କୋରାପୁଟ : ଦୀର୍ଘ ଦିନ ପରେ କୋରାପୁଟ ଜେଲରୁ ମୁକୁଳିଛନ୍ତି ଚାଷୀ ମୁଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଆଜି କୋରାପୁଟ ସହକାରୀ ଜୌରାଜଜ୍ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜେଲରୁ ବାହାରିବା ପରେ ସେ କହିଛନ୍ତି ଜାମିନ ମିଳିଥିବାରୁ ସେ ଆଇନ ବ୍ୟବସ୍ଥା, ସରକାର ଓ କୋରାପୁଟବାସୀଙ୍କୁ ଧନ୍ୟବାଦ ଦେଉଛନ୍ତି। ଆଗକୁ ସେ ଜନସେବା ଜାରି ରଖିବେ ବୋଲି କହିବା ସହ କୌଣସି ହିଂସାତ୍ମକ କାମରେ ଜଡ଼ିତ ହେବେ ନାହିଁ। ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା ଗତ ୨୦୧୪ ଅକ୍ଟୋବର ୨୮ରେ ଗିରଫ ହୋଇ କୋରାପୁଟ ସର୍କଲ ଜେଲରେ ଥିଲେ। ତାଙ୍କ ନାମରେ ବିଭିନ୍ନ ମାମଲା ରହିଥିବାବେଳେ ଏହାର ବିଚାର ଚାଲିଥିଲା। ଏ ଭିତରେ ସେ ୪୪ଟି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ତାଙ୍କ ନାମରେ ଥାନା ଆକ୍ରମଣ ନେଇ ନାରାୟଣପାଟଣା ଥାନାରେ ଏକ ମାମଲା ରହିଥିବାରୁ ଏହି ମାମଲାରେ ଜେଲ୍ରୁ ମୁକୁଳି ପାରିନଥିଲେ। ଗତ ୪ ତାରିଖରେ ଏହି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଏ ସଂପର୍କିତ କାଗଜପତ୍ର କୋରାପୁଟ ସହକାରୀ ଦୌରା ଜଜ୍ଙ୍କ ଅଦାଲତରେ ଦାଖଲ କରାଯିବା ପରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ମୁଚାଲିକା ସହ ଦୁଇ ଜଣ ଜାମିନଦାରଙ୍କ ଜରିଆରେ ସେ ଜେଲରୁ ବାହାରିଛନ୍ତି। ତେବେ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମାମଲାରେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ, ବିଚାର ତାରିଖରେ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ, ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ଅଦାଲତଙ୍କ ବିନା ଅନୁମତିରେ କୋରାପୁଟ ଛାଡ଼ି ବାହାରକୁ ଯିବେ ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି। ଆଜି ଜେଲରୁ ମୁକୁଳିବା ପରେ ସରକାର ଓ ଆଇନ ବ୍ୟବସ୍ଥାକୁ କୃତଜ୍ଞତା ଜଣାଇଛନ୍ତି ନାଚିକା। ଆଇନ ବ୍ୟବସ୍ଥା ଉପରେ ତାଙ୍କର ଭରସା ରହିଛି । ଆଜି ଜେଲରୁ ବାହାରିଥିବାରୁ ସେ ଖୁସି। ଆଗାମୀ ଦିନରେ ଜନସେବା ଜାରି ରଖିବେ ବୋଲି କହିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ଲୋକଙ୍କ ଭଲ ପାଇଁ କାମ କରିବେ। ମହିଳାଙ୍କ ଉନ୍ନତି ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଆଜି ସେ ଜେଲରୁ ବାହାରିବା ପରେ ଲୋକ ଜନଶକ୍ତିର ଆବାହକ ପ୍ରଫୁଲ୍ଲ ସାମନ୍ତରା ସ୍ବାଗତ କରିଥିଲେ। ଜେଲ୍ରୁ ବାହାରିବା ପରେ ତାଙ୍କ ଶୁଭେଚ୍ଛୁମାନେ ସମ୍ମାନିତ କରି ଗାଁକୁ ପାଛୋଟି ନେଇଥିଲେ।