ନବରଙ୍ଗପୁର: ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ୨୪ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଚାକିରିରୁ ବିଦା କରିଛନ୍ତି। ଅଭି‌ଯୋଗ ଅନୁଯାୟୀ, ଏହି ଶିକ୍ଷକମାନେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରନ୍ତି। ମାତ୍ର ୨୦୧୦ ମସିହାରୁ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। କିନ୍ତୁ ସେମାନେ ଦରମା ନେଉଛନ୍ତି।

Advertisment

ବିନା କାରଣ ଓ ବିନା ଛୁଟି ଦରଖାସ୍ତରେ ଏତେ ଦିନ ଧରି ସେମାନେ କାହିଁକି କାର୍ଯ୍ୟରେ ଯୋଗ ଦେଉ ନଥିଲେ, ସେନେଇ ଖୋଳତାଡ଼ ହୋଇଥିଲା। ଏହାପରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ  ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

publive-image

ଉକ୍ତ ନିର୍ଦେଶ ପ୍ରକାରେ ନବରଙ୍ଗପୁର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଦିର୍ଘ ଦିନ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ଠିକାଭିତ୍ତିକ କନିଷ୍ଠ ଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଗଣଶିକ୍ଷକଙ୍କ ସଂକ୍ରାନ୍ତରେ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ନଂ ୨୪୫୪ ତା.୨୦-୭-୨୦୨୨ ରେ ଚିଠି କରାଯାଇଥିଲା। ଏହି ଚିଠିକୁ ଆଧାର କରି ଅନୁପସ୍ଥିତ ଥିବା ଶିକ୍ଷକଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଶେଷରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାରେ ୩୧ ଜଣ ଶିକ୍ଷକଙ୍କ ବିରୋଧରେ ଅନୁପସ୍ଥିତି ନେଇ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟକୁ ଚିଠି ପଠାଇଥିଲେ। ସେଥିରେ ଚନ୍ଦାହାଣ୍ଡି ବ୍ଲକରେ ଜଣେ, ଡାବଗାଁ ବ୍ଲକରେ ୨ ଜଣ, ନନ୍ଦାହାଣ୍ଡି ବ୍ଲକରେ ୨ ଜଣ, ପାପଡାହାଣ୍ଡି ବ୍ଲକରେ ୫ ଜଣ, ରାଇଘର ବ୍ଲକରେ ୭ ଜଣ, ଝରିଗାଁ ବ୍ଲକରେ ୩ ଜଣ, କୋଷାଗୁମୁଡା ବ୍ଲକରେ ୭ ଜଣ , ନବରଙ୍ଗପୁର ବ୍ଲକରେ ୨ ଜଣ ଓ ତେନ୍ତୁଳିଖୁଣ୍ଟି ଏବଂ ଉମରକୋଟ ବ୍ଲକରେ ଜଣେ ଲେଖାଏଁ ଶିକ୍ଷକ ଅନୁପସ୍ଥିତି ଥିବା ନେଇ ଶିକ୍ଷକଙ୍କ ବିବରଣୀ ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା ବିଭାଗର ରିପୋର୍ଟକୁ ଆଧାର କରି ପୁଣି ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ଚିଠିରେ ପୁଣି ସମସ୍ତ ଶିକ୍ଷକଙ୍କୁ କାରଣ ଦର୍ଶାଇ ନୋଟିସ ଜାରି କରାଯାଇଥିଲା। ସପ୍ତାହକ ମଧ୍ୟରେ ଏହାର ଉତ୍ତର ଦେବା ପାଇଁ ଚିଠି ଲେଖାଯାଇଥିଲେ ମଧ୍ୟ ୧୫ ଦିନ ଅପେକ୍ଷା କରାଯାଇଥିଲା ।

ସେହି ମଧ୍ୟରେ ଝରିଗାଁ ବ୍ଲକର ଶିକ୍ଷକ ମିତାଲି ସାହୁ, ରଜତ ଜେନା, ନବରଙ୍ଗପୁର ବ୍ଲକର ଉମେଶ କଶ୍ୟପ ଓ ମଙ୍ଗଳଦାସ ଭତ୍ରା, ଡାବୁଗାଁ ବ୍ଲକର ଧନସିଂ ଭତ୍ରା ଓ କୋଷାଗୁମୁଡା ବ୍ଲକର ରଂଜନ କୁମାର କାଣ୍ଡି ଏହି ୬ ଜଣ ଶିକ୍ଷକ ଉତ୍ତର ଦେଇଥିବାରୁ ଏମାନଙ୍କ ଚାକିରି ବଞ୍ଚିଯାଇଛି। ଅନ୍ୟ ୨୫ ଜଣ ଶିକ୍ଷକ ମଧ୍ୟରୁ କୋଷାଗୁମୁଡା ବ୍ଲକର ଜଣେ ଶିକ୍ଷକ ଗତ ଅଗଷ୍ଟ ମାସରେ ଚାକିରି ଛାଡିଦେଇଛନ୍ତି। ଅନ୍ୟ ୨୪ ଜଣ ଶିକ୍ଷକଙ୍କ ଠାରୁ କୌଣସି ଉତ୍ତର ନମିଳିବାରୁ ଜିଲ୍ଲାପାଳ ଗତ ୨୭ ତାରିଖ ଦିନ ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୨୦୧୮ ମାର୍ଚ୍ଚ ୩ ତାରିଖ ଏବଂ ୨୦୧୯ ଜାନୁଆରି ମାସରେ ଏପରି ଚାକିରିରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

ପ୍ରକାଶ ଥାଉକି ନବରଙ୍ଗପୁର ଜିଲ୍ଲାରେ ୧୮ ଜଣ ଶିକ୍ଷକ ୧୨ ବର୍ଷ ମଧ୍ୟରେ ଅନୁପସ୍ଥିତ ଥିବା ନେଇ ସମ୍ବାଦରେ ଗତ ୨୬ ତାରିଖ ରେ ଏକ ଖବର ପ୍ରକାଶିତ ହୋଇଥିଲା। ଶିକ୍ଷକ ଅନୁପସ୍ଥିତି ଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଯାହା ଫଳରେ ସେହି ଜାଗାରେ ନୂତନ ଶିକ୍ଷକ ପଦବି ପୁରଣ ହୋଇପାରୁନଥିଲା।