ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଦୋଷୀଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ

ନବରଙ୍ଗପୁର: ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଜଡ଼ିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ତରଫରୁ ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଇଛି ।

ଏହି ଘଟଣାରେ ପୁଲିସ ତଦନ୍ତ ଆଳରେ କିଛି ଯୁବକଙ୍କୁ ଥାନାରେ ଅଟକ ରଖି ପୁଣି ଛାଡ଼ି ଦେଉଥିବା କଂଗ୍ରେସ ତରଫରୁ ଅଭିଯୋଗ ହୋଇଛି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଘଟଣାର ପ୍ରକୃତ ଦୋଷୀଙ୍କ ନିକଟରେ ପୁଲିସ ପହଞ୍ଚି ନ ପାରିବା ପୁଲିସ ତଦନ୍ତର ଶିଥିଳତାକୁ ଦର୍ଶାଉଥିବା କହିଛି ଜିଲ୍ଲା କଂଗ୍ରେସ । ଏଣୁ ପୁଲିସ ତରଫରୁ ଜାଣିଶୁଣି ମାମଲାକୁ ଚାପି ଦେଉଥିବା ଉଦ୍ୟମ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ, ଯାହାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଥିବା କଂଗ୍ରେସ ନେତା କହିଛନ୍ତି ।

ଜିଲ୍ଲା କଂଗ୍ରେସ ତରଫରୁ ଶତାଧିକ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଫଳରେ ଗମନାଗମନରେ ବାଧା ଉପୁଜିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ଗୁଡ଼ିକ ଅଟକି ରହିଛି । ଦୂରଦୂରାନ୍ତରରୁ ଆସିଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ସହରର ଦୋକାନବଜାର ବନ୍ଦ ରହିଛି ।

ସେହିପରି ଉମରକୋଟ ସହରରେ ମଧ୍ୟ ସ୍ଥାନୀୟ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନ ପରେ ମଧ୍ୟ ଯଦି ପୁଲିସ ଘଟଣାରେ ଜଡ଼ିତ ଦୋଷୀଙ୍କୁ ଗିରଫ କରୁ ନାହିଁ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ଓ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି ।

ସମ୍ବନ୍ଧିତ ଖବର