ଏଚ୍‌ଆଇଭି/ଏଡ୍‌ସ ସଚେତନତା ବଜେଟ୍‌ କାଟିଲା ନାକୋ

ବଜେଟ୍‌ ବଢ଼ାଇବାକୁ ଓସାକ୍ସର ଚିଠି, ଆର୍ଥିକ ଅନିୟମିତତା ପାଇଁ ରାଜ୍ୟର ୪ ଏନ୍‌ଜିଓ ବନ୍ଦ, ମୟୂରଭଞ୍ଜ ଓ କଳାହାଣ୍ଡିରେ ଖୋଲିବ ଏଆରଟି କେନ୍ଦ୍ର, ସ୍କୁଲରେ ଏଚ୍‌ଆଇଭି/ଏଡ୍‌ସ ନେଇ ସଚେତନ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷ ପାଇଁ ଏଚ୍‌ଆଇଭି/ଏଡ୍‌ସ ସଚେତନତା ବା ଆଇଇସି ବଜେଟ୍‌କୁ କମାଇ ଦେଇଛି ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ନାକୋ। ଗତବର୍ଷ ତୁଳନାରେ ଏହି ବଜେଟ୍‌ ଯଥେଷ୍ଟ ହ୍ରାସ ପାଇଛି। ଫଳରେ ଏଚ୍‌ଆଇଭି/ଏଡ୍‌ସ ନିୟନ୍ତ୍ରଣ ଲାଗି ସଚେତନତା କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଆଇଇସି ବଜେଟ୍‌କୁ ବଢ଼ାଇବାକୁ ରାଜ୍ୟ ଏଡ୍‌ସ ନୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ନାକୋକୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି।

ଗତ ଦୁଇବର୍ଷରେ ନାକୋ ପକ୍ଷରୁ ଓସାକ୍ସକୁ ବିଭିନ୍ନ କ୍ଷେତ୍ରରେ ଦିଆଯାଇଥିବା ଅର୍ଥ ମଧ୍ୟରୁ ଟାର୍ଗେ‌ଟ୍ ଇଣ୍ଟରଭେନସନ୍ ବା ଟିଆଇ ଓ ଇନଫରମେସନ୍, ଏଜୁକେସନ୍ ଓ କମ୍ୟୁନିକେସନ୍‌ ବା ଆଇଇସି ଓ ବ୍ଲଡ୍ ଟ୍ରାନ୍‌ସଫ୍ୟୁଜନ୍ ସର୍ଭିସ୍ ବା ବିଟିଏସ୍‌ରେ ବଜେଟ୍‌ ଯଥେଷ୍ଟ କମିଛି। ୨୦୧୮/୧୯ରେ ଆଇଇସି ପାଇଁ ୨୩୩.୫୯ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୨୦୧୯/୨୦ରେ ଏହାକୁ ୧୮୮.୬୪ଲକ୍ଷ ଟଙ୍କାକୁ କମାଇ ଦିଆଯାଇଛି। ସେହିପରି ଟିଆଇରେ ୨୦୧୮/୧୯ରେ ୯୬୦.୭୯ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୨୦୧୯/୨୦ରେ ୯୪୫.୦୮ଲକ୍ଷ ଟଙ୍କା ନାକୋ ପକ୍ଷରୁ ବ୍ୟୟବରାଦ କରାଯାଇଛି। ବିଟିଏସ୍‌ରେ ୨୦୧୮/୧୯ରେ ୨୯୭.୨୧ଲକ୍ଷ ଟଙ୍କା ରହିଥିବା ବେଳେ ୨୦୧୯/୨୦ରେ ଏହା ୨୭୦.୪୮ଲକ୍ଷ ଟଙ୍କାକୁ ଖସି ଆସିଛି। ସେକ୍ସୁଆଲ ଟ୍ରାନ୍‌ସମିଟେଡ୍‌ ଇନଫକେସନ୍ ବା ଏସ୍‌ଟିଆଇ, ଲ୍ୟାବ୍ ସର୍ଭିସ୍, ଷ୍ଟ୍ରାଟେଜିକ୍ ଇନଫରମେସନ୍ ମ୍ୟାନଜମେଣ୍ଟ ୟୁନିଟ୍ ବା ଏସ୍‌ଆଇଏମ୍‌ୟୁରେ ଆଶାତୀତ ବୃଦ୍ଧି ହୋଇନାହିଁ। ୨୦୧୮/୧୯ରେ ଏହା ୮୯.୫ଲକ୍ଷ ଟଙ୍କା ଥିବା ବେଳେ ୨୦୧୯/୨୦ରେ ୯୪.୧ଲକ୍ଷ ଟଙ୍କା ଦିଆଯାଇଛି। ଏଲଏସ୍‌ରେ ୧୫.୫୩ଲକ୍ଷ ୨୦୧୮/୧୯ରେ ରହିଥିବା ବେଳେ ୨୦୧୯/୨୦ରେ ଏହା ୨୦.୪୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏସ୍‌ଆଇଏମ୍‌ୟୁ ୨୦୧୮/୧୯ରେ ୨୧.୭୮ଲକ୍ଷ ଟଙ୍କା ରହିଥିବା ବେଳେ ୨୦୧୯/୨୦ରେ ଏଥିରେ ସାମାନ୍ୟ ବୃଦ୍ଧି ହୋଇ ୨୬.୮୨ଲକ୍ଷ ଟଙ୍କାରେ ପହଞ୍ଚିଛି। ଅପରପକ୍ଷରେ କେତେକ କ୍ଷେତ୍ରରେ ମଧ୍ୟ ନାକୋ ବ୍ୟୟ ବରାଦରେ ଯଥେଷ୍ଟ ବୃଦ୍ଧି କରିଛି। ବିଏସ୍‌ଡି ଓ ସିଏସ୍‌ଟିରେ ଗତବର୍ଷ ତୁଳନାରେ ଅଧିକ ଅର୍ଥ ବରାଦ ହୋଇଛି।

