ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଦିନର ଗଣତିରେ ୧୦ ଜୋନରୁ ୯ଟିରେ ବିଜେଡି ବିଜୟୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରଥମ ଦିନର ଗଣତି ରେ ନବରଙ୍ଗପୁର ଜିଲ୍ଳାର ୧୦ ଟି ବ୍ଲକର ୧୦ ଟି ଜିଲ୍ଲା ପରିଷଦ ଜୋନ୍, ୭୨ଟି ପଞ୍ଚାୟତର ୭୦ଟି ସରପଞ୍ଚ ଓ ୭୦ ସମିତିସଭ୍ୟ ପଦବି ପାଇଁ ଭୋଟ ଗଣତି ହୋଇଥିଲା। ପ୍ରଥମ ଦିନର ଗଣତିରେ ମୋଟ ୧୦ ଗୋଟି ଜିଲ୍ଲା ପରିଷଦ ଜୋନରୁ ୯ଟି ରେ ବିଜେଡି ବିଜୟୀ ହୋଇଥିବା ବେଳେ କେବଳ ନନ୍ଦାହାଣ୍ଡି ବ୍ଲକରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନନ୍ଦାହାଣ୍ଡି ସ୍ବାଧୀନ ପ୍ରାର୍ଥୀ ଦିବ୍ୟଦାନ ସୂନା ବିଜେଡିର ଜିଲ୍ଲା ଉପସଭାପତି ରହିଥିଲେ। ସେ ବିଜେଡିର ଟିକେଟ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ବିଜେଡି ଟିକେଟ୍ ନଦେବା ଫଳରେ ସେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଦିବ୍ୟଙ୍କୁ ବିଜେଡିରୁ ନିଳମ୍ବିତ କରାଯାଇଥିଲା। ଶେଷରେ ସେ ହିଁ ବିଜୟୀ ହୋଇଥିଲେ ।
ପ୍ରଥମ ଦିନର ମିଳିଥିବା ଫଳାଫଳରେ ନବରଙ୍ଗପୁର ବ୍ଲକରେ ବିଜେଡି ୧୩୦୬୯ ଭୋଟ ନେଇଥିବା ବେଳେ ବିଜେପି ୬୯୪୧ ଓ କଂଗ୍ରେସ ୧୭୨୨ ଭୋଟ ମିଳିଥିଲା । ନବରଙ୍ଗପୁର ବ୍ଲକର ଜୋନ୍ ୧ର ବିଜେଡି ର ଜିଲ୍ଲାପରିଷଦ ପ୍ରାର୍ଥିନୀ ଜୟମଣି ସମରଥ ତାଙ୍କ ନିକତମ ପ୍ରତିଦ୍ବନ୍ଦି ବିଜେପିର ପ୍ରାର୍ଥିନୀ ପଦ୍ମିନୀ ପୂଜାରୀଙ୍କ ଠାରୁ ୬୧୨୮ ଭୋଟ ରେ ବିଜୟୀ ହୋଇଛନ୍ତି ।

ସେହିପରି ଭାବେ ପାପଡାହାଣ୍ଡି ବ୍ଲକରେ ବିଜେଡି ୧୧୫୯୮ ଭୋଟ , କଂଗ୍ରେସ ୭୦୭୪ ଓ ବିଜେପି ୩୯୬୭ ଭୋଟ ପାଇଛନ୍ତି। ପାପଡାହାଣ୍ଡି ବ୍ଲକ ଜୋନ୍ ନଂ ୧ର ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ଯଶୋବନ୍ତ ନାୟକ ତାଙ୍କ ନିକତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ପ୍ରାର୍ଥୀ ଉଁଆସୁ ମାଝୀଙ୍କଠାରୁ ୪୫୨୪ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଝରିଗାଁ ବ୍ଲକରେ ବିଜେଡି ୧୩୭୪୯, ବିଜେପି ୪୬୦୬ ଓ କଂଗ୍ରେସ ୧୧୭୮୨ ଭୋଟ ପାଇଛନ୍ତି। ଝରିଗାଁ ବ୍ଲକ ୧ ନଂ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥିନୀ ଜମୁନାବ ଗଣ୍ଡ କଂଗ୍ରେସର ହାରାବତୀ ଗଣ୍ଡଙ୍କଠାରୁ ୧୯୬୭ ଅଧିକା ଭୋଟ ପାଇ ବିଜୟୀ ହୋଇଛନ୍ତି । କୋଷାଗୁମୁଡା ବ୍ଲକରେ ବିଜେଡି ୧୨୨୦୭, କଂଗ୍ରେସ ୧୦୧୭୯ ଓ ବିଜେପିକୁ ୬୮୧୫ ଭୋଟ ମିଳିଛି। କୋଷାଗୁମୁଡାର ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ରାମବତୀ ପୂଜାରୀ  କଂଗ୍ରେସ ପ୍ରାର୍ଥୀ କନକ ପୂଜାରୀଙ୍କ ଠାରୁ ୨୦୨୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ନନ୍ଦାହାଣ୍ଡି ବ୍ଲକରେ ବିଜେଡି ୪୨୧୬, ବିଜେପି ୨୫୯୮, କଂଗ୍ରେସ ୩୩୮୪ ଓ ସ୍ବାଧୀନ ପ୍ରାର୍ଥୀ ୫୧୧୬ ଭୋଟ ମିଳିଛି। ନନ୍ଦାହାଣ୍ଡି ବ୍ଲକ ଜୋନ୍ ୧ ସ୍ବାଧୀନ ଜିଲ୍ଲାପରିଷଦ ପ୍ରାର୍ଥୀ ଦିବ୍ୟଦାନ ସୂନା  ବିଜେଡିର ପ୍ରାର୍ଥୀ ନାରାୟଣ ରଥଙ୍କ ଠାରୁ ୯୦୦ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଡାବୁଗାଁ ବ୍ଲକରେ ବିଜେଡି ୧୦୫୬୧ , କଂଗ୍ରେସ ୭୧୦୨ ଓ ବିଜେପି ୨୩୮୯ ଭୋଟ ମିଳିଛି। ଡାବୁଗାଁ ବିଜେଡି ର ଜିଲ୍ଲାପରିଷଦ ପ୍ରାର୍ଥୀ ଧନସିଂ ଭତ୍ରା  କଂଗ୍ରେସର ପ୍ରାର୍ଥୀ କମୁଳୁ ଭତ୍ରାଙ୍କ ଠାରୁ ୩୪୫୯ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଉମରକୋଟ ବ୍ଲକରେ ବିଜେଡି ୧୨୪୫୪, ବିଜେପି ୮୪୭୭, କଂଗ୍ରେସ ୬୬୧୦ ଭୋଟ ପାଇଛି। ଉମରକୋଟ ବ୍ଲକ ଜୋନ୍ ୧ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ଚନ୍ଦନ ରାୟ ତାଙ୍କ ବିଜେପି ପ୍ରାର୍ଥୀ ବିଶ୍ବନାଥ ବିଶ୍ବାସଙ୍କ ଠାରୁ ୩୯୭୭ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ଚନ୍ଦାହାଣ୍ଡି ବ୍ଲକ ବିଜେଡି ୧୦୨୮୩, କଂଗ୍ରେସ ୧୧୯୬, ବିଜେପି ୭୫୯୭ ଭୋଟ ମିଳିଛି । ଚନ୍ଦାହାଣ୍ଡି ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥିନୀ ବର୍ଷାରାଣୀ ପଟେଲ  ବିଜେପିର ପ୍ରାର୍ଥିନୀ ହେମଲତା ବାଘଙ୍କ ଠାରୁ ୨୬୮୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକର ବିଜେଡି ୧୦୧୬୭, ବିଜେପି ୭୨୪୯ ଓ କଂଗ୍ରେସ ୭୧୩୪ ଖଣ୍ଡ ଭୋଟ ପାଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ୧ ନଂ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥିନୀ କ୍ରୀଷ୍ଣା ମଞ୍ଜରୀ ବିଷୋୟୀ  ବିଜେପିର ପ୍ରାର୍ଥିନୀ ବିମ୍ରତା ବିଷୋୟୀଙ୍କ ଠାରୁ ୨୯୧୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ଜୋନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ ବ୍ୟବଧାନ ମାତ୍ର ୧୧୫ ରହିଛି। ରାଇଘର ବ୍ଲକରେ ବିଜେଡି ୯୩୮୮, ବିଜେପି ୮୧୦୭ , କଂଗ୍ରେସ ୧୦୭୫ ଓ ସ୍ବାଧୀନ ପ୍ରାର୍ଥୀ ୧୪୭୯ ଭୋଟ ମିଳିଛି। ରାଇଘର ବ୍ଲକ ୧ ନଂ ବିଜେଡିର ଜିଲ୍ଲାପରିଷଦ ପ୍ରାର୍ଥୀ ଯତିନ୍ଦ୍ର ଗଣ୍ଡ  ବିଜେପିର ପ୍ରାର୍ଥୀ ମହେଶ ଗଣ୍ଡଙ୍କଠାରୁ ୧୨୮୧ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର