ନାଚୁଣୀ/ବାଲୁଗାଁ/ଖୋର୍ଦ୍ଧା : ମନୋରଂଜନ ମହାପାତ୍ର ଥିଲା ଏକ ପେସାଦାର ଅପରାଧୀ। ୨୨-୨୩ ବର୍ଷ ବୟସରୁ ମୋଟରସାଇକଲ୍‌ରେ ଷ୍ଟଣ୍ଟ୍‌ ସହ ଗୁଣ୍ତାଗର୍ଦ୍ଦି ଆରମ୍ଭ କରିଦେଇଥିଲେ। ଏହାସତ୍ତ୍ବେ ମନୋରଂଜନ ପ୍ରେମରେ ପଡ଼ିଯାଇଥିଲେ ୧୮-୧୯ ବର୍ଷର ନିଲି। ନିଲି ନିଜ ପରିବାରର ବାରଣକୁ ଖାତିର ନକରି ମନୋରଂଜନଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ନିଜ ଗାଁଠାରୁ ୨୦ କିମି ଦୂର ଚାନ୍ଦପୁରରେ ଏକ ଭଡ଼ା ଘରେ ରହୁଥିଲେ। ପ୍ରଥମ ଦୁଇବର୍ଷ ଭଲରେ କଟିଥିଲା, ତା’ପରେ ନିଲି ଉପରେ ମନୋରଂଜନର ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା।

Advertisment

ଅତ୍ୟାଚାର ୪–୫ ବର୍ଷ ଧରି ଚାଲିଥିଲା। ଶେଷରେ ଅତିଷ୍ଠ ହୋଇପଡ଼ିଥିଲେ ନିଲି। ନିଜର ସମ୍ପର୍କୀୟ ଭାଇ ଓ ଜଣେ ବନ୍ଧୁଙ୍କ ସହ ମିଶି ମନୋରଂଜନର ନିର୍ଯାତନାରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ଯୋଜନା କରିଥିଲେ। ଏହ ହେଉଛି ଗତକାଲି ନାଚୁଣୀ ନିକଟ ହରିପୁର ଜଙ୍ଗଲରୁ ମିଳିଥିବା ହାଲକା ନୀଳ ରଙ୍ଗର ସୁଟକେସ୍‌ରୁ ମିଳିଥିବା ମୃତଦେହ ପଛର ଘଟଣା। ଗତକାଲି ସୁଟ୍‌କେସ୍‌ରୁ ମନୋରଂଜନର ମୃତଦେହ ମିଳିବାର ୨୦ ଘଣ୍ଟାରେ ପୁଲିସ ସମସ୍ତ ରହସ୍ୟ ଉପରୁ ପରଦା ହଟାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୃତ ମନୋରଂଜନ ବିରୋଧରେ ୩ଟି ଜିଲ୍ଲାରେ ୭ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି। ଏପରିକି ତାକୁ ଗିରଫ କରିବାକୁ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।

publive-image

୨୦୧୭ରେ ମନୋରଂଜନ ଓ ନିଲି ଦାସ ବିବାହ ପରେ ଉଭୟ ଗାଁ ଛାଡ଼ି ଚିଲିକା ବ୍ଲକ୍‌ ଅଧୀନ ଚଣ୍ଡେଶ୍ବର ନିକଟ ଦାରୁ ଗାଁଠାରେ ଏକ ଭଡ଼ା ଘରେ ରହିଥିଲେ। ଗତ ୨୦ ତାରିଖ ସଂଧ୍ୟାରେ ମନୋରଂଜନ ବାହାରୁ ସବୁଦିନ ଭଳି ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ନିଲିଙ୍କୁ ବାଡ଼େଇଥିଲା। ଏଥିରେ ଅତିଷ୍ଠ ହୋଇଯାଇଥିଲେ ନିଲି। ଏନେଇ ନିଜର ସମ୍ପର୍କୀୟ ଭାଇ ମିଟୁ ଦାସ (୨୬) ଓ ଅନ୍ୟଜଣେ ବନ୍ଧୁ ଟାଙ୍ଗୀ ଗୋଡ଼ିପାଟଣା ଗାଁର ବିକ୍ରମ କୁମାର ସାହୁ (୨୯)କୁ ଜଣାଇଥିଲା। ୨୧ ତାରିଖରେ ମନୋରଂଜନ ଅନୁପସ୍ଥିତିରେ ତିନି ଜଣ ଏକତ୍ରିତ ହୋଇ ମନୋରଂଜନକୁ ସବୁଦିନ ପାଇଁ ହଟାଇଦେବାକୁ ଯୋଜନା କରିଥିଲେ। ବିକ୍ରମ ଓ ମିଟୁ ଚାନ୍ଦପୁର ବଜାରରୁ ୩୨ ଇଂଚିଆ ଏକ ବଡ଼ ହାଲକା ନୀଳ ରଙ୍ଗର ସୁଟ୍‌କେସ୍‌ କିଣି ଆଣିଥିଲେ। ସେହିଦିନ ରାତିରେ ମନୋରଂଜନ ନିଶାଗ୍ରସ୍ତ ହୋଇ ଘରକୁ ଫେରିଥିଲେ। ଘରେ ଚାରିଜଣ ମିଶି ଖାଇବା ସହ ମଦ ପିଇଥିଲେ। ପରେ ବିକ୍ରମ, ମିଟୁ ଓ ନିଲି ମିଶି ମନୋରଂଜନକୁ ହତ୍ୟା କରିଥିଲେ।

ଏହାପରେ ଏକ ଦଉଡ଼ି ଓ ଚୁନିରେ ମନୋରଂଜନର ହାତଗୋଡ଼ ବାନ୍ଧି ସୁଟ୍‌କେସ୍‌ରେ ପୂରାଇଥିଲେ। ବିକ୍ରମର ପଲସର୍‌ ମୋଟର ସାଇକେଲ୍‌ରେ ରାତିରେ ଆଣି ହରିପୁର ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏହି ଘଟଣାରେ ଗତକାଲି ନାଚୁଣୀ ପୁଲିସ ଏକ ମାମଲା ରୁଜୁ କରିଥିଲା। ପ୍ରଥମେ ମୃତ ଦେହକୁ ଚିହ୍ନଟ କରିବା ପରେ ସୁଟ୍‌କେସ୍‌ଟି କେଉଁଠାରୁ କିଣାଯାଇଥିଲା ସେନେଇ ଅନୁସନ୍ଧାନ ଆରମ୍ଭ କରିଥିଲା। ସୁଟ୍‌କେସ୍‌ଟି ଚାନ୍ଦପୁର ବଜାରରୁ କିଣାଯାଇଥିବା ଜାଣିବାକୁ ପାଇଥିଲା ପୁଲିସ। ଏହାପରେ ଚଣ୍ଡେଶ୍ବର ପେଟ୍ରୋଲ୍ ପମ୍ପର ସିସିଟିଭି ଫୁଟେଜ୍ ଆଧାରରେ ମୋଟର ସାଇକେଲ୍‌ର ନମ୍ବରରୁ ପ୍ରଥମେ ବିକ୍ରମର ପରିଚୟ ପାଇଥିଲା। ହତ୍ୟାରେ ବ୍ୟବହୃତ ପଲସର୍‌ ମୋଟର ସାଇକେଲ୍‌ (ଓଡି୦୨ ଏସ୍‌୧୯୧୭) ସହ ବିକ୍ରମକୁ ଗିରଫ କରିଥିଲେ। ବିକ୍ରମଠାରୁ ମିଟୁର ପରିଚୟ ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରି ମିଟୁକୁ ଧରିଥିଲା। ଆଜି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।