ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟସ୍ତରୀୟ ସମାବେଶ ୧୧ରେ

ରାଜଧାନୀରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,: ଶିକ୍ଷା ସମାପ୍ତ ପରେ ଛାତ୍ରଙ୍କୁ ନିଯୁକ୍ତି, ଚାଷୀକୁ ପେନ୍‌ସନ୍‌, ନିଶାମୁକ୍ତ ଓଡ଼ିଶା ଗଠନ ଦାବି ନେଇ ଆସନ୍ତା ଜାନୁଆରି ୧୧ତାରିଖରେ ନବ ନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ରାଜ୍ୟସ୍ତରୀୟ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହେବ। ଆଜି ଏନେଇ ସଂଗଠନର ଭୁବନେଶ୍ୱର କମିଟି ପକ୍ଷରୁ ମାଉସୀ ମା’ ମନ୍ଦିର ପାର୍କରେ ଛାତ୍ରନେତା ଅମିତ କୁମାରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ବିଭିନ୍ନ କଲେଜର ଛାତ୍ରନେତାମାନେ ଯୋଗ ଦେଇଥିଲେ। ଏଥିରେ ସଂଗଠନର ରାଜ୍ୟ ଆବାହକ ଏମ୍‌ଡି ମନଓ୍ଵର ଅଲ୍ଲୀ କହିଛନ୍ତିି, ବର୍ତମାନ ପ୍ରଚଳିତ ଶିକ୍ଷାନୀତି ଇଂରେଜ ଅମଳର। ଏଥିରେ ଶିକ୍ଷା ସମାପ୍ତ ପରେ ନିଯୁକ୍ତିର ଗ୍ୟାରେଣ୍ଟି ନାହିଁ। ଏହା କେବଳ ଇଂରାଜୀ ପଢ଼ୁଆ କିରାଣି ସୃଷ୍ଟି ପାଇଁ ଉଦ୍ଦିଷ୍ଟ। କେବଳ ଏତିକି ନୁହେଁ ରାଜ୍ୟରେ ଅନ୍ନଦାତା ଚାଷୀ ତା’ର ହକ୍‌ ନ ପାଇ ଆତ୍ମହତ୍ୟା କରୁଛି। କୃଷି ଓ କୃଷକର ସମସ୍ୟା ସଙ୍ଗୀନ ଥିବା ବେଳେ ରାଜ୍ୟରେ ମଦର ପ୍ରସାର ହେଉଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ଏହି ସମାବେଶ କରିବାକୁ ସ୍ଥିର କରିଛି। ଏଥିରେ ସାରା ରାଜ୍ୟରୁ ବହୁ ସଂଖ୍ୟାରେ ଯୁବ, ଛାତ୍ର ଯୋଗ ଦେବାକୁ ସେ ନିବେଦନ କରିଛନ୍ତି।

ଏହି ସମାବେଶରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର, ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, କୃଷକ ନେତା ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ସାମିଲ ହୋଇ ଉଦ୍‌ବୋଧନ ଦେବେ। ଆଜିର ପ୍ରସ୍ତୁତି ବୈଠକରେ ଛାତ୍ର ସଂଗଠନର ସହ ସଂଯୋଜକ ସାଇପ୍ରସାଦ ପଲାଇ, ଉପଦେଷ୍ଟା ମଧୁମିତା ସାମଲଙ୍କ ସମେତ ପ୍ରଜ୍ଞା ଜେନା, ଯଶୋବନ୍ତ ଦାସ, ସାଜନ ନାୟକ, ଆକାଂକ୍ଷା ନନ୍ଦ, ସତ୍ୟପ୍ରକାଶ ବେହେରା, କ୍ଷୀରୋଦ କୁମାର ବିଶ୍ୱାଳ ଓ ରିତେଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର