ଅନୁଗୁଳ : ଅନୁଗୁଳ ଜିଲ୍ଲାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ବିକୃତିକୁ ନେଇ ହଟହଟା ହୋଇଛି ଅନୁଗୁଳ ପୌରପାଳିକା। ନବବାବୁଙ୍କ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବି ଚହଲି ଯାଇଛି। ଚାରିଆଡ଼ୁ ଚାପ ଏବଂ ନିନ୍ଦା, ଭର୍ତ୍ସନା ପରେ ଖୋଦ୍ ନଗରପାଳ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏ ପ୍ରକାର ଅକ୍ଷମଣୀୟ ଭୁଲ୍କୁ ସେ କେବଳ ମୁଣ୍ଡପାତି ସ୍ବୀକାର କରି ନାହାନ୍ତି, ବରଂ ଏଥିପାଇଁ ସମସ୍ତଙ୍କୁ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି। ଚିଠି ଲେଖି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି, ଧୋତି ଓ କୁର୍ତ୍ତା ବଦଳରେ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ୟାଣ୍ଟ୍ ଏବଂ କୋଟ୍ ପରିଧାନ କରାଇବା ଭୁଲ୍ ବଶତଃ ହୋଇଛି। ସ୍ବାଧୀନତା ସଂଗ୍ରାମୀଙ୍କର ପୂର୍ଣ୍ଣ ଅବୟବର ଫଟୋ ଆମ ପାଖରେ ନ ଥିଲା। ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇ ଏମିତି ସେଥିରୁ ପୂର୍ଣ୍ଣ ଅବୟବ ତିଆରି କରାଯାଇଛି। ଭୁଲ୍ ଯୋଗୁଁ ସେଥିରେ ଧୋତି ଏବଂ କୁର୍ତ୍ତା ବଦଳରେ ପ୍ୟାଣ୍ଟ୍ ଓ କୋଟ୍ ପିନ୍ଧାଇ ଦିଆଯାଇଛି ବୋଲି ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ ଲିଖିତ ସ୍ବୀକାର କରିଛନ୍ତି। ତ୍ରୁଟିର ସଂଶୋଧନ କରାଯାଉଛି।
ଏଭଳି ଭୁଲ୍ର ପୁନରାବୃତ୍ତି କେବେ ହେବ ନାହିଁ ବୋଲି ସେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ମୁତାବକ, ଗତ ଓଡ଼ିଶା ଦିବସ ଅବସରରେ ଅନୁଗୁଳ ପୌର ପ୍ରଶାସନ ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ଅନୁଗୁଳର ସ୍ବାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଆଗ୍ରହ କରିଥିଲା। ସେଥିପାଇଁ ତିନି ମାସ ତଳୁ ଆରମ୍ଭ ହୋଇଥିଲା କସରତ। ନାଗପୁରରୁ ମିସ୍ତ୍ରିଙ୍କୁ ଡକାଯାଇଥିଲା। ସଂଗ୍ରାମୀଙ୍କର ପାସ୍ପୋର୍ଟ ସାଇଜ୍ ଫଟୋ ସଂଗ୍ରହ କରାଯାଇଥିଲା। ଏହି ପାସ୍ପୋର୍ଟ ଫଟୋରୁ ସ୍ବାଧୀନତା ସଂଗ୍ରାମୀଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ତିଆରି କରିବାକୁ କହାଗଲା। ଯେଉଁଥିରୁ ବିକୃତି ଆରମ୍ଭ ହୋଇଥିଲା। ସଂଗ୍ରାମୀଙ୍କ ପରିବାର ସହିତ ପୌର ପ୍ରଶାସନ ଆଲୋଚନା ହିଁ କଲା ନାହିଁ। ଫଟୋରେ ସାର୍ଟ ପିନ୍ଧିଥିଲେ, ତାଙ୍କୁ ପ୍ୟାଣ୍ଟ୍ ପିନ୍ଧାଇ ଦିଆଗଲା। ତା ସହିତ ବୁଟ୍ ବି ପରିଧାନ କରାଇ ଦିଆଗଲା। ଏ ପ୍ରକାର ପରିଧାନରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିଲା ଗାନ୍ଧୀବାଦୀ ନେତା, ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ବ।
ସ୍ବର୍ଗତ ଚୌଧୁରୀଙ୍କ ପୂରା ଜୀବନ ଖଦଡ଼, ସୂତାକଟା ଓ ହାତବୁଣା ଧୋତି ଖଣ୍ଡେ ଏବଂ କାନ୍ଧକଟା ଗଞ୍ଜିରେ ତାଙ୍କର ଜୀବନ ବିତିଥିଲା। କିନ୍ତୁ, ପାସ୍ପୋର୍ଟ ଫଟୋରୁ ମୂର୍ତ୍ତି ତିଆରି କରିଥିବା କାରିଗର ତାଙ୍କୁ ଧୋତି ବଦଳରେ ଫୁଲ୍ ପ୍ୟାଣ୍ଟ୍, ବେକ ଚିପା ଫୁଲ୍ ସାର୍ଟ ସହିତ ବୁଟ୍ ପିନ୍ଧାଇ ଦେଇଥିଲେ। ଗାନ୍ଧୀବାଦୀ ନେତାଙ୍କୁ ପୂରା ବିଲାତ ଅଫିସର ପରି ଠିଆ କରି ଦେଇଥିଲେ। ଏ ସମ୍ପର୍କିତ ଖବର ‘ସମ୍ବାଦରେ ପ୍ରକାଶ ପାଇବା ପରେ ଅନୁଗୁଳ ପୌରପାଳିକା ସାରା ରାଜ୍ୟରେ ସମାଲୋଚିତ ହୋଇଛି। ଏମିତିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବି ପୌରପାଳିକା ଉପରେ ଚାପ ପଡ଼ିଛି।