ନବରଙ୍ଗପୁର ଜିଲ୍ଲାକୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ କୋଟା, ପକ୍କା ଘର ଅପେକ୍ଷାରେ ୫୩ ହଜାର ହିତାଧିକାରୀ

ନବରଙ୍ଗପୁର : ଦୁଇ ବର୍ଷ ହେଲା ନବରଙ୍ଗପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୋଟା ମିଳୁନି। ତେଣୁ ପକ୍କା ଘରେ ରହିବା ପାଇଁ ଅପେକ୍ଷାରେ ରହିଛନ୍ତି ୫୦ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ। କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବନ୍ଧିତ ପୋର୍ଟାଲ ବନ୍ଦ ହୋଇଯିବାରୁ ହିତାଧିକାରୀ ଚିହ୍ନଟ ସତ୍ତ୍ବେ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରୁନଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାର ବି ଏକା ଅବସ୍ଥା। ଯାହାଫଳରେ ଭଙ୍ଗା କୁଡ଼ିଆରେ ଜିଲ୍ଲାର ହଜାର ହଜାର ପରିବାର ଏବେ ବି ମୁଣ୍ଡ ଗୁଞ୍ଜିବାକୁ ବଧ୍ୟ ହୋଇଛନ୍ତି।

କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଗୋଟିଏ ବି ପରିବାର ଚାଳ ଛପର ଘରେ ରହିବେ ନାହିଁ ବୋଲି ଘୋଷଣା କରିଥିଲେ। ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହି ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଛି। କାରଣ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ନବରଙ୍ଗପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ଟାର୍ଗେଟ ମିଳିନାହିଁ। ସରକାରୀ ତଥ୍ୟ ଅନୁସାରେ ୨୦୧୪ ମସିହା ଠାରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ୧ଲକ୍ଷ ୧୦ହଜାର ଜଣ ହିତାଧିକାରୀଙ୍କୁ ଜିଲ୍ଲାରେ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦିଆଯାଇଛି। ୨୦୧୧ ମସିହା ସାମାଜିକ ଓ ଅର୍ଥନୈତିକ ସର୍ଭେର ତାଲିକା ଅନୁସାରେ ହିତାଧିକାରୀଙ୍କୁ ଯୋଜନା ସାମିଲ କରାଯାଇଥିଲା। ସେହି ତାଲିକା ପୂରଣ ହୋଇଯିବା ପରେ ପୁନଃ ସର୍ଭେ ହୋଇ ନାହିଁ କିମ୍ବା ଯୋଜନାରେ ନୂଆ କୋଟା ଜିଲ୍ଲାକୁ ମିଳିନଥିବା ଜଣାପଡ଼ିଛି। ଅନ୍ୟପଟେ ଯେଉଁ ହିତାଧିକାରୀ କୌଣସି କାରଣରୁ ଯୋଜନାରୁ ବାଦ ପଡ଼ିଛନ୍ତି ସେମାନେ ପକ୍କା ଘର ପାଇଁ ଆବେଦନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଗଲା। ତେଣୁ ଜିଲ୍ଲାର ୮୩ ହଜାର ୪୦ ପରିବାର ପକ୍କା ଘର ନିମନ୍ତେ ସାନି ଆବେଦନ କରିଥିଲେ। ନୂଆ ‌ଆବେଦନକୁ ଯାଞ୍ଚ କରିବା ପରେ ପ୍ରଶାସନ ପକ୍ଷରୁ ୨୯ହଜାର ୫ଶହ ପରିବାରକୁ ବାଦ ଦିଆଯାଇଥିଲା। ଏହାପରେ ଜିଲ୍ଲାର ୫୩ହଜାର ୫ଶହ ପରିବାର ଘର ପାଇବାକୁ ଯୋଗ୍ୟ ବୋଲି କୁହାଗଲା।

୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୮ଲକ୍ଷରୁ ଊର୍ଦ୍ଧ୍ବ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ପ୍ଲସ୍ ଯୋଜନାରେ ପ୍ରଦାନ କରିଛନ୍ତି। କିନ୍ତୁ ଏଥିରୁ ବି ଓଡ଼ିଶାର ୯ଟି ଜିଲ୍ଲାକୁ ବଞ୍ଚିତ କରାଯାଇଥିବା ବେଳେ ସେଥିରେ ନବରଙ୍ଗପୁର ଜିଲ୍ଲା ମଧ୍ୟ ରହିଛି। ପକ୍କା ଘର ପାଇବାରୁ ବଞ୍ଚିତ ହୋଇ ନବରଙ୍ଗପୁର ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଅନେକ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛନ୍ତି। ଏପରିକି ବହୁ ହିତାଧିକାରୀ ପକ୍କା ଘରକୁ ଅପେକ୍ଷା କରି ଇତି ମଧ୍ୟରେ ଆରପାରିକୁ ଚାଲିଗଲେଣି। ସେହିପରି ରାଜ୍ୟ ସରକାର ଗରିବ‌ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପ୍ରଥମେ ମୋ କୁଡିଆ ଯୋଜନା କରିଥିଲ। ପରବର୍ତ୍ତୀ ସମୟରେ ସେହି ଯୋଜନାକୁ ବିଜୁ ପକ୍କା ଘର ଯୋଜନା ବୋଲି ନାମକରଣ କରାଗଲା। ଏହି ଯୋଜନାର ସ୍ଥିତି ମଧ୍ୟ ନୈରାଶ୍ୟଜନକ। କାରଣ ଗତ ୩ବର୍ଷ ହେଲା ଏହି ଯୋଜନାରେ ନବରଙ୍ଗପୁର ଜିଲ୍ଲାର ଜଣେ ବି ହିତାଧିକାରୀ ଉପକୃତ ହୋଇନାହାନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ‌ସତ୍ତ୍ବେ ଝାଟିମାଟି ଘରର ଭାଗ୍ୟ ନ ବଦଳିବା ବିଡ଼ମ୍ବନା ବ୍ୟତୀତ ଆଉ କିଛି ନୁହଁ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର