୬ ମାସ ମଧ୍ୟରେ ପୌର ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଅଚଳାବସ୍ଥା ଲାଗି ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ସରକାର ପ୍ରସ୍ତୁତି ହୋଇଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଆସନ୍ତା ୨୦ ତାରିଖ ଠାରୁ ବିଧାନସଭାରେ ବସିବାକୁ ଥିବା ଶୀତକାଳୀନ ଅଧିବେଶନରେ ପୌର ନିୟମ ସଂଶୋଧନ ନେଇ ବିଧେୟକ ଆସିବ ବୋଲି ଜଣାପଡିଛି ।

ଏହା ପାରିତ ହେବା ପରେ ସରକାର ପୌର ନିର୍ବାଚନ ପାଇଁ କିଭଳି ପ୍ରସ୍ତୁତ ହେଉଛନ୍ତି ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଇବେ । ଏହା ପରେ କମିସନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ । ୱାର୍ଡ ପୁନର୍ଗଠନ, ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ କରାଇବାକୁ ୬ ମାସ ସମୟ ଆବଶ୍ୟକ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆସିବା ପରେ ୨୦୨୧ ଜୁନ୍ ସୁଦ୍ଧା ପୌର ନିର୍ବାଚନ ହୋଇପାରେ ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି ।

ସୂଚନା ଥାଉକି ଯେ ୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ଅଧିକ ଥିଲା । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କ କ୍ଷେତ୍ରରେ ସଂରକ୍ଷଣ ହାର ୬୪ ପ୍ରତିଶତ ହେଉଥିଲା । ୨୦୧୦ରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ଏହି ସଂରକ୍ଷଣ ହାର ତାହାକୁ ଅବମାନନା କରୁଥିବା ଦର୍ଶାଇ ହାଇକୋର୍ଟରେ ୧ ଶହରୁ ଅଧିକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ ଅନୁସୂଚିତ ଅଞ୍ଚଳକୁ ବାଦ ଦେଇ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ କାଏମ ରଖିବାକୁ ରାଜ୍ୟସରକାର ଏହାର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାକି ଖାରଜ ହୋଇଯାଇଥିଲା। ରାଜ୍ୟରେ ୨୦୧୮ ମସିହା ସେପ୍ଟେମ୍ବର ମାସରୁ ବିଭିନ୍ନ ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିବା ଆରମ୍ଭ ହୋଇଥିଲା । ୨୦୧୯ ଫେବୃଆରି ୧୩ ତାରିଖ ମଧ୍ୟରେ କଟକ, ଭୁବନେଶ୍ୱର ମହାନଗର ନିଗମ ସହିତ ରାଜ୍ୟର ୯୩ ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା ।

ସମ୍ବନ୍ଧିତ ଖବର