ପ୍ରଦୀପ ହାତ ଛାଡ଼ିବାପରେ କଂଗ୍ରେସ ଧରାଶାୟୀ

ନବରଙ୍ଗପୁରରେ ବିଜେପି ମୂଳପୋଛ

ନବରଙ୍ଗପୁର : ପଞ୍ଚାୟତ ନିର୍ବାଚନ ପୂର୍ବର ଆକଳନ ଏବଂ ସମ୍ଭାବନାକୁ ଭୁଲ୍‌ ପ୍ରମାଣ କରି ନବରଙ୍ଗପୁର ଜିଲ୍ଲାରେ ଅଧିକ ଶକ୍ତିଶାଳୀ କ୍ଷମତାକୁ ଆସିଲା ବିଜେଡି। ଦଳ ଅତିକମ୍‌ରେ ୨୨ ଆସନ ପାଇବ ବୋଲି ଅନୁମାନ ଲଗାଇଥିଲା। କିନ୍ତୁ ଶେଷ ଖବର ସୁଦ୍ଧା ଅଧିକ ଦୁଇଟି ଜୋନ୍‌ ଅର୍ଥାତ ୨୪ଟି ଆସନ ପାଇଥିବା ଜଣାପଡ଼ିଛି। ଅନ୍ୟପଟେ ବିଜେଡିର ଲହରରେ ମୂଳପୋଛ ହୋଇଯାଇଛି ବିଜେପି। କଂଗ୍ରେସ ଅବସ୍ଥା ବି ଆଦୌ ଭଲ ନୁହଁ।

ନିର୍ବାଚନ ପରବର୍ତ୍ତୀ ବିଶ୍ଳେଷଣରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ସବୁଠାରୁ ବଡ଼ କାରଣ କୁହାଯାଉଛି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା। ପ୍ରଦୀପ ନିର୍ବାଚନର କିଛି ମାସ ପୂର୍ବରୁ ବିଜେଡିରେ ଯୋଗଦେବା କଂଗ୍ରେସ ପାଇଁ ନେତୃତ୍ବ ସଂକଟ ସୃଷ୍ଟି କରିଥିଲା। ତଥାପି କୌଣସି ପ୍ରଭାବ ପଡ଼ିବ ନାହିଁ କଂଗ୍ରେସ ନେତୃମଣ୍ଡଳୀ କହିବା ସହ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ। ଦଳର ଜାତୀୟସ୍ତରର ଯୁବ ଚେହେରା କହ୍ନେୟା କୁମାର ଓ ଜିଗ୍ନେଶ ମେୱାନୀଙ୍କ ଜନସଭାର ଆୟୋଜନ କରି ଦଳ ସଂଗଠିତ ଥିବା ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ, ନିର୍ବାଚନ ଫଳାଫଳ ଦଳ ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ଗତ ନିର୍ବାଚନରେ ଦଳ ୮ଟି ଜୋନ୍‌ରେ ବିଜୟୀ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲା। କିନ୍ତୁ ୫ବର୍ଷ ମଧ୍ୟରେ ଦଳର ସଂଗଠନ ବଢ଼ିବା ବଦଳରେ ଛିଣ୍ଡିଥିବା ଦେଖିବାକୁ ମିଳିଛି।

ପ୍ରଦୀପ ମାଝୀ ବିଜେଡିର ହାତ ଧରିବା ବିଜେଡି ପାଇଁ ଲାଭ ହୋଇଛି। କଂଗ୍ରେସର ଗଡ଼କୁ ବିଜେଡି ଦଖଲ କରିବାରେ ସଫଳ ହୋଇଥିବା ବେଳେ ବିଜେପିର ଗଡ଼ ରାଇଘର ଏବଂ ଉମରକୋଟ ବ୍ଲକ୍‌ରେ ବି ବିଜେଡି ପ୍ରଭାବ ବିସ୍ତାର କରିଛି। ପ୍ରଦୀପଙ୍କ ସହ କଂଗ୍ରେସ ଛାଡ଼ିଥିବା ଶତାଧିକ କର୍ମୀ ଫଳାଫଳ ପରିବର୍ତ୍ତନରେ ପ୍ରମୁଖ ତଥା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା କୁହାଯାଉଛି। ପ୍ରଦୀପଙ୍କ ଅନୁପସ୍ଥିତିରେ କଂଗ୍ରେସର ଅବସ୍ଥାକୁ ନେଇ ଯେଉଁ ଆଶଙ୍କା କରାଯାଉଥିବା ତାହା ମଧ୍ୟ ପ୍ରମାଣିତ ହୋଇଗଲା।

ଏହି ନିର୍ବାଚନରେ ସବୁଠାରୁ ଅଧିକ କ୍ଷତିର ସମ୍ମୁଖୀନ ହୋଇଛି ବିଜେପି। ଗତଥର ରାଇଘର ବ୍ଲକ୍‌ରେ ଦଳ ଅପ୍ରତ୍ୟାଶିତ ପ୍ରଦର୍ଶନ କରିଥିଲା। ବ୍ଲକ୍‌ର ଚାରୋଟି ଯାକ ଜୋନ୍‌କୁ ଦଖଲ କରି ଶକ୍ତି ପ୍ରଦର୍ଶନ କରିଥିଲା। ଉମରକୋଟ ବ୍ଲକ୍‌ର ଗୋଟିଏ ଜୋନ୍‌କୁ ଅକ୍ତିଆର କରିଥିଲା। ଯାହାର ପ୍ରଭାବ ବିଧାନସଭା ନିର୍ବାଚନ ଉପରେ ସିଧାସଳଖ ପଡ଼ିଥିଲା। ହେଲେ ୫ବର୍ଷ ଭିତରେ ଦଳ ଅଧିକ ସଂଗଠିତ ହେବା ବଦଳରେ ଶକ୍ତିହୀନ ହୋଇଯାଇଛି।

ସମ୍ବନ୍ଧିତ ଖବର