ଶିଳାନ୍ୟାସର ୭ ବର୍ଷ ବିତିଲା, ଆଗେଇପାରୁନି ନବରଙ୍ଗପୁର ଜଳସେଚନ ପ୍ରକଳ୍ପ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଟନେଲ ଓ କେନାଲ ମାଧ୍ୟମରେ ଜଳସେଚନ ପାଇଁ ଜଳସେଚନ ପ୍ରକଳ୍ପ ପ୍ରସ୍ତାବରେ ରହିଗଲା। ପ୍ରାୟ ୩ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ମସିହାରେ ଦେଇଥିଲେ। ଏମଧ୍ୟରେ ଶିଳାନ୍ୟାସ ଫଳକ ମାଟିରେ ମିଶିଗଲାଣି। ତଥାପି ଏହି ପ୍ରକଳ୍ପ ହୋଇପାରିଲା ନାହିଁ।

ନବରଙ୍ଗପୁର ଜିଲ୍ଲାର ଚିରସ୍ରୋତା ଇନ୍ଦ୍ରାବତୀର ଶାଖା କପୁର , ମୁରାନ ଓ ପୋଡାଗଡ ୩ ଟି ନଦୀର ପାଣିକୁ ମିଶାଇ ଖାତିଗୁଡା ନିକଟରେ ୧୯୭୮ ମସିହାରେ ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ଯୋଜନା କାର୍ଯ୍ୟ ଆରମ୍ଭ ହୋଇ ୧୯୯୯ ମସିହା ବେଳକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ଏହି ପ୍ରକଳ୍ପ ହେବା ଫଳରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ବହୁ ଗ୍ରାମବାସୀ ବାସଚ୍ୟୁତ ହେଲେ କିନ୍ତୁ ଜିଲ୍ଲାବାସୀଙ୍କୁ ମିଳିଲାନି ବୁନ୍ଦାଏ ପାଣି।

ବାରମ୍ବାର ବିବାଦ ପରେ ୨୦୧୪ରେ ଇନ୍ଦ୍ରାବତୀ ଡ୍ୟାମର ପାଣି ତଳମୁଣ୍ଡକୁ ଆଣିବା ପାଇଁ ଯୋଜନା ହେଲା । ଇନ୍ଦ୍ରାବତୀ ଡ୍ୟାମରୁ ପାଣିକୁ ଡ୍ୟାମରେ ସୁଡ଼ଙ୍ଗ ଖୋଳି ପାଣିକୁ ଡ୍ୟାମର ଡାହାଣ ପଟ ଖାତିଗୁଡା-ମହୁଲପଦର ରାସ୍ତା ଦେଇ ଏକ କେନାଲ ମାଧ୍ୟମରେ ଜଳସେଚନ ପାଇଁ ୨୪୩ କୋଟି ଟଙ୍କା ବ୍ୟୟ ଅଟକଳ ହେଲା। ଯୋଜନା ଥିଲା ୫୨ କିମି କେନାଲ ଦ୍ବାରା ଜଳସେଚନ ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ତେନ୍ତଳିଖୁଣ୍ଟି , ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକର ୧୫ ହଜାର ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ। ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ ପାଇଁ ଗତ ୨୦୧୬ ମସିହାରେ ନବରଙ୍ଗପୁର ଠାରେ ଜଳସେଚନ ବିଭାଗର ଏକ ନୂତନ ଡିଭିଜନ କାର୍ଯ୍ୟାଳୟ ଖୋଲାଗଲା। କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ଡିପିଆର ଦାଖଲ ହେଲା । ୨୦୧୮ ମସିହା ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରସ୍ତାବ ରହିଥିଲା। ଇତିମଧ୍ୟରେ ପ୍ରକଳ୍ପର ବ୍ୟୟଅଟକଳ ପ୍ରାୟ ୩ଶହ କୋଟିରୁ ଅଧିକରେ ପହଞ୍ଚିଛି । ଏବେ ଏହି ପ୍ରକଳ୍ପ ର ଭାଗ୍ୟ କେନ୍ଦ୍ରୀୟ ଜଳ ଆୟୋଗରେ ସୀମିତ ରହିଛି।

ଦୀର୍ଘ ୪ ଦଶନ୍ଧି ଧରି ଅନେକ ରାଜନେତା ଇନ୍ଦ୍ରାବତୀ ପ୍ରକଳ୍ପକୁ କେନ୍ଦ୍ର କରି ନିର୍ବାଚନ ବୈତରଣୀ ବି ପାର ହେଲେଣି। କିନ୍ତୁ ଏ ପର୍ଯ୍ୟନ୍ତ ଇନ୍ଦ୍ରାବତୀ ଡ୍ୟାମରୁ ବୁନ୍ଦାଏ ପାଣି ତଳମୁଣ୍ଡକୁ ଆସିପାରିଲା ନାହିଁ। ୧୯୭୯ ମସିହାରେ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଠାରୁ ଚାଲିଛି ଏହି ଆନ୍ଦୋଳନ। ୧୯୯୨ ମସିହା ରେ ନବରଙ୍ଗପୁର ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା। ୧୯୭୯ ଠାରୁ ଜିଲ୍ଲା ଗଠନ ହେବା ମଧ୍ୟରେ ରବିସିଂ ମାଝୀ, ହବିବୁଲା ଖାନ୍, ପରମା ପୂଜାରୀ , ଡମ୍ବୁରୁ ମାଝୀଙ୍କୁ ଗୁରୁତ୍ବ ପୁର୍ଣ୍ଣ ମନ୍ତ୍ରୀ ପଦ ମିଳିଥିଲା। ଜିଲ୍ଲା ଗଠନ ହେବା ପରେ ଯାଦବ ମାଝୀ, ହବିବୁଲ୍ଲା ଖାନ, ରମେଶ ମାଝୀ ମନ୍ତ୍ରୀ ହୋଇ ସାରିଛନ୍ତି। ତଥାପି ପ୍ରସ୍ତାବିତ ପ୍ରକଳ୍ପ ଆଗେଇ ପାରୁନାହିଁ।

ସମ୍ବନ୍ଧିତ ଖବର