୍ଧୀଙ୍କ ‘ଟ୍ରଷ୍ଟିସିପ୍’ ନୀତି ଯେପରି ଭାବରେ ବାସ୍ତବ ରୂପ ପରିଗ୍ରହ କଲା, ବିନୋବାଙ୍କ ଭୂଦାନ ଆନ୍ଦୋଳନ ଦ୍ବାରା ତାହା ନବକୃଷ୍ଣ ଚୌଧୁରୀଙ୍କୁ ସୁନିଶ୍ଚିତ ଭାବରେ ଯେ ପବିତ୍ର ପ୍ରେରଣା ଦେଇଥିବ; ଏଥିରେ ସନ୍ଦେହ ନାହିଁ। ସର୍ବୋଦୟ ଆନ୍ଦୋଳନ ସହିତ ନିଜକୁ ସଂଯୁକ୍ତ କରିଦେଇ ନିଶ୍ଚୟ ସେ ଅସୀମ ପରିତୃପ୍ତି ଲାଭ କରିଥିବେ। ନବକୃଷ୍ଣ ବାବୁଙ୍କ କର୍ମମୟ ଜୀବନରେ ସବୁ ମହାମାନବଙ୍କ ସ୍ଥାନ ବିଦ୍ୟମାନ ଥିଲା। ସେ ଯେ ଦେବତା ନ ଥିଲେ, ବରଂ ମନୁଷ୍ୟୋଚିତ ଅନେକ ତ୍ରୁଟି ସତ୍ତ୍ବେ ଥିଲେ ଜଣେ ପ୍ରେରଣା-ବର୍ଦ୍ଧିତ ଇଂଗିତ, ଏହା ତାଙ୍କର ଜୀବନୀ ଲେଖକ ଚିତ୍ତରଞ୍ଜନ ଦାସ ବର୍ଣ୍ଣନା କରିଛନ୍ତି।

ଏଭଳି ଜଣେ କ୍ରାନ୍ତିକାରୀ ବ୍ୟକ୍ତିତ୍ବଙ୍କ ପ୍ରତି ସମଗ୍ର ଭାରତବର୍ଷର ଶ୍ରେଷ୍ଠ କୃତି ସନ୍ତାନମାନଙ୍କ ଯେଉଁ ସମ୍ମାନ ବୋଧ ରହିଥିଲା ତାହା କଳ୍ପନାତୀତ। ଯେତେବେଳେ ସଂଜୀବ ରେଡ୍ଡି ଭାରତର ମହାମହିମ ରାଷ୍ଟ୍ରପତି ଥିଲେ, ସେତେବେଳେ ଓଡ଼ିଶା ଆଗମନ ସମୟରେ ନବବାବୁଙ୍କୁ ସାକ୍ଷାତ କରିବା ପାଇଁ ସେ ଯେଉଁ ସଦିଚ୍ଛା ପ୍ରକାଶ କଲେ, ତାହା ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲା। କାରଣ ନବବାବୁଙ୍କୁ ଭୁବନେଶ୍ବର ଆଣିବାର ପ୍ରଚେଷ୍ଟା କରିବା ଦ୍ବାରା ସଂଜୀବ ରେଡ୍ଡି ଆଦୌ ସନ୍ତୁଷ୍ଟ ହୋଇନଥିଲେ। ସେ ସିଧାସଳଖ ଅନୁଗୁଳ ସ୍ଥିତ ବାଜିରାଉତ ଛାତ୍ରବାସକୁ ଯାଇଥିଲେ ନବକୃଷ୍ଣଙ୍କୁ ଭେଟିବା ପାଇଁ। ଏପରି ଜଣେ ଛଦ୍ମତା ବିହୀନ ବ୍ୟକ୍ତିତ୍ବଙ୍କ ପ୍ରତି କାହା ପ୍ରାଣରେ ବା ସଜଳ ଶ୍ରଦ୍ଧା ଜାଗ୍ରତ ନ ହେବ!
ଏହି ମାନବ-ସମାଜ ଯେଉଁ ସୌନ୍ଦର୍ଯ୍ୟରେ ଅତୁଳନୀୟ ହୋଇପାରନ୍ତା, ତାହା ବାସ୍ତବ କ୍ଷେତ୍ରରେ ନ ଘଟିବାରୁ ଅନ୍ତିମ ପର୍ଯ୍ୟାୟରେ ନବକୃଷ୍ଣଙ୍କ ଅସନ୍ତୋ‌ଷ ଓ କ୍ରୋଧ ମଧ୍ୟ ପ୍ରକାଶିତ ହୋଇଥିଲା। ସ୍ବାଧୀନ ଭାରତ ବର୍ଷର ଦୂଷିତ ରାଜନୀତି ତାଙ୍କୁ ଆଦୌ କଳୁଷିତ କରିପାରିନଥିଲା। ଏକ ସମୁଚିତ ମାର୍ଗର ଅନ୍ବେଷଣରେ ସେ ବାହାରି ଥିଲେ ରାଷ୍ଟ୍ର ନିର୍ମାଣ ପାଇଁ। ଯେଉଁ ଯେଉଁ କ୍ଷେତ୍ରରେ ସେ ପାଦ ପକାଇଲେ, ସେଠି ଲକ୍ଷ୍ୟ କରିଥିଲେ ବହୁ ଅସାମଞ୍ଜସ୍ୟ। ସେଥିପାଇଁ ତାଙ୍କର ମୋହଭଂଗ ହେଉଥିଲା ବାରମ୍ବାର। ଅନେକେ ତାଙ୍କ ଠାରୁ ଆଶା କରିଥିଲେ ଏକ ପରିବର୍ତ୍ତନ ସାଧନକ୍ଷମ-ନେତୃତ୍ବ। ଅଥଚ ସେ ବେଦନା ଜର୍ଜରିତ ପ୍ରାଣରେ ବିଫଳ ମ‌େନାରଥ ହୋଇ ରହିଥିଲେ। ତାଙ୍କର ପୂରୋଦୃଷ୍ଟି ଥିଲା ଅତ୍ୟନ୍ତ ସ୍ପଷ୍ଟ ଓ ସ୍ବଚ୍ଛ।
ବିଭାଗ-ମୁଖ୍ୟ, ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ
ଫକୀରମୋହନ ବିଶ୍ବବିଦ୍ୟାଳୟ
ବ୍ୟାସବିହାର, ବାଲେଶ୍ବର-୭୫୬୦୮୯

ସମ୍ବନ୍ଧିତ ଖବର