ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାରେ ଥିବା  ହିର୍ଲି ପର୍ଯ୍ୟଟନ ସ୍ଥଳୀର ଉପଯୁକ୍ତ ଦେଖାରଖା ଓ ରକ୍ଷଣାବେକ୍ଷଣ ଅଭାବରୁ ଦୟନୀୟ। କୋଟି କୋଟି ଟଙ୍କା ବିନିଯୋଗ ପରେ ମଧ୍ୟ ଆକର୍ଷଣ ହରାଇ ଶ୍ରୀହୀନ ଅବସ୍ଥାରେ ରହିଛି। ସେହିପରି ପାର୍ଶ୍ବରେ ଥିବା କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା କୁସୁମଝର ମଧ୍ୟମ ଜଳସେଚନ ପ୍ରକଳ୍ପ ଅବସ୍ଥା ବି ସମାନ। ଉଭୟକୁ ମିଶାଇ ଦୀର୍ଘ ବହୁ ବର୍ଷ ହେବ ପର୍ଯ୍ୟଟନର ନୂଆ କରିଡର କରିବାକୁ କରିଥିବା ଯୋଜନାକୁ ନେଇ ଏବେ ମିଳିଛି ସବୁଜସଂକେତ। ଜିଲ୍ଲାପର୍ଯ୍ୟଟନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ ଯୁଗ୍ମ ଭାବେ ଉଭୟ ସ୍ଥାନର ମିଳିତ ବିକାଶ ପାଇଁ ରାଜ୍ୟସରକାରଙ୍କ ନିକଟକୁ ୪୮କୋଟି ୨୮ଲକ୍ଷ ୯ହଜାରଟଙ୍କାର ଡିପିଆର ପଠାଇଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।

Advertisment

ଜିଲ୍ଲା ସଦର ମହକୁମା ଉପକଣ୍ଠ ହିର୍ଲି ମୌଜାରେ ରହିଛି ୫୦.୧୫ଏକର ପରିମିତ ହିର୍ଲୀପର୍ବତ। ଏହି ପର୍ବତ ଜମିରୁ ପ୍ରଶାସନ ୭. ୪୦ଏକର ଜମି ପର୍ବତରୁ ଘରବାରି କିସମକୁ ପରିବର୍ତ୍ତନ କରିବା ପରେ କିଛି ଭୂମିହୀନ ପରିବାରଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ବାସଭବନ ନିର୍ମାଣ ନିମନ୍ତେ ପ୍ରଦାନ କରିଛି। ଏହି ସୁଯୋଗରେ କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ଜମିକୁ ଜବରଦଖଲ କରି ଦୁଇ ମହଲା ପ୍ରାସାଦ ନିର୍ମାଣ କରି ଭଡ଼ାସୂତ୍ରରେ ଅଥବା ବାସସ୍ଥାନ ଭାବେ ବ୍ୟବହାର କରୁଛନ୍ତି। ପର୍ଯ୍ୟଟନ ସ୍ଥଳୀ ବିକାଶ ନାମରେ ପର୍ଯ୍ୟାୟକ୍ରମେ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଆକର୍ଷଣୀୟ ଅଙ୍କାବଙ୍କା ରାସ୍ତା, ଓପନ ଜିମ, ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଥିବା ବେଳେ ତାହା ଅଦରକାରୀ ଅବସ୍ଥାରେ ପଡ଼ି ରହିଛି। ଲତାବୁଧା ମଧ୍ୟରେ ରହିଛି ଓପନଜିମ୍।

ଗତ ଜୁନ ମାସରେ ଦିଶା ବୈଠକରେ ହିର୍ଲି ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ ଆଲୋଚନା ହୋଇଥିବା ବେଳେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ପର୍ଯ୍ୟଟନ କ୍ଷେତ୍ର ଗସ୍ତ କରି ବିକାଶ ନିମନ୍ତେ ଆଶ୍ବାସନା ଦେଇଥିଲେ। ଗତ ଅଗଷ୍ଟରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଜିଲ୍ଲା ଗସ୍ତରେ ପହ‌ଞ୍ଚି ସମୀକ୍ଷା ବୈଠକରେ ହିର୍ଲି ବିକାଶ ଉପରେ ଆଲୋଚନା କରିଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,  ଉପମୁଖ୍ୟମନ୍ତ୍ରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା ହିର୍ଲି ବୁଲିବାକୁ ଯାଇ ହିର୍ଲି ଉପରୁ କୁସୁମଝର ଦେଖିକି  ଦିଶୁଥିବା ଏବଂ ଉଭୟର ପ୍ରାକୃତିକ ବିଭବକୁ ନେଇ ଖୁସି ଜାହିର କରିଥିଲେ। ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଡିପିଆରକୁ ଅନୁମୋଦନ କରିବା ପୂର୍ବରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ହିର୍ଲିର ବିକାଶ ପାଇଁ ୭କୋଟି ଅନୁଦାନ ଅନୁମୋଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: Budget 2026-27: ବଜେଟ୍: ୨୦୨୬–୨୭ ଓଡ଼ିଶାର ଶ୍ରମଜୀବୀ, କୃଷିଜୀବୀଙ୍କ ପାଇଁ ସହାୟତା ଅତି ନଗଣ୍ୟ: ସିପିଆଇ (ଏମ୍‌)

ତେବେ ଯାଇଥିବା ଡିପିଆରର ଅନୁମୋଦନକୁ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକୁ ଅପେକ୍ଷା କରିବା ପରେ ଉନ୍ନୟନ ପାଇଁ ଟେଣ୍ଡର କରାଯିବ ବୋଲି ସୂଚନା ମିଳିଛି।  ପ୍ରଶାସନ ଦ୍ବାରା ଦ୍ବାରା ଗଠିତ ହିଁର୍ଲି ପର୍ବତ ଉନ୍ନୟନ କମିଟି ପକ୍ଷରୁ ରାଧାଛୁଡାଓ କୃଷ୍ଣଚୁଡା ଗଛ ଲଗାଇବା , ପୋଲିସ କଣ୍ଟ୍ରୋଲ ରୁମ, ବାୟୋ ଟଏଲେଟ, ଯୋଗ କେନ୍ଦ୍ର, ଉଡେନ ୱାଚ ଟାୱାର ଭଳି ବହୁ ଆକର୍ଷଣୀୟ ପ୍ରସ୍ତାବ ରହିଥିବା ବେଳେ ପୂର୍ବରୁ କାର୍ଯ୍ୟକାରୀ ହୋଇନଥିଲା। ଏବେ  ଏସବୁ ପ୍ରସ୍ତାବ ସହ କୁସୁମଝର ଡ୍ୟାମ ନିକଟରେ ଜେଟି, ୨୦ଟି ପିଣ୍ଡି ସହ ସାମଗ୍ରୀକ ସୌନ୍ଦର୍ଯ୍ୟକରଣ କରିବା ଡିଜାଇନ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲାପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ।