ଚଣ୍ଡିଖୋଲକୁ ଏନ୍‌ଏସି ମାନ୍ୟତା: ୩୩ ବର୍ଷ ହେଲା ପ୍ରସ୍ତାବରେ ଅଟକିଛି

ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଥକିଲାଣି ନଗର ଉନ୍ନୟନ ବିଭାଗ

ଯାଜପୁର : ଯାଜପୁର ଜିଲ୍ଲାର ଚଣ୍ଡିଖୋଲକୁ ବିଜ୍ଞାପିତ ଅଞ୍ଚଳ ପରିଷଦର (ଏନ୍‌ଏସି)ମାନ୍ୟତା ପ୍ରସଙ୍ଗ ୩୩ ବର୍ଷ ହେଲା ପ୍ରସ୍ତାବରେ ଅଟକିଛି। ଏ ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁବାର ଯାଜପୁର ଜିଲ୍ଲାପାଳଙ୍କ ନିକଟକୁ ଚିଠି କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ଦିଆଯାଉ ନଥିବାରୁ ଏହି ପ୍ରସ୍ତାବ ଅଟକି ରହିଛି। ବଡଚଣାର ବ୍ଲକର ଚଣ୍ଡିଖୋଲକୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ଦେବା ପାଇଁ ଗତ ୧୯୮୯ ମସିହା ଠାରୁ ଦାବି ହେଉଛି। ହେଲେ ଏହି ଦାବି ଉପରେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଏଭଳି ଅବହେଳା ପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

ପ୍ରକାଶଥାଉକି ଚଣ୍ଡିଖୋଲକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୨ ଅଗଷ୍ଟ ୧୯୮୯ରେ ତତ୍କାଳୀନ ବିଧାୟକ ସୀତାକାନ୍ତ ମହାପାତ୍ର ନଗର ଉନ୍ନୟନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କୁ ପତ୍ର ଲେଖିବା ପରେ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କଟକ ଜିଲ୍ଲାପାଳ, ଦର୍ପଣ ତହସିଲଦାର, ଉପଜିଲ୍ଲାପାଳ ଯାଜପୁରଙ୍କ ଠାରୁ ଏ ନେଇ ରିପୋର୍ଟ ମଗାଯାଇଥିଲା। ବଡଚଣା ବ୍ଲକର ସୁଙ୍ଗୁଡା ଓ ବଡ଼ଚଣା ଗ୍ରାମପଞ୍ଚାୟତକୁ ନେଇ ଏହି ଏନ୍‌ଏସି ଗଠନ ପାଇଁ ୧୬ ଜୁଲାଇ ୧୯୯୨ ମସିହାରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, କଟକଙ୍କ ତରଫରୁ ଅନୁମୋଦନ ପାଇଁ ନଗର ଉନ୍ନୟନ ବିଭାଗକୁ ପଠାଯାଇଥିଲା। କିନ୍ତୁ, ଅନୁମୋଦନ ପାଇପାରି ନଥିଲା। ପୁଣି ୨୬ ନଭେମ୍ବର ୧୯୯୭ରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ନଗର ଉନ୍ନୟନ ମନ୍ତ୍ରୀ ଅମର ପ୍ରଧାନଙ୍କୁ ପ୍ରସ୍ତାବ ଉପରେ ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ। ଏହାପରେ ପ୍ରଶାସନ ସ୍ତରରେ ପୁଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଉଥରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ୨୩ ଫେବ୍ରୁଆରି ୧୯୯୯ ମସିହାରେ ଅନୁମୋଦନ ଦେବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଭୂପିନ୍ଦର ସିଂହଙ୍କୁ ପତ୍ର ଲେଖିଥିଲେ। ତେବେ ୨୦୦୦ ମସିହାରେ ଏହି ବିଜ୍ଞାପିତ ଅଞ୍ଚଳ ଗଠନ ପ୍ରସ୍ତାବ ଏକପ୍ରକାର ବନ୍ଦ ହୋଇ ଯାଇଥିଲା। ପୁଣି ୨୦୦୩ ଠାରୁ ୨୦୦୮ ମସିହା ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଯାଜପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ। କିନ୍ତୁ, ଜିଲ୍ଲାପାଳ ଯେଉଁ ରିପୋର୍ଟ ଦେଇଥିଲେ ତାହା ଅସମ୍ପୂର୍ଣ୍ଣ ଥିଲା।

ଚିଠିନଂ-୧୩୬୬୨/୧୪-୫-୨୦୧୨ରେ ଜିଲ୍ଲାପାଳଙ୍କୁ ଏ ନେଇ ନଗର ଉନ୍ନୟନ ବିଭାଗ ଅବଗତ କରିଥିଲେ। ଆଉଥରେ ଏହା ଉପରେ ଅନୁଧ୍ୟାନ କରି ଆବଶ୍ୟକ ତଥ୍ୟ ଦେବାପାଇଁ ନଗର ଉନ୍ନୟନ ବିଭାଗ ଚିଠି ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଜିଲ୍ଲାପାଳ ଏହା ଉପରେ ଉତ୍ତର ଦେଇନଥିଲେ। ୨୦୧୫ , ୨୦୧୬ ଓ ୨୦୧୭ ମସିହାରେ ବିଧାୟକ ଅମର ପ୍ରସାଦ ଶତପଥୀ ବିଧାନସଭାରେ ବାରମ୍ବାର ଆଲୋଚନା କରିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଯାଇଥିଲା। ୨୩ ଜୁନ ୨୦୧୮ ଠାରୁ ୧୬ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ନଗର ଉନ୍ନୟନ ବିଭାଗ ୪ଥର ଚିଠି ଲେଖି ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେଣି। ନଗର ଉନ୍ନୟନ ବିଭାଗର ଚିଠିନଂ-୧୬୨୧୧/୨୩-୬-୨୦୧୮, ଚିଠିନଂ-୨୩୬୬/୩୧-୧-୨୦୨୦,ଚିଠିନଂ-୮୬୧୬/୨୩-୪-୨୦୨୧ ଓ ଚଳିତ ବର୍ଷ ଚିଠିନଂ-୧୨୨୮୭/୧୬-୭-୨୦୨୨ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ଆବଶ୍ୟକ ତଥ୍ୟ ମାଗିଛନ୍ତି। ଏହି ପୁରୁଣା ଦାବି ଉପରେ ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେବା ସହିତ ତୁରନ୍ତ ରିପୋର୍ଟ ଦେବା ପାଇଁ କହିବା ସତ୍ତ୍ବେ ଆଜିଯାଏଁ ଜିଲ୍ଲାପାଳ ରିପୋର୍ଟ ଦେଉନାହାନ୍ତି।

ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଚଣ୍ଡିଖୋଲକୁ ଏନ୍‌ଏସି ମାନ୍ୟତା ମିଳିପାରୁ ନାହିଁ ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର