ବାଦଲଙ୍କ ପାଇଁ ଭୋଟ୍‌ ମାଗିଲେ ନଛୁ

ଦଳ ପାଇଁ ଆନୁଗତ୍ୟ ନା ବାଧ୍ୟବାଧକତା!

ବାରିପଦା: ଆସନ୍ତା ୨୪ରେ ପୌର ନିର୍ବାଚନ। ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ଆସନ୍ତା ୧୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ସେଦିନ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାକୁ ଅପେକ୍ଷା ନ କରି ସବୁ ଦଳର ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ନଗରପାଳ ପ୍ରାର୍ଥୀମାନେ ନିଜ ଦଳର କାଉନ୍‌ସିଲର ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡିର ନଗରପାଳ ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି, ବିଜେପିର କବିବିଷ୍ଣୁ ଶତପଥୀ ଓ କଂଗ୍ରେସର ଯୋଗେଶ ଅଗ୍ରୱାଲ କାଉନ୍‌ସିଲର ପ୍ରାର୍ଥୀ ଏବଂ ସମର୍ଥକଙ୍କୁ ଧରି ୱାର୍ଡ ୱାର୍ଡ ବୁଲି ଭୋଟରଙ୍କୁ ଭୋଟ୍‌ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।

ଏଥି ସହ ‌ଜେଏମ୍‌ଏମ୍‌, ଆମ୍‌ ଆଦମି ପାର୍ଟି ଓ ସ୍ବାଧୀନ ନଗରପାଳ ଓ କାଉନ୍‌ସିଲର ପ୍ରାର୍ଥୀମାନେ ବି ୱାର୍ଡ ବୁଲି ପ୍ରଚାର ଚଳାଇଛନ୍ତି।  କିଏ କହୁଛନ୍ତି ଜିତିଲେ ରାସ୍ତା, ଡ୍ରେନେଜ୍‌ ଓ ପରିମଳ ସମସ୍ୟା ଦୂର କରିବେ, ଆଉ କିଏ କହୁଛନ୍ତି ଜିତିଲେ ସହରବାସୀଙ୍କ ପାଣି ସମସ୍ୟା ରହିବ ନାହିଁ। ନଗରପାଳ ପଦ ପାଇଁ ଚଳିତ ଥର ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ସବୁଠି ସାଧାରଣ ନିର୍ବାଚନ ଭଳି ମାହୋଲ ଦେଖିବାକୁ ମିଳୁଛି। ତେବେ ସବୁଠାରୁ ରୋଚକ କଥା ହେଲା; ନଗରପାଳ ପଦ ପାଇଁ ଆଶାୟୀ ଥିବା ବିଜେଡିର ବରିଷ୍ଟ ନେତା ଜିତେନ୍ଦ୍ର ମହାନ୍ତି (ନଛୁ) ଆଜି ଦଳୀୟ ନଗରପାଳ ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି (ବାଦଲ)ଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଯାହା କି ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

ପୂର୍ବରୁ ଉପନଗରପାଳ ଥିବା ଜିତେନ୍ଦ୍ର ସହରର ସବୁ ୱାର୍ଡ, ସାହିବସ୍ତିରେ ତାଙ୍କର ସାମାଜିକ କାର୍ଯ୍ୟ ‌ପାଇଁ ବେଶ ପରିଚିତ। ସେ ବି ଏଥର ନଗରପାଳ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ସହରବାସୀ ବି ତାଙ୍କୁ ଚାହୁଁଥିଲେ। ତେବେ ଦଳ ତାଙ୍କ ବଦଳରେ କୃଷ୍ଣାନନ୍ଦଙ୍କୁ ପ୍ରାର୍ଥୀ କଲା। ଯାହାକୁ ଜିତେନ୍ଦ୍ର ଓ ତାଙ୍କର ସମର୍ଥକ ଓ ଶୁଭେଛୁ ସହଜରେ ଗ୍ରହଣ କରି ପାରି ନଥିଲେ। ଏହିଭଳି ସ୍ଥଳେ ବିଜେପି ବି ତାଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା ଚଳାଇଥିଲା।

ଅଧିକାଂଶ ସହରବାସୀ ଜିତେନ୍ଦ୍ର ସ୍ବାଧୀନ ଭାବେ ଲଢ଼ନ୍ତୁ ବୋଲି କହିଥିଲେ। ବିଜେପିରୁ କିମ୍ବା ସ୍ବାଧୀନରୁ ଜିତେନ୍ଦ୍ର ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିବାରୁ ଦଳ ପାଇଁ ବିପଦ ଆଶଙ୍କା କରି ବହୁ ହେଭିୱେଟ୍ ନେତା ଆସି ତାଙ୍କ ଘରେ ଦୁଇଦିନ ଧରି ଡେରା ପକାଇ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। କ’ଣ ବୁଝାଇଲେ କେଜାଣି; ଶେଷରେ ଦଳରେ ଅଛି କହି ପ୍ରାର୍ଥୀ ହେବାକୁ ସେ ମନା କରି ଦେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ମତାମତ ପ୍ରକାଶ ପାଇଥିଲା। ଦଳୀୟ ନଗରପାଳ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ଦିନ ଜିତେନ୍ଦ୍ର କିଛି ସମୟ ପାଇଁ ସେଠାକୁ ଯାଇଥିଲେ। ତାପରେ ଏକପ୍ରକାର ନିରବ ରହିଥିବା ଜିତେନ୍ଦ୍ର ଆଜିଠୁ ପ୍ରଚାରରେ ସାମିଲ ହୋଇଛନ୍ତି।

ଆଜି କେତେକ ୱାର୍ଡରେ ତାଙ୍କୁ ଦେଖି ଭୋଟରମାନେ କିଛି କହିବାକୁ ଚାହୁଁଥିବା ଏବଂ ସେ ଏହାକୁ ‌ଯଥା ସମ୍ଭବ ଏଡ଼ାଇ ଦେବାକୁ ଚାହୁଁଥିବା ଦେଖିବାକୁ ମିଳିଥିଲା। ତେବେ ନିରବ ଥିବା ଜିତେନ୍ଦ୍ର ଏବେ ହଠାତ୍ କାହିଁକି ପ୍ରଚାରରେ ଓହ୍ଲାଇଲେ, ତାହା ଜଣା ପଡ଼ୁନାହିଁ। ଦଳ ପ୍ରତି ଆନୁଗତ୍ୟ ନା ବାଧ୍ୟବାଧ୍ୟକତା ପାଇଁ ସେ ଏହା କରିଛନ୍ତି, ସେ ନେଇ ଭବିଷ୍ୟତରେ ସ୍ପଷ୍ଟ ହେବ। ଗତ ଦୁଇ ନିର୍ବାଚନରେ ବାରିପଦା ପୌର ପରିଷଦ ବିଜେଡି ଦଖଲରେ ଥିଲା। ଏଥର ଜିତି ହାଟ୍ରିକ ମାରିବା ଲକ୍ଷ୍ୟରେ ବିଜେଡି ଥିବା ବେଳେ ବ୍ରେକ୍ ଦେବାରେ ବିରୋଧୀ କେତେ ସଫଳ ହେଉଛନ୍ତି, ତାହା ଦେଖିବାର କଥା। ବାରିପଦାର ୨୮ଟି ୱାର୍ଡର ୮୧ ହଜାର ୨୨୨ ଭୋଟର ଆସନ୍ତା ୨୪ ତାରିଖରେ ୮୨ଟି ବୁଥ୍‌ରେ ମତଦାନ ସାବ୍ୟସ୍ତ କରିବେ।

ସମ୍ବନ୍ଧିତ ଖବର