କଟକଣା ଭିତରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ

ବଲାଙ୍ଗୀର: କରୋନା ସଂକ୍ରମଣର ମୁକାବିଳା ପାଇଁ ପ୍ରଶାସନ ନିରାଡମ୍ବରଯୁକ୍ତ ବିନା ଭକ୍ତ ଜନସମାବେଶରେ କେବଳ ପରମ୍ପରା ଓ ବିଧିରକ୍ଷା ପୂର୍ବକମା’ଙ୍କ ପୂଜା ସମାହିତ କରିବାକୁ ଘୋଷଣା କରିଛି । ଏଭଳି କଟକଣା ଭିତରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ବଲାଙ୍ଗୀର ଜିଲ୍ଲା ଓ ସହରର ବିଭିନ୍ନ ଶକ୍ତିପୀଠ ଓ ପୂଜାମଣ୍ଡପଗୁଡ଼ିକରେ ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ହେଲେ ପୂର୍ବବର୍ଷ ଭଳି ଜନସମାଗମ ଆଉ ନାହିଁ । ପୀଠ ଗୁଡିକ ଖାଁଖାଁ ଲାଗୁଥିବା ବେଳେ ପୂଜାମଣ୍ଡପଗୁଡ଼ିକ ବି କଟକଣାକୁ ମାନି ଜନସମାଗମ କରୁନାହାନ୍ତି । ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିରରେ ରୀତିନୀତି ଅନୁସାରେ ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଶନିବାର ସକାଳୁ କଳସଯାତ୍ରା ପ୍ରଥମେ ହୋଇଥିଲା ।

ଅପରାହ୍ନରୁ ମନ୍ଦିର ଭିତରେ ମା’ଙ୍କ ସେବକ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ମା’ ସମଲେଶ୍ୱରୀ ଶନିବାର ଦିନ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଇଥିଲେ । ଜନସମାଗମକୁ ମନା ଥିବା ଯୋଗୁଁ ସୋସିଆଲ ମିଡିଆ ଜରିଆରେ ମାଁଙ୍କୁ ଭକ୍ତ ଦର୍ଶନ କରିଛନ୍ତି । ଦୁର୍ଗା ମନ୍ଦିରରେ ମଧ୍ୟ ସବୁ ବର୍ଷ ଭଳି ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି । ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ଶକ୍ତିପୀଠ ସବୁ ବାହାରୁ ବନ୍ଦ ରହିଥିବା କାରଣରୁ ଭକ୍ତମାନେ ମନ୍ଦିର ବାହାରେ ଦୀପଧୁପ ପ୍ରଜ୍ୱଳନ କରି ମାଁଙ୍କୁ  ଆରାଧନା କରୁଛନ୍ତି । ଏହାସହ ସହରର ରୁଗୁଡିପଡ଼ା ଦୁର୍ଗାପୂଜା କମିଟି, ପିପିଏକାଡେମୀ ଟିକ୍ରାପଡା ଛକ, ଶାନ୍ତିପଡ଼ା ଦୁର୍ଗାପୂଜା କମିଟି ପ୍ରମୁଖ ନବରାତ୍ର ପୂଜା ଆରମ୍ଭ କରିଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ ସବୁ ପୂଜାର୍ଚ୍ଚନା କରୁଥିବା ପୂଜା କମିଟି କର୍ମକର୍ତ୍ତା କହିଛନ୍ତି । ବଲାଙ୍ଗୀରରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ହେଲେ ବିନା ଭକ୍ତରେ ଏଥର ପୂଜା ଓ ହୋମଯଜ୍ଞ ଆରମ୍ଭ ହୋଇଛି । ମା’ ସମଲେଶ୍ୱରୀ ମନ୍ଦିରର ସେବକ ଟଙ୍କଧର ଦିଶ୍ରୀ କହିଛନ୍ତି, ନବରାତ୍ର ସବୁ ବର୍ଷ ଜାକଜମକରେ ହୁଏ । ବହୁ ଭକ୍ତ ମାନସିକମାନ ରଖିଥାନ୍ତି।

ଏଥର କରୋନା ଯୋଗୁଁ ଦେବୋତ୍ତର ବିଭାଗ ଅଧିକାରୀ ପୂର୍ବରୁ କଟକଣା କଣ ସବୁ ରହିଛି ସେ ନେଇ ଜଣାଇଥିଲେ । ଏଥର କଳସ ଯାତ୍ରାରେ ୭ ଜଣ କେବଳ ରହିଥିଲେ । କଳସ ସ୍ଥାପନା ପରେ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯାଇଛି । ବିନା ଭକ୍ତରେ ପୂଜାର୍ଚ୍ଚନା ଚାଲିଛି । ଭିଡ କେମିତି ନହେବ ତାକୁ ମନ୍ଦିର ପକ୍ଷରୁ ଦୃଷ୍ଟିରେ ରଖାଯାଇଛି । ସୋସିଆଲ ମିଡିଆରେ ମାଁଙ୍କୁ ଭକ୍ତ ଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି । କୋଭିଡ କଟକଣା ସତ୍ୱେ ମା’ଙ୍କ ଆରାଧନା ସବୁଠି ଚାଲିଛି । ବଲାଙ୍ଗୀର ରାଜ ପରିବାର ପକ୍ଷରୁ ଶୈଳଶ୍ରୀ ପ୍ୟାଲେସରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ରାଜ ପୁରୋହିତ ସନ୍ତୋଷ କୁମାର ଦାସ ଓ ଅନ୍ୟ ପୂଜକମାନେ ପୂଜା କାର୍ଯ୍ୟ ତୁଲାଉଛନ୍ତି । ଏହି ନବରାତ୍ର ପୂଜାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି । ନବରାତ୍ର ପୂଜାରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ତାଙ୍କ ପତ୍ନୀ ମେଘନା ଓ ପରିବାରର ସଦସ୍ୟ ଉପସ୍ଥିତ ରହିଛନ୍ତି । କେବଳ ରାଜ ପରିବାରରେ ନବରାତ୍ର ପୂଜା ନୁହଁ, ଅନେକ ପ୍ରତିଷ୍ଠିତ ବ୍ୟକ୍ତି, ଜନସାଧାରଣଙ୍କ ବି ଘରମାନଙ୍କରେ ନବରାତ୍ର ପୂଜା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର