ରାୟଗଡ଼ା: ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରାରେ ଆସିଥିବା ଗାଇଡଙ୍କ ସିଡିରୁ ଖସି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରାୟଗଡ଼ାସ୍ଥିତ କଲ୍ୟାଣୀ ମଣ୍ଡପରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଗାଇଡ ଜଣକ ହେଲେ ଅଟଳ ବିହାରୀ ହୋତା। ସେ ନବରଙ୍ଗପୁର ଜିଲ୍ଲା ସାନମୁସି ଗାଁର ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷକ ଥିଲେ। ନବରଙ୍ଗପୁର ଜିଲ୍ଲାରୁ ୧୪୬ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ୬ ଜଣ ଗାଇଡ ସୋମବାର ଆସି ପୌର ପରିଷଦ ଅଧିନରେ ରହିଥିବା କଲ୍ୟାଣୀ ମଣ୍ଡପରେ ରାତ୍ରିଯାପନ କରିଥିଲେ।
କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ମହରାଷ୍ଟ୍ରର ଶିରିଡ଼ି-ନାସିକ ଅଭିମୁଖେ ଯାତ୍ରାକୁ ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା’ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ରେଳଷ୍ଟେସନରୁ ଶୁଭାରମ୍ଭ କରିଥିଲେ।
ସୂଚନା ଅନୁସାରେ ‘ବରିଷ୍ଠ ତୀର୍ଥ ଯାତ୍ରା ଯୋଜନା’ରେ ଆଜି ତୀର୍ଥ ଯାତ୍ରୀ ଟ୍ରେନ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ବେଳେ ଗତକାଲି ରାତିସୁଦ୍ଧା କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ବରିଷ୍ଠ ନାଗରିକମାନେ ରାୟଗଡ଼ା ଷ୍ଟେସନରେ ପହଞ୍ଚି ଥିଲେ। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ସାନମୁସି ଗାଁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସମେତ ନବରଙ୍ଗପୁର ଜିଲ୍ଲାରୁ ୧୪୬ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ୬ ଜଣ ଗାଇଡଙ୍କ ସହ ରାୟଗଡ଼ା ଆସିଥିଲେ।
ଶିକ୍ଷକ ଅଟଳ ବିହାରୀ ହୋତା ହୃଦରୋଗରେ ପୀଡ଼ିତ ଥିଲେ। ତା ପରେ ମଧ୍ୟ କିପରି ତାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶାସନର ଅବହେଳାରୁ ଚାଲିଗଲା ଶିକ୍ଷକଙ୍କ ଜୀବନ ବୋଲି ଆଲୋଚନା ଜୋର ଧରିଛି। ରାତିରେ ଅଟଳଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିବା କାରଣରୁ ସେ ଠିକ ଭାବେ ଶୋଇ ପାରିନଥିଲେ। ସେ ରହୁଥିବା ସ୍ଥାନରୁ ଖୋଲା ସ୍ଥାନକୁ ଆସିବା ନିମନ୍ତେ ଯିବା ସମୟରେ ସିଡିରୁ ଖସି ମୃତ୍ୟୁ ହୋଇଥିବା ନେଇ ପରିବାର ବର୍ଗଙ୍କୁ ସୂଚନା ଦିଆଯାଇଛି।