କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବକିଶୋର: ଆଉ ୬ଲକ୍ଷ ‘କୋଭିସିଲ୍‌ଡ’ ଡୋଜ୍‌ ଦିଅ

‘ରାଜ୍ୟରେ ୧୦ ନର୍ସିଂ କଲେଜ ପ୍ରତିଷ୍ଠା ହେବ’

ଭୁବନେଶ୍ବର : ରାଜ୍ୟରେ ଟିକାର ଅସୁବିଧାକୁ ଦୂର କରିବା ଲାଗି ଅତିରିକ୍ତ ୬ ଲକ୍ଷ ଡୋଜ୍‌ର ‘କୋଭିସିଲ୍‌ଡ’ ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଟିକା ଯୋଗାଣ ବ୍ୟବସ୍ଥା ଆଗୁଆ କରା ନଗଲେ ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହେବ ଓ ଟିକାଦାନ ବାଧାପ୍ରାପ୍ତ ହେବ। ତେଣୁ ଏହି ଅସୁବିଧାକୁ ଦୂର କରି ହିତାଧିକାରୀମାନଙ୍କୁ ଧାର୍ଯ୍ୟ ସମୟରେ ଟିକା ଦେବା ପାଇଁ କେନ୍ଦ୍ର ସହାୟକ ହେବା ଜରୁରୀ।

ଆଜିର ଦିନରେ ରାଜ୍ୟରେ ୩.୩୮ଲକ୍ଷ ଡୋଜ୍‌ ‘କୋଭିସିଲ୍‌ଡ’ ଟିକା ଗଚ୍ଛିତ ଅଛି। ଯାହାକି ଆସନ୍ତା ଦୁଇ ଦିନ ଭିତରେ ଶେଷ ହୋଇଯିବ। ଫଳରେ ମଙ୍ଗଳବାରଠାରୁ ଟିକାର ଅଭାବ ପରିଲକ୍ଷିତ ହେବ। ତେଣୁ ଏହି ଅସୁବିଧାକୁ ଦୂର କରିବା ଲାଗି ଅତିରିକ୍ତ ୬ ଲକ୍ଷ ଡୋଜ୍‌ କୋଭିସିଲ୍‌ଡ ପ୍ରଦାନ କରାଯାଉ। ଫଳରେ ଚଳିତ ମାସରେ ନିର୍ଦ୍ଧାରିତ ସମୟ ଓ ସୂଚୀ ଅନୁଯାୟୀ ଟିକାଦାନ ସମ୍ଭବ ହୋଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

‘ରାଜ୍ୟରେ ୧୦ ନର୍ସିଂ କଲେଜ ପ୍ରତିଷ୍ଠା ହେବ’
ଝାରସୁଗୁଡ଼ା : ଝାରସୁଗୁଡ଼ା ସମେତ ୧୦ଟି ଜିଲ୍ଲାରେ ନର୍ସିଂ କଲେଜ ପ୍ରତିଷ୍ଠା ହେବ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଶତାଧିକ ଡାକ୍ତର ନିଯୁକ୍ତ କରିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀ ଅଭାବ ପୂରଣ ପାଇଁ ୧୦ଟି ନର୍ସିଂ କଲେଜ ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇ ସାରିଛନ୍ତି। ଝାରସୁଗୁଡ଼ା, ମୟୂରଭଞ୍ଜ,  ବଲାଙ୍ଗୀର, କୋରାପୁଟ, ବାଲେଶ୍ବର,  ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେଉଁଝର ଓ ଯାଜପୁର ଜିଲ୍ଲାରେ ଏହି କଲେଜ ପ୍ରତିଷ୍ଠା କରାଯିବା ସହିତ ପ୍ରତି କଲେଜରେ ୬୦ଟି ସିଟ ରହିବ। ଫଳରେ ୬ ଶହ ପିଲା ନର୍ସିଂ ତାଲିମ ନେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର