୨୦୧୯ ମାର୍ଚ ପୂର୍ବରୁ ୪ଟି ଜଳସେଚନ ପ୍ରକଳ୍ପ ଆରମ୍ଭ କର

ନବରଙ୍ଗପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ଆଜି ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ଜଳସେଚନ ସୁବିଧାର ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଏହି ୨ଟି ଜିଲ୍ଲାରେ ଅଧିକ ସଂଖ୍ୟକ କ୍ଷୁଦ୍ର, ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୦୧୯ ମାର୍ଚ ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ୪ଟି ବୃହତ୍‌ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଯେପରି କାର୍ଯ୍ୟାରମ୍ଭ କରିପାରିବ ସେ ନେଇ ସେ ନିର୍ଦେଶ ଦେଇଛନ୍ତିି।

ନବରଙ୍ଗପୁର ଜିଲ୍ଲା ନିମନ୍ତେ ସେହି ବୃହତ୍‌ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡ଼ିକ ହେଉଛି ଟୁରି, ଗୁନତାଟ, ନବରଙ୍ଗପୁର ବ୍ୟାରେଜ୍‌, ତେଲ୍‌ ସମନ୍ଵିତ ପ୍ରକଳ୍ପ ଏବଂ ଲୋୟର ଭାସ୍‌କେଲ୍‌ ପ୍ରକଳ୍ପ। ଆଜି ସଚିବାଳୟରେ ଜଳସେଚନ ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେହି ପ୍ରକଳ୍ପଗୁଡ଼ିକ କଥା କହିଥିଲେ। ସେହିପରି ଜିଲ୍ଲାରେ ନିର୍ମାଣାଧୀନ ୧୧ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୨୦୧୯ ମାର୍ଚ ସୁଦ୍ଧା ସାରିବାକୁ ନିର୍ଦେଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଅଧିକ ଗଭୀର ନଳକୂପ ଖୋଳିବା ସହିତ ବିଦ୍ୟୁତ୍‌ ସଂଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଅଧିକ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଜିଲ୍ଲାରେ ୨୦୦ଟି ଆଡ଼ିବନ୍ଧ ନିର୍ମାଣ ସରିଛି। ୪୧୫ କୋଟି ଟଙ୍କା ବ୍ୟୟରେ ୭ଟି ନୂଆ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ସର୍ଭେ ଶେଷ ହୋଇଥିବା ସୂଚନା ମିଳିଛି।

ମାଲକାନଗିରି ଜିଲ୍ଲାରେ ୮ଟି ନୂଆ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। ଜିଲ୍ଲାର ସମସ୍ତ ଅଚଳ ଉଠା ଜଳସେଚନ ପଏଣ୍ଟକୁ ସଚଳ କରାଯିବ। ସତୀଗୁଡ଼ା ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ବୈଠକରେ ଅନୁସୂଚିତ ଜାତି ଜନଜାତି ବିକାଶ ମନ୍ତ୍ରୀ ରମେଶ ମାଝୀ, ସାଂସଦ ବଳଭଦ୍ର ମାଝୀ, ବିଧାୟକ ମନୋହର ରନ୍ଧାରୀ, ମାନସ ମାଡ଼କାମି, ସୁବାସ ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର