ମହିଳା ଉଦ୍ୟୋଗୀଙ୍କୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କଲା ନାବାର୍ଡ

ଭୁବନେଶ୍ୱର: ଆଜି ଭୁବନେଶ୍ବରର ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଓମେନ ଇନ୍ ଲିଡରସିପ: ଆଚିଭିଙ୍ଗ ଆନ ଇକୁଆଲ ଫ୍ୟୁଚର ଇନ ଏ କୋଭିଡ-୧୯ ୱାର୍ଲଡ ବିଷୟବସ୍ତୁ ସହିତ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ ଆସ୍କା ନିର୍ବାଚନମଣ୍ଡଳୀର ସାଂସଦ ପ୍ରମିଳା ବିଶୋଇ ଏବଂ ଆଇଏଏସ୍ ଅଫିସର ମଧୁସ୍ମିତା ସାହୁ।

ଏହି କାର୍ଯ୍ୟକ୍ରମରେ ୧୦ଟି ଜିଲ୍ଲାରୁ(ବାଲେଶ୍ବର, ଭଦ୍ରକ, କଟକ,ଢ଼େଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ) ଆସିଥିବା ମହିଳା ଲଘୁ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଞ୍ଚଳିକ କାର୍ଯ୍ୟାଳୟ ସହ ନାବାର୍ଡ ମଧ୍ୟ ଜିଲ୍ଲା ସ୍ତରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିବା ଜଣାପଡ଼ିଛି।

ଏହି ଦିନର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ନାବାର୍ଡ ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ଜେନେରାଲ ମ୍ୟାନେଜର ସି ଉଦୟଭାସ୍କର, ସ୍ବୟଂ ସହାୟକ ଗୋଷ୍ଠୀ, ମିଳିତ ଦାୟିତ୍ବ ଗୋଷ୍ଠୀ, ଏଲଇଡିପି, ଉତ୍ପାଦକ ସଂଗଠନ, ସାନିଟାରୀ ସାକ୍ଷରତା ଅଭିଯାନ, ଜଳ ସଂରକ୍ଷଣ ଅଭିଯାନ ପରି ଗ୍ରାମାଞ୍ଚଳର ମହିଳାମାନଙ୍କ ବିକାଶ ପାଇଁ ନାବାର୍ଡର ବିଭିନ୍ନ ସହାୟତା ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଆସନ୍ତା ଆର୍ଥିକ ବର୍ଷରେ ନାବାର୍ଡ ୩୦୦୦ ଲଘୁ ଉଦ୍ୟୋଗୀ ବିକାଶ କରିବ ଏବଂ ୧୫୦୦୦ ଶୌଚାଳୟ ନିର୍ମାଣ ପାଇଁ ଆର୍ଥିକ ସହାୟତା ବିସ୍ତାର କରିବ।

ସେହିଭଳି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଆଇଏଏସ୍ ଅଫିସର ମଧୁସ୍ମିତା ସାହୁ, ଲିଙ୍ଗଗତ ଅସମାନତା ବିଷୟରେ କହିଥିଲେ ଏବଂ ସର୍ବଶେଷ ପରିସଂଖ୍ୟାନ ବିଷୟରେ ଜଣାଇଥିଲେ। । ଏହା ସହ ସମାଜ ସର୍ବଦା ମହିଳାଙ୍କ ଆବଶ୍ୟକତା  ବିଷୟରେ ଜାଣିବା ସହ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ଉଚିତ ଏବଂ ମହିଳାଙ୍କ ସାମଗ୍ରିକ ବିକାଶକୁ ସମର୍ଥନ କରିବା ପାଇଁ ଆଗକୁ ଆସିବା ଉଚିତ୍ ବୋଲି ସେ କହିଥିଲେ।

ଗଞ୍ଜାମର ଆସ୍କା ନିର୍ବାଚନମଣ୍ଡଳୀର ମାନ୍ୟବର ସାଂସଦ ପ୍ରମିଳା ବିଶୋଇଇ ତାଙ୍କ ଭାଷଣ ଏବଂ ଗୀତରେ କାର୍ଯ୍ୟକ୍ରମରେ ‌ଉପସ୍ଥିତ ଥିବା ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହା ପରେ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟ ହେବାଠାରୁ ଆରମ୍ଭ କରି ସାଂସଦ ହେବା ପର୍ଯ୍ୟନ୍ତର ଅଭିଜ୍ଞତା ବାଣ୍ଟିଥିଲେ। ସମାଜର ସେବା କରିବା ପାଇଁ ତାଙ୍କର ଦୃଢ଼ ସଂକଳ୍ପ ଏବଂ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ମିଳିଥିବା ସମର୍ଥନ ଉପରେ ସେ ଆଲୋକପାତ କରିଥିଲେ। ଏହା ପରେ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ମହିଳା ଲଘୁ ଉଦ୍ୟୋଗୀମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର