ନବରଙ୍ଗପୁର: ଦଳ ପରିବର୍ତ୍ତନ ଏବଂ ନୂଆ ନେତାଙ୍କ ଆଗମନ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ପୁରୁଣା ନେତାଙ୍କୁ ଭାଳେଣିରେ ପକାଇଛି। କର୍ମୀ ଓ ସମର୍ଥକ ମଧ୍ୟ ଏହି ବିଚିତ୍ର ସ୍ଥିତି ଯୋଗୁ ଅକଳରେ ପଡ଼ିଛନ୍ତି। ଏପରିସ୍ଥଳେ ସମସ୍ତ ଆଶାୟୀ ଦଳୀୟ ହାଇକମାଣ୍ଡଙ୍କ ସବୁଜ ସଂକେତକୁ ଅନାଇ ବସିଛନ୍ତି। ୨୦୧୯ ମସିହାରେ ପ୍ରଥମଥର ସଂସଦକୁ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଦ୍ବିତୀୟଥର ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ ଅଛନ୍ତି। ଦଳ ତାଙ୍କୁ ଲୋକସଭା ନା ବିଧାନସଭା ନିର୍ବାଚନମଣ୍ଡଳୀରେ ଲଢ଼ାଇବ ତାହା ଅସ୍ପଷ୍ଟ ରହିଛି। ତେବେ, ହାଇକମାଣ୍ଡ ତାଙ୍କୁ ଯେଉଁଠି ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ଦେବେ, ସେଠାରୁ ସେ ଲଢ଼ିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବର୍ତ୍ତମାନ ଏସ୍‌ଡିସି ଉପଦେଷ୍ଟା ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି। ବିଜେଡିରେ ଯୋଗଦେବା ଦିନଠାରୁ ସାଂସଦ ପ୍ରାର୍ଥୀ ହେବାକୁ ସେ ଆଗଭର ରହିଛନ୍ତି। ସଂସଦୀୟ କ୍ଷେତ୍ରରେ ବୁଲାବୁଲି କରି କର୍ମୀ ତଥା ସମର୍ଥକଙ୍କୁ ଭେଟୁଛନ୍ତି। ଏହାରି ମଧ୍ୟରେ ଦଳ କାଳେ ତାଙ୍କୁ ସବୁଜ ସଂକେତ ଦେଇସାରିଥିବା ବି ଚର୍ଚ୍ଚା ହେଉଛି। ଏହିଦୃଷ୍ଟିରୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ବି କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Advertisment

ବିଜେଡିରୁ ରମେଶ ନା ପ୍ରଦୀପ
ବିଜେପିରୁ ପ୍ରାର୍ଥୀ ଆଶାରେ ପର୍ଶୁରାମ ଓ ବଳଭଦ୍ର
କଂଗ୍ରେସରେ ଭୁଜବଳଙ୍କ ରାସ୍ତାରେ ଗମାଙ୍ଗ ପରିବାର ବାଧକ

ଅନ୍ୟପକ୍ଷରେ, ବିଜେପିରେ ପ୍ରାର୍ଥୀ ଚୟନକୁ ନେଇ ଜଟିଳ ସ୍ଥିତି ରହିଛି। ପୂର୍ବରୁ ପର୍ଶୁରାମ ମାଝୀ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଗତଥର ଦଳ ତାଙ୍କୁ ବିଧାନସଭା ଟିକେଟ୍‌ ଦେଇଥିଲା। ଏଥର ପୁଣି ସାଂସଦ ପ୍ରାର୍ଥୀ ହେବାକୁ ସେ ଆଶାୟୀ ଅଛନ୍ତି। ସେହିପରି, ବିଜେଡିରୁ ଆସିଥିବା ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କୁ ବିଜେପି ଗତଥର ଟିକେଟ ଦେଇଥିଲା। ଦଳର ଭୋଟ ହାର ପ୍ରାୟ ୧୬ପ୍ରତିଶତ ବୃଦ୍ଧି କରିଥିବାରୁ ଦ୍ବିତୀୟ ସୁଯୋଗ ଅପେକ୍ଷାରେ ରହିଛନ୍ତି ବଳଭଦ୍ର। ଏପରିସ୍ଥିତିରେ ଅଧିକ ଗୋଳିଆ ପରିସ୍ଥିତି ରହିଛି କଂଗ୍ରେସ ଦଳରେ। ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ପରେ ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କୁ ଦଳ ପ୍ରାଥମିକତା ଦେଇଥିଲା। ତେଣୁ ତାଙ୍କ ଟିକେଟ୍‌ ନିଶ୍ଚିତ ବୋଲି ମାସକ ତଳେ କୁହାଯାଉଥିଲା। ହେଲେ ଗମାଙ୍ଗ ପରିବାରର ଘର ବାହୁଡ଼ା ଏବଂ ଶିଶିର ଗମାଙ୍ଗଙ୍କ ନବରଙ୍ଗପୁର ଆଗମନ ସବୁ ଓଲଟପାଲଟ କରିଦେଇଛି। ଯାହାକୁ ନେଇ ଦଳ ଭିତରେ କର୍ମୀ ଓ ସମର୍ଥକ ଅସହଜ ହୋଇଛନ୍ତି। ସେହିପରି ଝରିଗାଁର ବରିଷ୍ଠ ନେତ୍ରୀ ହାରାବତି ଗଣ୍ଡ ବି କଂଗ୍ରେସରୁ ଲଢ଼ିବାକୁ ଆବେଦନ କରିଥିବା ଜଣାପଡ଼ିଛି।