ନବରଙ୍ଗପୁର: ଗାଁରେ କାମ ମିଳୁନି। ଭିଟାମାଟି ଛାଡ଼ୁଛନ୍ତି ଗରିବ ପରିବାର। ମନରେଗା ଭଳି ଯୋଜନା ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ୟ ହାସଲ କରିପାରୁନି। ଜିଲ୍ଲାର ପ୍ରମୁଖ ତଥା ଜନବହୁଳ ବ୍ଲକ୍ରେ ସଫଳତା ହାର ୫୦ପ୍ରତିଶତରୁ ସାମାନ୍ୟ ଅଧିକ। ପ୍ରଶାସନିକ ବିଫଳତାର ଚିତ୍ର ବଖାଣୁଛି ସରକାରୀ ତଥ୍ୟ। ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାରେ ୬୪ଲକ୍ଷ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିଲା। କିନ୍ତୁ ବର୍ଷ ଶେଷ ସୁଦ୍ଧା ୫୨,୭୦,୦୬୫ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ଝରିଗାଁ ବ୍ଲକ୍ରେ ୮,୯୮,୬୯୪ ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିବା ବେଳେ ୪,୬୨,୧୧୬ ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ସେହିପରି ଉମରକୋଟ ବ୍ଲକ୍ରେ ୮,୦୨,୬୩୩ ଶ୍ରମ ଦିବସ ପାଇଁ ଲକ୍ଷ୍ୟ ରହିଥିବା ବେଳେ ୪,୧୬,୬୬୩ ଶ୍ରମ ଦିବସ ସୃଷ୍ଟି ହୋଇଛି। ରାଇଘର ବ୍ଲକ୍ରେ ୮,୦୩,୬୧୫ ଶ୍ରମ ଦିବସ ଲକ୍ଷ୍ୟ ରହିଥିଲା, ୪,୧୯,୦୦୬ ଶ୍ରମ ଦିବସ ସୃଷ୍ଟି ହୋଇଛି। ନବରଙ୍ଗପୁର ବ୍ଲକ୍ରେ ୪,୧୮,୧୭୧ ଶ୍ରମ ଦିବସ ଲକ୍ଷ୍ୟ ରହିଥିବା ବେଳେ ୨,୨୦,୧୪୯ ଶ୍ରମ ଦିବସ ସୃଷ୍ଟି ହୋଇଛି। ଅପରପକ୍ଷରେ ନନ୍ଦାହାଣ୍ଡି ବ୍ଲକ୍ରେ ୮୯.୩୯ ପ୍ରତିଶତ, କୋଷାଗୁମୁଡା ବ୍ଲକ୍ରେ ୬୭ ପ୍ରତିଶତ, ଚନ୍ଦାହାଣ୍ଡି ବ୍ଲକ୍ରେ ୯୮ ପ୍ରତିଶତ, ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ୧୨୭ ପ୍ରତିଶତ, ପାପଡ଼ାହାଣ୍ଡି ବ୍ଲକ୍ରେ ୧୩୫ ପ୍ରତିଶତ, ଡାବୁଗାଁ ବ୍ଲକ୍ରେ ୧୫୪ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି।
କିନ୍ତୁ ନବରଙ୍ଗପୁର, ଝରିଗାଁ, ରାଇଘର ଓ ଉମରକୋଟ ଭଳି ବଡ଼ ବ୍ଲକ୍ରେ ମାତ୍ର ୫୨ପ୍ରତିଶତ ସଫଳତା ମିଳିଛି। ଚନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ପାପଡ଼ାହାଣ୍ଡି ଓ ଡାବୁଗାଁ ଭଳି ବ୍ଲକ୍ରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇଥିବା କାରଣରୁ ମୋଟାମଟି ଭାବେ ଜିଲ୍ଲାରେ ୮୨.୩୪ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇପାରିଛି। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଜିଲ୍ଲାରେ ବର୍ଷା ହୋଇଥାଏ। ଏହି ସମୟରେ ହିଁ ସର୍ବାଧିକ ଶ୍ରମ ଦିବସ ସୃଷ୍ଟି ହୋଇଛି। ଫେବ୍ରୁଆରି ଏବଂ ମାର୍ଚ୍ଚ ମାସରେ ସର୍ବନିମ୍ନ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସରକାର ପ୍ରତି ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦେବାକୁ ବ୍ୟବସ୍ଥା କରିଛନ୍ତି। ଝରିଗାଁ ଓ ପାପଡ଼ାହାଣ୍ଡି ଭଳି ଉପାନ୍ତ ବ୍ଲକ୍ରେ ଦାଦନ ଚାଲାଣକୁ ରୋକିବା ପାଇଁ ୩୦୦ଦିନ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ନିୟମ ରହିଛି। ତଥାପି ଗତ ଆର୍ଥିକ ବର୍ଷରେ ଝରିଗାଁ ବ୍ଲକ୍ରେ ମନରେଗା ପ୍ରତି ଶ୍ରମିକ ଭରସା କରିପାରି ନାହାନ୍ତି। ସେହିପରି କିଛି ବ୍ଲକ୍ରେ ଯେଉଁ ହାରରେ ମେସିନ୍ ବ୍ୟବହାର ହେଉଛି ତାହାକୁ ଦେଖିଲେ ଶ୍ରମ ଦିବସର ସଂଖ୍ୟାକୁ ନେଇ ସନ୍ଦେହ ହେଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୧ କୋଟି ଶ୍ରମ ଦିବସ ସୃଷ୍ଟି କରି ଜିଲ୍ଲା ନୂଆ ରେକର୍ଡ ସୃଷ୍ଟି କରିଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ମଧ୍ୟ ସଦ୍ୟ ସମାପ୍ତ ଆର୍ଥିକବର୍ଷ ଠାରୁ ପ୍ରାୟ ୨୨ଲକ୍ଷ ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/14/9UDfUy8BeO3E3poTZCiH.jpg)