ଜୁଲାଇ ୭ରେ ରିପୋର୍ଟ ଦେବା ଲାଗି ନବୀନଙ୍କ ମନ୍ତ୍ରୀମାନେ କେତେ ପ୍ରସ୍ତୁତ? ପୁରୁଣା ଚିନ୍ତିତ ନୁହନ୍ତି, ନୂଆ ଅଧିକ ତତ୍ପର

ଭୁବନେଶ୍ୱର(ସୁବ୍ରତ ଦାସ): ପଞ୍ଚମ ଥର ପାଇଁ କ୍ଷମତା ଗାଦିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ନିଜର ନୂଆ ଟିମ୍‌ ଗତ ୨୯ ତାରିଖରେ ଶପଥ ନେବା ପରେ ନବୀନ ପ୍ରତି ମାସ ପ୍ରଥମ ସପ୍ତାହରେ ମନ୍ତ୍ରୀମାନଙ୍କର କାର୍ଯ୍ୟର ସମୀକ୍ଷା କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାର ପାଳନ ଦିଗରେ ମନ୍ତ୍ରୀମାନେ କେତେଦୂର ତତ୍ପର ସେଥିପାଇଁ ‘ସମ୍ବାଦ ଡଟ୍‌ ଇନ୍‌’ ପକ୍ଷରୁ ପର୍ଯ୍ୟବେକ୍ଷଣ ଆରମ୍ଭ କରାଯାଇଛି।

ନବୀନ ତାଙ୍କର ପଞ୍ଚମ ଇନିଂସର ପ୍ରଥମ ମାସ ଶେଷରେ ଜୁଲାଇ ୭ ତାରିଖ ସୁଦ୍ଧା ତାଙ୍କର ମନ୍ତ୍ରିମଣ୍ଡଳ ସେମାନଙ୍କର ବିଭାଗର କାର୍ଯ୍ୟାବଳୀର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଦାୟୀ ମନ୍ତ୍ରିମଣ୍ଡଳର ପୁରୁଣା ମନ୍ତ୍ରୀମାନେ ସେମାନଙ୍କର ରିପୋର୍ଟ ଯଥା ସମୟରେ ପ୍ରସ୍ତୁତ ହୋଇଯିବ ବୋଲି ଆତ୍ମ ସନ୍ତୋଷର ସହ ବସି ରହିଛନ୍ତି। ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ସ୍ୱୀକାର କରିଛନ୍ତି ଯେ ସେ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ନାହାନ୍ତି। ରିପୋର୍ଟ ପ୍ରସ୍ତୁତି ଲାଗି ଆହୁରି ସମୟ ରହିଛି ବୋଲି ସେ କହିଛନ୍ତି।

ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ତାଙ୍କ ପାଇଁ ନୂଆ ବିଭାଗ ହୋଇଥିବାରୁ ସେ ଥରେ ଏହି ବିଭାଗର କାର୍ଯ୍ୟାବଳିର ସମୀକ୍ଷା କରି ସାରିଛନ୍ତି। ଶ୍ରମମନ୍ତ୍ରୀ ହିସାବରେ ଆଜି ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିିରୋଧ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦିନେ ଦୁଇଦିନ ମଧ୍ୟରେ ଶ୍ରମ ବିଭାଗର କାର୍ଯ୍ୟାବଳି ସମୀକ୍ଷା କରିବ ବୋଲି ଦ୍ୱିତୀୟ ପାଳିରେ ମଧ୍ୟ ଏହି ବିଭାଗ ପାଇଥିବା ଶ୍ରୀ ସିଂହ କହିଛନ୍ତି।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଭାଗର ଦାୟିତ୍ୱ ପାଇବା ପରେ ପରେ ସମୀକ୍ଷା ଆରମ୍ଭ କରି ଦେଇଛନ୍ତି। ସହରାଞ୍ଚଳରେ ପରିମଳ ଏବଂ ପାନୀୟ ଜଳ ବ୍ୟବସ୍ଥା ସୁସଂହତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ଯେଉଁମାନେ ଏଥର ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି, ସେମାନେ ନିଜ ବିଭାଗର କାର୍ଯ୍ୟାବଳି ସମୀକ୍ଷା କରିବାରେ ବିଶେଷ ଅଗ୍ରଗତି କରିପାରି ନାହାନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ବିଧାୟକ କ୍ୱାର୍ଟରରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସମ୍ବାଦ ଡଟ ଇନ୍‌କୁ କହିଛନ୍ତି।

ସଚିବାଳୟର ମନ୍ତ୍ରୀ ଅଞ୍ଚଳରେ କାର୍ଯ୍ୟାଳୟ ପ୍ରକୋଷ୍ଠ ପାଇବା ପରେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ନିଜ ନିଜର ପ୍ରକୋଷ୍ଠରେ ପୂଜାର୍ଚ୍ଚନା କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ପୂର୍ବରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ନିଜ ନିଜ ଦପ୍ତରକୁ ଆସି କାର୍ଯ୍ୟ ଆରମ୍ଭ କରିସାରିଛନ୍ତି।

ରାଜ୍ୟ ବିଧାନସଭାରେ ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେଉଛି। ଏହି ସମୟରେ ମନ୍ତ୍ରୀମାନଙ୍କର ‘ଷ୍ଟେଜ ରିହର୍ସାଲ’ ହୋଇଯିବ ବୋଲି ପ୍ରଶାସନିକ ବ୍ୟାପାରରେ ଅଭିଜ୍ଞ ଜଣେ ପୂର୍ବତନ ମନ୍ତ୍ରୀ କହିଛନ୍ତି।

ତେବେ ମନ୍ତ୍ରୀମାନେ ଗାଁ ଗହଳିକୁ ଯାଇ ଲୋକମାନଙ୍କ ସହିତ ସମୟ ବିତାଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ତାହାକୁ ସମାଧାନ କରିବା ଦିଗରେ ଉଦ୍ୟମ କରିବା ଉଚିତ ବୋଲି ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମତ ଦେଇଛନ୍ତି। ସେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ନିକଟରେ ଦୁଇଦିନିଆ ଗ୍ରାମାଞ୍ଚଳ ଗସ୍ତର ନଜୀର ଦେଇଛନ୍ତି।

ସମ୍ବନ୍ଧିତ ଖବର