ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଜଳବନ୍ଦୀ ଅଞ୍ଚଳରେ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ଇନ୍ଦ୍ରାବତୀ ଜଳଭଣ୍ଡାର ଆରପଟେ ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିଣିକୋଟ, ବାଗରା, ଗୁରୁମାଇଗୁଡ଼ା, ଡଳଙ୍ଗ, ଝଲାଗୁଡ଼ା, କେନ୍ଦୁଗୁଡ଼ା ଓ ଢ଼େପଗୁଡ଼ା ଆଦି ୭ଟି ଗ୍ରାମ ରହିଛି। ଜଳଭଣ୍ଡାର ଆରପଟେ ଥିବା ଏହି ୭ଟି ଗ୍ରାମର ଭୋଟରଙ୍କ ପାଇଁ ବାଗରା ଠାରେ ଏକ ଅସ୍ଥାୟୀ ବୁଥ୍ ନିର୍ମାଣ କରାଯାଇଥିଲା। ବାଗରା ଠାରେ କୌଣସି ସ୍କୁଲ ଘର ନଥିବା ଏବଂ ବାଗରା ଗ୍ରାମ ଏହି ୭ଟି ଗ୍ରାମର କେନ୍ଦ୍ରସ୍ଥଳୀ ହୋଇଥିବାରୁ ବାଗରା ଠାରେ ବୁଥ୍ କରାଯାଇ ଆସୁଛି।

Advertisment

publive-image

ଗତକାଲି ପୋଲିଂ କର୍ମଚାରୀ ମାନେ ଡଙ୍ଗା ମାଧ୍ୟମରେ ଜଳଭଣ୍ଡାର ପାର ହୋଇ ବାଗରା ଠାରେ ପହଞ୍ଚିଥିଲେ। ସେଠାରେ ଲୋକଙ୍କ ସହ‌ଯୋଗରେ ଏକ ଅସ୍ଥାୟୀ ବୁଥ୍ ନିର୍ମାଣ କରାଯାଇଥିଲା। ସେହି ବୁଥରେ ଭୋଟ ଦାନ ପାଇଁ ଦୂରଦୂରାନ୍ତରର ଭୋଟର ମାନେ ଆସି ଭୋଟ ଦେଇଥିଲେ। ଭୋଟ ଦେବା ପାଇଁ ଭୋଟର ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ବୁଥରେ ୨୯୪ ଜଣ ଭୋଟର ଥିବା ବେଳେ ୨୨୩ ଜଣ ମତଦାନ କରିଥିଲେ। ସେଥିମଧ୍ୟରୁ ପୁରୁଷ ୧୦୬ ଜଣ ରହିଥିବା ବେଳେ ମହିଳା ଭୋଟର ୧୧୭ ଜଣ ରହିଥିଲେ। ଯାହାକି ୭୫ ପ୍ରତିଶତ ମତଦାନ ହୋଇଥିଲା‌। ମତଦାନ ସରିବା ପରେ ପୋଲିଂ କର୍ମଚାରୀଙ୍କୁ ଜଳବନ୍ଦୀ ଅଞ୍ଚଳବାସୀଙ୍କ ସହାୟତାରେ ଡଙ୍ଗା ମାଧ୍ୟମରେ ଜଳଭଣ୍ଡାର ପାର କରି ଭୋଟ ବାକ୍ସ ନେଇ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ।