ଭୁବନେଶ୍ବର : ଚଳିତ ନିର୍ବାଚନରେ ଅସହଯୋଗ ଡାକରା ଦେଇଥିବା ନବନିର୍ମାଣ କୃଷକ ସଂଗଠନ ଆଜି ଏ ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଛି। ସଂଗଠନ ପକ୍ଷରୁ ସଚେତନତା ଯାତ୍ରା ଏପ୍ରିଲ ୨ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାକୁ ଅନୁମତି ପ୍ରଦାନ କରିବା ପାଇଁ ସଂଗଠନ ଦାବିପତ୍ର ପ୍ରଦାନ କରିଛି। ସଂଗଠନର ନେତା ଅକ୍ଷୟ କୁମାର କହିଛନ୍ତି ଯେ, ଗତ ୯ବର୍ଷ ଧରି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ନେଇ ସଂଗଠନ ଆନ୍ଦୋଳନ କରି ଆସୁଛି। ମାତ୍ର ଏହି ଦାବିଗୁଡ଼ିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରି ଚାଲିଛନ୍ତି। ଏହାର ପ୍ରତିବାଦରେ ଶହ ଶହ ଚାଷୀ ରାଜଧାନୀରେ ନିଜର ହକ୍ ମାଗିବାକୁ ଯାଉଥିବା ବେଳେ ପୁଲିସ ଗିରଫ କରି ନେଉଛି। ସମ୍ବିଧାନରେ ପ୍ରତ୍ୟେକ ବ୍ୟକ୍ତିର ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାର ଥିବା ବେଳେ ଏହାକୁ ଛଡ଼ାଇ ନିଆଯାଉଛି। ତେଣୁ ଚଳିତ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରି ସଂଗଠନ ଗଣତାନ୍ତ୍ରିକ ଉପାୟରେ ରାଜରାସ୍ତାକୁ ଓହ୍ଲାଇବ। ଏପ୍ରିଲ ୨ତାରିଖରୁ ଏହି ସଚେତନତା ଯାତ୍ରା ଆରମ୍ଭ ହେଉଥିବା ବେଳେ ୨୨ତାରିଖରେ ଶେଷ ହେବ। ତେଣୁ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବାର ଅନୁମତି ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ନିର୍ବାଚନ ଆୟୁକ୍ତଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ମନୱର ଅଲ୍ଲୀ, ଉମାକାନ୍ତ ଭାରତ ଓ ଅନ୍ୟମାନେ ସାମିଲ ହୋଇଥିଲେ।
ନିର୍ବାଚନ ଆୟୁକ୍ତଙ୍କୁ ଭେଟିଲା ନବନିର୍ମାଣ କୃଷକ ସଂଗଠନ
/sambad/media/post_attachments/wp-content/uploads/2019/03/NABA.jpg)