ଅନୁଗୁଳ : ରାଜ୍ୟ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଅନୁଗୁଳରେ ସ୍ଥାପନ କରିବାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ଜରିଆରେ ଉଭୟଙ୍କ ଫଟୋ ସଂଗ୍ରହ କରାଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ ନବବାବୁଙ୍କ କର୍ମଭୂମି ବାଜି ରାଉତ ଛାତ୍ରାବାସରୁ ଏହି ଫଟୋ ନିଆଯାଇଛି। ଆଉ ନବବାବୁ ଓ ମାଳତୀ ଦେବୀଙ୍କ ଫଟୋ ସରକାରଙ୍କ ପାଖକୁ ପଠାଇ ଦିଆଯାଇଛି।
ଅନୁଗୁଳ ଗୋପବନ୍ଧୁ ପାର୍କରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଦେଖା ଯାଇଥିଲା। ଏଠାରେ ନବବାବୁ ପ୍ୟାଣ୍ଟ ଓ ବେକଚିପା ସାର୍ଟ ପିନ୍ଧିଥିବା ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହାକୁ ବିଭିନ୍ନ ମହଲରେ ଜୋର୍ଦାର୍ ବିରୋଧ ହେବାପରେ ତରବରିଆ ଭାବେ ଧୋତି ପିନ୍ଧା ପ୍ରତିମୂର୍ତ୍ତି ନିର୍ମାଣ କରିଥିଲା ପୌରପାଳିକା। କିନ୍ତୁ, ଏହା ବି ତ୍ରୁଟିପୂର୍ଣ୍ଣ ଥିଲା। ଲୁଙ୍ଗି ଭଳି ଧୋତିକୁ ପିନ୍ଧାଇ ଦେଇଥିବାରୁ ଏହା ନବବାବୁଙ୍କ ପ୍ରତି ଅପମାନ ବୋଲି ଲୋକେ କହିଥିଲେ। ପୌରପାଳିକାର ଏମିତି ବିବାଦୀୟ କାମକୁ ସବୁ ସ୍ତରରେ ବିରୋଧ ହେବାପରେ ପ୍ରତିମୂର୍ତ୍ତି ହଟାଇ ଦିଆଯିବା ସହ ନଗରପାଳ ଅକ୍ଷୟ ସାମନ୍ତ କ୍ଷମା ମାଗିଥିଲେ। ଏପଟେ ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ଏହି ଘଟଣାର ତଦନ୍ତ କରିଥିଲା। ପରେ ଓଡ଼ିଶାର ଦୁଇ ବରପୁତ୍ର ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନୁଗୁଳରେ ସ୍ଥାପିତ ହେବ ବୋଲି ରାଜ୍ୟ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଗତ ୧୧ ତାରିଖରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ଉଭୟଙ୍କ ଫଟୋ ମାଗିଥିଲା। ନବକୃଷ୍ଣଙ୍କ ନାମରେ ଥିବା ସ୍ମୃତି କମିଟି, ଅନୁଷ୍ଠାନ ଓ ତାଙ୍କ ପରିବାର ସଦସ୍ୟଙ୍କ ଆଲୋଚନା କରି ବିଭିନ୍ନ ଭଙ୍ଗୀର ୩ଟି ରଙ୍ଗିନ ଫଟୋ ପଠାଇବାକୁ କହିଥିଲା।
ସରକାରଙ୍କ ଏହି ଚିଠି ପାଇବା ପରେ ପ୍ରଶାସନର ଏକ ଟିମ୍ ବାଜି ରାଉତ ଛାତ୍ରାବାସକୁ ଯାଇ ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ମହାନ୍ତିଙ୍କ ସହ ଆଲୋଚନା କରିଛି। ସେଠାରୁ ନବକୃଷ୍ଣ ଓ ମାଳତୀ ଦେବୀଙ୍କ କିଛି ଫଟୋ ସଂଗ୍ରହ କରାଯାଇଛି। ପରେ ୧୨ଟି ଫଟୋ ସଂସ୍କୃତି ବିଭାଗକୁ ପଠାଇ ଦିଆଯାଇଛି।
ଏଥିନେଇ ଅନୁଗୁଳ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ କହିଛନ୍ତି ଯେ ନବକୃଷ୍ଣ ଓ ମାଳତୀ ଦେବୀଙ୍କ ଫଟୋ ପଠାଇବାକୁ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ଆସିଥିଲା। ଏହାପରେ ବାଜି ରାଉତ ଛାତ୍ରାବାସ ଯାଇ କୃଷ୍ଣା ମହାନ୍ତିଙ୍କ ସହ ଫଟୋ ନେଇ ଆଲୋଚନା କରାଯାଇଥିଲା। ବିଭିନ୍ନ ଭଙ୍ଗୀର ଫଟୋ ସଂଗ୍ରହ କରାଯାଇ ଗତକାଲି ସଂସ୍କୃତି ବିଭାଗକୁ ପଠାଇ ଦିଆଯାଇଛି। ଫଟୋ ପଠାଇବା ଆଗରୁ ଏଥିନେଇ ବିଭିନ୍ନ ଅନୁଷ୍ଠାନ ସଂପର୍କରେ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।