କୃଷିମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଲେ ନବନିର୍ମାଣ ଯୁବଛାତ୍ର କର୍ମୀ

୬ ଗିରଫ, ସରକାରଙ୍କ ଉପରେ ବର୍ଷିଲା ନବନିର୍ମାଣ କୃଷକ ସଂଗଠନ

ଭୁବନେଶ୍ୱର: ଆତ୍ମହତ୍ୟା କରୁଥିବା ଚାଷୀକୁ କ୍ଷତିପୂରଣ ଦେବାସହିତ ଚାଷୀକୁ ତାଚ୍ଛଲ୍ୟ ବନ୍ଦ କରିବା ଦାବି କରୁଥିବା ନବନିର୍ମାଣ ଯୁବଛାତ୍ର କର୍ମୀ ଆଜି କୃଷି ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ବାସଭବନରେ ଧସେଇ ପଶିଛନ୍ତି। ପୁଲିସ ସେମାନଙ୍କୁ ଉଠାଇ ନେବା ସହିତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅପରପକ୍ଷରେ ଏହି ଗିରଫଦାରୀ ବିରୋଧରେ ସରକାରଙ୍କ ଉପରେ ବର୍ଷିଛି ନବନିର୍ମାଣ କୃଷକ ସଂଗଠନ। ଅହିଂସା ଉପାୟରେ ପ୍ରତିବାଦ ଜଣାଉଥିବା ସଂଗଠନର କର୍ମକର୍ତାଙ୍କୁ ଗିରଫ କରାଯିବାକୁ ନେଇ ସଂଗଠନର କର୍ମକର୍ତା ପ୍ରଶ୍ନ ଉଠାଇଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ୮ତାରିଖରୁ ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଧସେଇ ପଶିବା ଘଟଣାରେ କ୍ୟାପିଟାଲ ଥାନା ଏସ୍‌ଆଇ ଜମ୍ବେଶ୍ୱର ମୁଦୁଲି ସସ୍‌ପେଣ୍ଡ ହୋଇଛନ୍ତି।

ଆତ୍ମହତ୍ୟା କରୁଥିବା ଚାଷୀ ପରିବାରକୁ କ୍ଷତିପୂରଣ ଓ କୃଷିମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ଦାବିରେ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ଅନଶନ ଚାଲିଥିଲା। ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ଵର ଅଲ୍ଲୀଙ୍କ ନେତୃତ୍ୱରେ ଯୁବଛାତ୍ର ସଂଗଠନର କର୍ମକର୍ତାମାନେ ଅନଶନରେ ସାମିଲ ହୋଇଥିଲେ। ରାଜ୍ୟରେ କ୍ରମାଗତ ଚାଷୀ ଆତ୍ମହତ୍ୟାକୁ ରୋକିବା, ରିଲିଫ କୋର୍ଡରେ ସଂଶୋଧନ, ଓଡ଼ିଶା ବିଧାନସଭାରେ ସର୍ବସଂକଳ୍ପ ଅନୁଯାୟୀ କେନ୍ଦ୍ର ସରକାର ଧାନ ଦରବୃଦ୍ଧି କରିବା, ଭାଗଚାଷୀ ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଯୁବଛାତ୍ର ସଂଗଠନ ପକ୍ଷରୁ ଦାବି ହୋଇଥିଲା।

ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ଏହି ଅନଶନକୁ ସମର୍ଥନ ଜଣାଇବା ସହିତ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତର ସହ ନିଅନ୍ତୁ। ଚାଷୀଙ୍କ ସମସ୍ୟା ସୁଯୋଗ ନେଇ ଉଭୟ ବିରୋଧୀ ଓ ସରକାରୀ ଦଳ ଭୋଟ ଚାଷ କରନ୍ତୁ ନାହିଁ। ଚାଷ କିପରି ବଞ୍ଚିବ ସେଥିପାଇଁ ସରକାର ତତ୍ପର ହେବା ଦରକାର। ରାଜ୍ୟ ସରକାରଙ୍କ ଚାଷ ବିକାଶର ମୁଖ୍ୟ ପ୍ରସଙ୍ଗ ହେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ତେବେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସଂଗଠନର ୧୦ରୁ ଅଧିକ କର୍ମକର୍ତା କୃଷି ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଥିଲେ। ଏହି ସମୟରେ କୃଷି ମନ୍ତ୍ରୀ ତାଙ୍କ ବାସଭବନରେ ନ ଥିଲେ। ତେଣୁ ସଂଗଠନର କର୍ମକର୍ତାମାନେ ତାଙ୍କ ବାସଭବନ ମଧ୍ୟରେ ଧାରଣାରେ ବସି ରହିବା ସହିତ ନାରାବାଜି କରିଥିଲେ। ପ୍ରାୟ ୧୫/୨୦ମିନିଟ୍‌ ପର୍ଯ୍ୟନ୍ତ ସେମାନେ ସେଠାରେ ବସି ରହିଥିଲେ। ପରେ ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। କୃଷି ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବା ଘଟଣାରେ ପୁଲିସ ଦୁର୍ଗା ପ୍ରସାଦ ଦାସ, ମଧୁମିତା ସାମଲ, ମନଓ୍ଵର ଅଲ୍ଲୀ, ଅଭିମନ୍ୟୁ ଗୁମାନସିଂ, ସାଇ ଲକ୍ଷ୍ମୀପ୍ରସାଦ ପଲାଇ ଓ ପ୍ରଶାନ୍ତ ପ୍ରଧାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସଂଗଠନର କର୍ମକର୍ତାଙ୍କୁ ଗିରଫ କରାଯିବ ଘଟଣାରେ ଆଜି ସଂଧ୍ୟାରେ ସଂଗଠନ ପକ୍ଷରୁ ଉତ୍କଳ ସାମ୍ବାଦିକ ସଂଘରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ସରକାର ଚକଡ଼ା ପୋକକୁ ଦମନ କରିପାରୁ ନାହାନ୍ତି କି ଚାଷୀ ଆତ୍ମହତ୍ୟାକୁ ରୋକି ପାରୁ ନାହାନ୍ତି। ମାତ୍ର ଅହିଂସା ଉପାୟରେ ଆନ୍ଦୋଳନ କରୁଥିବା ସ୍ୱରକୁ ଦାବି ଦେବାକୁ ଚେଷ୍ଟା କରାଯାଉଛି। ରାଜ୍ୟରେ ତାନାସାହି ସରକାର ଚାଲିଛି। ଯୁବଛାତ୍ର ସଂଗଠନର କର୍ମକର୍ତାମାନେ କୃଷି ମନ୍ତ୍ରୀଙ୍କୁ ଚାଷୀଙ୍କ ସମସ୍ୟା ଉପରେ ପଚାରିବାକୁ ଯାଇଥିଲେ। ପୁଲିସ ସହିତ ସେଠାରେ ସଂଗଠନର କର୍ମକର୍ତାଙ୍କ କୌଣସି ଧସ୍ତାଧସ୍ତି ମଧ୍ୟ ହୋଇନାହିଁ। ମାତ୍ର ପୁଲିସ ସେମାନଙ୍କୁ ମିଥ୍ୟା ମକଦ୍ଦମାରେ ଗରିଫ କରି କୋର୍ଟ ଚାଲାଣ କରିଛି। ତେଣୁ ଏହାର ପ୍ରତିବାଦରେ ଆସନ୍ତା ୮ତାରିଖରୁ ରାଜ୍ୟବ୍ୟାପୀ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଶ୍ରୀ କୁମାର କହିଛନ୍ତି। ଚାଷୀଙ୍କ ସମସ୍ୟାକୁ ସମାଧାନ ନ କରି ସରକାର ଆନ୍ଦୋଳନକାରୀଙ୍କ ଉପରେ ଦାଉ ସାଧୁଛି ବୋଲି ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର