ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗଠନ ହୋଇ ୩୦ବର୍ଷ ପୂରିଲା। କିନ୍ତୁ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ଆଦି କ୍ଷେତ୍ରରେ ଆଖିଦୃଶିଆ ବିକାଶ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଅନ୍ୟ ଜିଲ୍ଲା ତୁଳନାରେ ମୌଳିକ ସୁବିଧା ଯୋଗାଇ ଦେବାରେ ପଛରେ ପଡ଼ିଛି। ଏପରିକି କିଛି କ୍ଷେତ୍ରରେ ଏତେମାତ୍ରାରେ ପଛେଇ ଯାଇଛି ଯେ ଅଲୋଡ଼ା ରେକର୍ଡ କରି ଅପଖ୍ୟାତି ମୁଣ୍ଡାଇଛି। ଯେମିତି ଦାରିଦ୍ର୍ୟରେ ରାଜ୍ୟର ଏକ ନମ୍ବର ମାନ୍ୟତା ପାଇଛି ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ତେଣୁ ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ରହିଥିବା ମତ ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନବରଙ୍ଗପୁରକୁ ଜିଲ୍ଲା ମାନ୍ୟତା ଦେଇଥିଲେ। ଲକ୍ଷ୍ୟ ଥିଲା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଆଦି ପ୍ରତି ଗାଁରେ ପହଞ୍ଚାଇବା। ୩୦ବର୍ଷ ମଧ୍ୟରେ ଶାସନ କ୍ଷମତା ବଦଳିଛି ଏବଂ ନେତା ମଧ୍ୟ ବଦଳିଛନ୍ତି। ବିକାଶ ଲୋଭରେ ଜିଲ୍ଲାବାସୀ ଜନତା ଦଳ, ବିଜୁ ଜନତା ଦଳ ଏବଂ କଂଗ୍ରେସକୁ କ୍ଷମତା ଗାଦିରେ ମଧ୍ୟ ବସାଇ ସାରିଛନ୍ତି। ଭୋଟ ପାଇ ନେତା ପ୍ରଭାବଶାଳୀ ମନ୍ତ୍ରୀ ମଧ୍ୟ ହେଲେ। ଏହା ସତ୍ତ୍ବେ ଆଶନୁଯାୟୀ ଜିଲ୍ଲାର ଚିତ୍ର ବଦଳି ନଥିବା ଦେଖିବାକୁ ମିଳିଛି।
ପଡ଼ୋଶୀ କଳାହାଣ୍ଡି ଓ କରୋପୁଟ ଜିଲ୍ଲା ସହିତ ତୁଳନା କଲେ ନବରଙ୍ଗପୁର ଜିଲ୍ଲା ଅନେକ କ୍ଷେତ୍ରରେ ଅନୁନ୍ନତ ହୋଇ ରହିଛି। ରେଳପଥ ପାଇଁ ଘୋଷଣା ହୋଇ ସାରିଥିଲେ ବି ଏପର୍ଯ୍ୟନ୍ତ ଟ୍ରେନ୍ ଦେଖିପାରିଲେ ନାହିଁ ଜିଲ୍ଲାବାସୀ। ବିଶ୍ବବିଦ୍ୟାଳୟ ଦୂରର କଥା ନବରଙ୍ଗପୁର ସହରରେ ଥିବା ମଡେଲ ଡିଗ୍ରି କଲେଜକୁ ଛାଡିଦେଲେ ଜିଲ୍ଲାରେ ଗୋଟିଏ ବି ସରକାରୀ କଲେଜ ନାହିଁ। ଅଧା ବ୍ଲକ୍ରେ ସ୍ନାତକ ପଢ଼ିବା ପାଇଁ ମଧ୍ୟ କଲେଜ ନାହିଁ। ନବରଙ୍ଗପୁର ମହାବିଦ୍ୟାଳୟ ସ୍ଥାପିତ ହୋଇ ୫୦ବର୍ଷ ହୋଇ ସାରିଥିଲେ ସୁଦ୍ଧା ସରକାରୀ ମାନ୍ୟତା ପାଇଲା ନାହିଁ। ଏପରିକି ଏହି କଲେଜରେ ପିଜି ପାଠ୍ୟକ୍ରମ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି। ତେଣୁ ଉଚ୍ଚଶିକ୍ଷା ପାଇଁ ଏଠାକାର ପିଲାଙ୍କୁ ଅନ୍ୟ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁଛି। ରୁଷା ଅନୁଦାନରେ ସରକାରୀ ଇଞ୍ଜିନିୟରିଂ କଲେଜ ନିମନ୍ତେ ଜାଗା ଚିହ୍ନଟ ହୋଇ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ଯାଇଥିଲା। ୮ବର୍ଷ ହେଲା ନାଲିଫିତା ତଳେ ଦବି ରହିଛି ସେହି ଫାଇଲ।
ସରକାର ୩୫ପ୍ରତିଶତ ଚାଷ ଜମିକୁ ଜଳସେଚିତ କରିବେ ବୋଲି ଘୋଷଣା କରି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଧ୍ୟାନ ଦେଉନାହାନ୍ତି। ଦେଶର ଗୋଟିଏ ମାତ୍ର ପ୍ରକଳ୍ପ ହେଲା ଇନ୍ଦ୍ରାବତୀ ଜଳଭଣ୍ଡାର, ଯେଉଁ ପ୍ରକଳ୍ପର ତଳମୁଣ୍ଡକୁ ପାଣି ପହଞ୍ଚି ପାରୁନି। ରାଜ୍ୟ ସରକାର ଯେଉଁ କିଛି ଜଳସେଚନ ପ୍ରକଳ୍ପ କରିବାକୁ ପରିକଳ୍ପନା କରିଛନ୍ତି ତାହା ଡିପିଆର ମଧ୍ୟରେ ସୀମିତ। ସ୍ବାସ୍ଥ୍ୟ ସେବା କଥା ନ କହିଲେ ଭଲ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରିଫେରାଲ ଡାକ୍ତରଖାନା ପାଲଟିଛି। କଳ କାରଖାନା ସ୍ବପ୍ନ ନେତା ଦେଖାଉଛନ୍ତି, ପରବର୍ତ୍ତୀ ସମୟରେ ତାହା କେବଳ ପ୍ରସ୍ତାବରେ ରହୁଛି। ୧୯୯୦ ମସିହାରେ ଚିନି କାରାଖାନା ପାଇଁ ସହର ଉପକଣ୍ଠରେ ଥିବା ହିର୍ଲି ଅଞ୍ଚଳରେ ଘରୋଇ ଓ ସରକାରୀ ଜମି ମିଶାଇ ପ୍ରାୟ ୨୦୦ ଏକର ଜମି ଅଧିଗ୍ରହଣ ହୋଇଥିଲା। ଜମି ଅଧିଗ୍ରହଣ ହୋଇ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ କାରଖାନା ପ୍ରତିଷ୍ଠା ଦିଗରେ ଆଉ କୌଣସି ପ୍ରକାର ପଦକ୍ଷେପ ନିଆଯାଇନି। କୋଷାଗୁମୁଡା ଓ ପାପଡାହାଣ୍ଡି ଠାରେ ପ୍ରସ୍ତାବିତ ମକା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ହୋଇପାରିନି। କେନ୍ଦ୍ର ସରକାର ଉମରକୋଟରେ ମକା ଇନ୍ଧନ କାରାଖାନା ଘୋଷଣା କରି ଭୁଲି ଯାଇଥିବା ଭଳି ମନେ ହେଉଛି।
ଜିଲ୍ଲାରେ ଶିଳ୍ପ ଅଭାବ ଏବଂ ଚାଷ ଜମିକୁ ଜଳସେଚନ ସୁବିଧା ନଥିବାରୁ ଏହି ଅଞ୍ଚଳର ଯୁବ ଗୋଷ୍ଠୀ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ଯାହାକି କରୋନାର ପ୍ରଥମ ଲହରୀ ସମୟରେ ଫେରିଥିବା ଦାଦନ ସଂଖ୍ୟାରୁ ସ୍ପଷ୍ଟ ହୋଇଥିଲା। ଜିଲ୍ଲାରେ ପ୍ରାୟ ୧୫ଲକ୍ଷ ଲୋକେ ବସବାସ କରୁଥିବା ବେଳେ ଉମରକୋଟ ଉପରେ ନିର୍ଭର କରୁଥିବା ୫ଟି ବ୍ଲକ୍କୁ ନେଇ ଉମରକୋଟ ସବ୍ଡିଭିଜିନ୍ ପାଇଁ ବହୁ ବର୍ଷ ହେବ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ହୋଇପାରୁନି। ପଡ଼ୋଶୀ କଳାହାଣ୍ଡି ଓ କୋରାପୁଟ ଜିଲ୍ଲାକୁ ଦେଖିଲେ ଏ ସମସ୍ତ କ୍ଷେତ୍ରରେ ବହୁତ ଆଗରେ ରହିଛନ୍ତି। ତେଣୁ ପ୍ରତିଶ୍ରୁତି କେବେ ପୂରଣ ହେବ ବୋଲି ଜିଲ୍ଲାବାସୀ ପ୍ରଶ୍ନ ଉଠାଇଛନ୍ତି।