ନବରଙ୍ଗପୁର : ଭିଜିଲାନସ୍ ପଞ୍ଝାରେ ପଡ଼ିଲେ ନବରଙ୍ଗପୁର ଆର୍ଟିଓ। ଆୟ ବହିର୍ଭୂତ ମାମଲାରେ ଭିଜିଲାନସ ପକ୍ଷରୁ ଆଜି ନବରଂଗପୁର ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ବର କହଁରଙ୍କ ଅଫିସ ସମେତ ଭଡ଼ା ଘରକୁ ମିଶାଇ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିବାବେଳେ ୧କୋଟି ୫୦ ଲକ୍ଷ ୬୩ ହଜାର ୩୨୮ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରାଯାଇଛି। ସଂଧ୍ୟାରେ ରାଜ୍ୟ ଭିଜିଲାନସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆର୍ଟିଓଙ୍କ ଭୁବନେଶ୍ବରସ୍ଥିତ ଖାରବେଳନଗର ଫ୍ଲାଟ୍ର ମୂଲ୍ୟ ୩୬ ଲକ୍ଷ ୭୫ ହଜାର ଟଙ୍କାର ଆକଳନ କରାଯାଇଥିବା ବେଳେ ଫୁଲବାଣୀସ୍ଥିତ ଦ୍ବିତଳ ମାର୍କେଟ କଂପ୍ଲେକ୍ସର ମୂଲ୍ୟ ୩୬ ଲକ୍ଷ ୭୦ ହଜାର, ଫୁଲବାଣୀରେ ନିର୍ମାଣାଧୀନ କୋଠାର ମୂଲ୍ୟ ୨୬ ଲକ୍ଷ ୮୬ ହଜାର, ଫୁଲବାଣୀସ୍ଥିତ ଅନ୍ୟ ଏକ ଘରର ମୂଲ୍ୟ ୨୬ ଲକ୍ଷ ୯୫ ହଜାର, ବ୍ୟାଙ୍କ ଡିପୋଜିଟ୍ ୧୪ ଲକ୍ଷ ୧୯ ହଜାର, ଏକ ଲକ୍ଷ ୪୧ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଓ ୭ ଲକ୍ଷ ୭୫ ହଜାର ନଗଦ ଟଙ୍କା ରହିଥିବା ଜଣାଯାଇଛି। ଏ ନେଇ ଭିଜିଲାନସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।
ଆର୍ଟିଓ ଗଣେଶ୍ବର କହଁରଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ମୈତ୍ରୀ ବିହାରସ୍ଥିତ ଭଡ଼ା ଘର, ଅଫିସ ସମେତ କନ୍ଧମାଳର ପଦ୍ମନାଭ ପେଟ୍ରୋଲ ପମ୍ପ ନିକଟସ୍ଥ ୨ ମହଲା କୋଠା, ଗଜପତି ଜିଲ୍ଲାରେ ଆରଟିଓ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଗଜପତି ଜିଲ୍ଲା ବଡ଼ତୁଣ୍ଡି ଗ୍ରାମର ନିରଂଜନ କାର୍ଜୀଙ୍କ ବାସଭବନ ଓ ଭୁବନେଶ୍ବରସ୍ଥିତ କଲରହଙ୍ଗା ଅଂଚଳରେ ଥିବା ଆଦିତ୍ୟ ଆଲିଜେନ୍ସ ଘର ଉପରେ ଚଢ଼ଉ କରାଯାଇଛି।
ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଳମ୍ବିତ ଡାଟାଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନ ଚାକିରିକୁ ନିୟମିତ କରିବା ପାଇଁ ଆରଟିଓ ତାଙ୍କଠାରୁ କୁଆଡେ ପ୍ରାୟ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଏବଂ ସେ ଉକ୍ତ ଟଙ୍କା ମାଗିବା ପାଇଁ ଯିବାର ଏକ ଭିଡିଓ ଗତ ମାସ ୨୧ ତାରିଖରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଗତ ୨୨ ତାରିଖ ଦିନ ଲକ୍ଷ୍ମୀନାଥଙ୍କୁ ବିଭିନ୍ନ ମହଲରୁ ଧମକ ଚମକ ମିଳୁଥିବାରୁ ସୁରକ୍ଷା ଯୋଗାଇଦେବା ଓ ତଦନ୍ତ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ସେ ଦେଇଥିବା ଏତଲାକୁ ଆଧାର କରି ନବରଙ୍ଗପୁର ଥାନାରେ ମାମଲା ରୁଜୁ ହୋଇଥିଲା।
ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ : କୁଚିଣ୍ଡା ନିର୍ବାହୀ ଅଧିକାରୀଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ଚଢ଼ଉ
ସମ୍ବଲପୁର : ଆୟବହିର୍ଭୁତ ସଂପତ୍ତି ରଖିବା ଅଭିଯୋଗରେ କୁଚିଣ୍ଡା ଏନ୍ଏସିର ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍, ସମ୍ବଲପୁରଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଏସ୍ପି ସମ୍ବଲପୁରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ସକାଳୁ ୬ଟି ଟିମ୍ ସମାନ୍ତରାଳଭାବେ ୬ଟି ସ୍ଥାନରେ ଚଢ଼ଉ କରିଥିଲା। ଏଥିରୁ ଶ୍ରୀ ମହାପାତ୍ରଙ୍କର ୧ କୋଟି ୧୧ ଲକ୍ଷ ୫୫ ହଜାର ୮୯୮ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଥିବା ଜଣା ପଡ଼ିଛି। ତହିଁରୁ ପ୍ରାୟ ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଆୟବହିର୍ଭୁତ ବୋଲି ଭିଜିଲାନ୍ସ ଏସ୍ପି ସୁବାସ ସ୍ବାଇଁ ସୂଚନା ଦେଇଛନ୍ତି। କୁଚିଣ୍ଡା ଏନ୍ଏସି କାର୍ଯ୍ୟାଳୟ ଯାଇଥିବା ଭିଜିଲାନ୍ସ ଦଳ ଶ୍ରୀ ମହାପାତ୍ରଙ୍କ ଦରମା ସାର୍ଟିଫିକେଟ୍ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିଥିଲେ।ତେବେ ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟାରେ ଆୟବହିର୍ଭୁତ ସମ୍ପତ୍ତି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। କେହି ଅଭିଯୋଗ କରିଥିବାରୁ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ଉ କରାଯାଇଛି ଓ ସେ ଏଥିରେ ସହଯୋଗ କରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି।