ଜୟପୁର: ୨୦୧୧ରେ ଜୟପୁର ସହରର ବହୁ ଚର୍ଚ୍ଚିତ ସେଖ୍ ଗୁଲାମ୍ ନବି ହତ୍ୟା ମାମଲାର ମଙ୍ଗଳବାର ଶୁଣାଣୀ ହୋଇଛି। ଜିଲ୍ଲା ଦୌରାଜଜ୍ ତଥା ସେସନ୍ସ ଜଜ୍ ସୌମ୍ୟନ୍ଦ୍ର କୁମାର ରାଜଗୁରୁ ମାମଲାର ଶୁଣାଣୀ କରି ମୁଖ୍ୟଅଭିଯୁକ୍ତ ସେଖ୍ ଜାଭେଦକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୫ ହଜାର ଟଙ୍କା ଜରିମାନା ଦେବାକୁ ତାଙ୍କ ରାୟରେ ଉଲ୍ଲେ କରିଛନ୍ତି। ଜରିମାନା ଅନାଦେୟ ଆଉ ବର୍ଷେ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଥିବା ସହଯୋଗୀ ଅଭିଯୁକ୍ତ ସେଖ୍ ମେହବୁବ ଓରଫ ରାଜା ସଂପ୍ରତି ଜାମିନରେ ରହିଥିବା ବେଳେ ତାଙ୍କ ମାମଲାର ଶୁଣାଣୀ ପରବର୍ତ୍ତୀ ସମୟରେ ହେବ ବୋଲି ସୂଚନା ମିଳିଛି।
ମୃତ ସେଖ୍ ଗୁଲାମ ନବି, ମୁଖ୍ୟଅଭିଯୁକ୍ତ ସେଖ୍ ଜାଭେଦ ଓ ସେଖ୍ ମେହବୁବ ଓରଫ ରାଜା ତିନି ଜଣ ବନ୍ଧୁ ଥିଲେ। ଜାଭେଦଙ୍କ ଘରକୁ ନବି ଯିବା ଆସିବା କରୁଥିଲେ। ନବି ବିବାହିତ ଥିଲେ। ଏହା ବାଦେ ସେ ଜାଭେଦଙ୍କ ଭଉଣୀଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିବାକୁ ଯୋଜନା କରିଥିଲେ। ଏହା ଜାଣିବା ପରେ ଅଭିଯୁକ୍ତ ଜାଭେଦ୍ ନବିଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ରାଜାଙ୍କ ସହ ମିଶି ଷଡଯନ୍ତ୍ର କରିଥିଲେ। ଗତ ୨୦୧୧ମାର୍ଚ୍ଚ ୨୦ତାରିଖ ସଂଧ୍ୟା ୮ଟାରେ ନବିଙ୍କ ପଠାଣସାହିସ୍ଥ ଘରକୁ ଜାଭେଦ ଓ ରାଜା ଯାଇ ତାଙ୍କ ପତ୍ନୀ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ଡାକିକି ନେଇଥିଲେ।
ରାତିରେ ନବି ଘରକୁ ନ ଫେରିବାରୁ ଘର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ତେବେ ରାଜା, ଜାଭେଦ ଘରେ ନଥିଲେ, ଘର ତାଲା ପଡ଼ିଥିଲା। ତହିଁ ଆରଦିନ ସକାଳୁ କିଛି ଲୋକେ ହାତୀଶାଳ ଅଂଚଳରେ ନବିଙ୍କ ମୃତଦେହ ଦେଖି ତାଙ୍କ ପରିବାରବର୍ଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଟାଉନପୁଲିସ ଘଟଣାସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିଲେ। ନବିଙ୍କର ହାତଗୁଡିକୁ ଖଣ୍ଡାରେ ହାଣି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୁଲିସକୁ ହତ୍ୟାରେ ବ୍ୟବହାର ହୋଇଥିବା ଖଣ୍ଡା ବି ମିଳିଥିଲା।
ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଜାଭେଦ ଓ ରାଜା ନାଁରେ ହତ୍ୟା ମାମଲା ରୁଜୁ କରିଥିଲେ। ଏହି ମାମଲାରେ ମୁଖ୍ୟଅଭିଯୁକ୍ତ ଜାଭେଦ ଓ ରାଜା ଜାମିନରେ ରହିଥିଲେ। ଏହାରି ମଧ୍ୟରେ ଅଭିଯୁକ୍ତ ଜାଭେଦ ଏକ ଏନଡିପିଏସ୍ ମାମଲାରେ ଗିରଫ ହୋଇ ଜୟପୁର ଉପଖଣ୍ଡ ବିଚାରବିଭାଗୀୟ ହାଜତରେ ବିଚାରାଧୀନ ଅନ୍ତେବାସୀ ଭାବେ ରହିଥିଲେ। ଜିଲ୍ଲା ଦୌରାଜଜ୍ ତଥା ସେସନ୍ସ ଜଜ୍ ଶ୍ରୀ ରାଜଗୁରୁ ଅଭିଯୁକ୍ତ ଜାଭେଦଙ୍କ ମାମଲାର ଶୁଣାଣୀ କରି ୧୩ ସାକ୍ଷୀଙ୍କ ପ୍ରମାଣକୁ ବିଚାର କରି ଏଭଳ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଶୈଳେଜା ପଟ୍ଟନାୟକ ମାମଲାକୁ ପରିଚାଳନା କରୁଥିଲେ।