ଓସାକ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯/୨୦ବର୍ଷ ପାଇଁ ପ୍ରାୟ ୬୦ କୋଟି ଟଙ୍କାର ବ୍ୟୟ ବରାଦ କରିବା ପାଇଁ ନାକୋକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିରେ ଅଧିକ ସଂଖ୍ୟାରେ କର୍ମଚାରୀଙ୍କୁ ନିଯୁକ୍ତି ସହିତ ଏଆରଟି ସେଣ୍ଟର ଖୋଲିବା ଭଳି ଅନେକ ପ୍ରସ୍ତାବ ରହିଥିଲା। ମାତ୍ର ନାକୋ ପକ୍ଷରୁ ୨୦୧୯/୨୦ବର୍ଷ ପାଇଁ ୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅର୍ଥ କମିଯିବା ଫଳରେ ରାଜ୍ୟରେ ଏଚ୍‌ଆଇଭି/ଏଡ୍‌ସ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଯଥେଷ୍ଟ ଆଶଙ୍କା ସୃଷ୍ଟି ହୋଇଛି।

ଅପରପକ୍ଷରେ ରାଜ୍ୟରେ ଏଚ୍‌ଆଇଭି/ଏଡ୍‌ସ ରୋଗୀ ଓ ତୃତୀୟ ଲିଙ୍ଗୀଙ୍କ ପାଇଁ ଏକାଧିକ ଏନ୍‌ଜିଓ ବା ଟିଆଇ କାର୍ଯ୍ୟ କରୁଛନ୍ତି। ତେବେ କେତେକ ଟିଆଇ ଆର୍ଥିକ ଅନିୟମିତତା ସହିତ ଠିକ୍ ଭାବେ କାର୍ଯ୍ୟକ୍ରମ କରୁନଥିବା ନଜରକୁ ଆସିଥିଲା। ନାକୋ ଓ ସମିତି ପକ୍ଷରୁ ଏହାର ମୂଲ୍ୟାୟନ କରାଯାଇଥିଲା। ଏଥିରେ ନବରଙ୍ଗପୁର, ଭୁବନେଶ୍ବର, ସମ୍ବଲପୁର ଓ ରାୟଗଡ଼ାକୁ ମିଶାଇ ୪ଟି ଏନ୍‌ଜିଓ ଆର୍ଥିକ ଅନିୟମିତତା ଓ ସଚେତନତା କାର୍ଯ୍ୟକ୍ରମରେ ଅବହେଳା କରୁଥିବା ନଜରକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଏହାକୁ ବନ୍ଦ କରି ଦିଆଯାଇଛି। ଫଳରେ ଟିଆଇ ସଂଖ୍ୟା ରାଜ୍ୟରେ ଏବେ ୫୨ରୁ ୪୮କୁ ଖସି ଆସିଛି। ଏପରିକି ନବରଙ୍ଗପୁର ଭଳି ଜିଲ୍ଲାରେ ଏବେ କୌଣସି ଟିଆଇ କାର୍ଯ୍ୟ କରୁନାହିଁ। ତୃତୀୟଲିଙ୍ଗୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ କୌଣସି ଟିଆଇ ନାହିଁ। ତୃତୀୟ ଲିଙ୍ଗୀ ଗୋଷ୍ଠୀ ଏଚ୍‌ଆଇଭି/ଏଡ୍‌ସ ଦିଗରେ ଅଧିକ ସମ୍ବେଦନଶୀଳ। ତେଣୁ ଏକାଧିକ ଏନ୍‌ଜିଓ ବନ୍ଦ ହେବା ଫଳରେ ଏଚ୍‌ଆଇଭି/ଏଡ୍‌ସ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ପହଞ୍ଚାଇବାରେ ସମସ୍ୟା ସୃଷ୍ଟି ହୋଇଛି।

ସମିତିର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଆଇଇସିରେ ବଜେଟ୍‌ କମିବା ପରେ ଏହାକୁ ବୃଦ୍ଧି କରିବା ପାଇଁ ନାକୋକୁ ଚିଠି ଲେଖାଯାଇଛି। ନାକୋ ମଧ୍ୟ ଏହାକୁ ପୁନର୍ବିଚାର କରିବ ବୋଲି ଆଶା କରାଯାଉଛି। ବନ୍ଦ ହୋଇଥିବା ଟିଆଇ ପାଇଁ ନୂତନ ଟେଣ୍ଡର୍‌ ସହିତ ଯେଉଁ ଜିଲ୍ଲାରେ ଟିଆଇ ନାହିଁ, ତାହାକୁ ଗୁରୁତ୍ବ ଦିଆଯାଉଛି। ଖୁବଶୀଘ୍ର ଏଥିପାଇଁ ଟେଣ୍ଡର୍‌ ଆହ୍ବାନ କରାଯିବ। ଏହାସହ ଆ‌ହୁରି ଅଧିକ ସଂଖ୍ୟାରେ ଟିଆଇ ଖୋଲିବା ପାଇଁ ଯୋଜନା ହୋଇଛି। ଫଳରେ ତୃଣମୂଳସ୍ତରରେ ଏଚ୍‌ଆଇଭି/ଏଡ୍‌ସ କାର୍ଯ୍ୟକ୍ରମ ପହଞ୍ଚି ପାରିବ। ଖୁବଶୀଘ୍ର ମୟୂରଭଞ୍ଜ ଓ କଳାହାଣ୍ଡିରେ ଏଆରଟି ସେଣ୍ଟର ଖୋଲିବାକୁ ଯାଉଛି। ଏହି ଦୁଇ କେନ୍ଦ୍ର ଖୋଲିବା ପରେ ରାଜ୍ୟରେ ଏଆରଟି ସେଣ୍ଟର ସଂଖ୍ୟା ୧୫କୁ ବୃଦ୍ଧି ପାଇବ।

ଖୁବଶୀଘ୍ର ସ୍କୁଲରେ ଏଚ୍‌ଆଇଭି/ଏଡ୍‌ସ ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଫଳରେ କିଶୋର/କିଶୋରୀମାନେ ଏ ସଂପର୍କରେ ଅଧିକ ଜ୍ଞାନ ହାସଲ କରିପାରିବେ। ୨୦୧୪ ମସିହାରେ ଯଦିଓ ନାକୋ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା, ମାତ୍ର ପରବର୍ତୀ ସମୟରେ ଏହା ବନ୍ଦ ହୋଇଯାଇଥିଲା। ତେବେ ପୁନର୍ବାର ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍କୁଲର ଶିକ୍ଷକମାନଙ୍କୁ ପ୍ରଥମେ ତାଲିମ୍ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ୨ଶହ ଶିକ୍ଷକଙ୍କୁ ତାଲିମ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ସ୍କୁଲରେ ଏହା ସ୍ବତନ୍ତ୍ର ପାଠ୍ୟକ୍ରମ ରହିବ କିମ୍ବା ଏକ ପିରିୟଡ୍ ଅନୁସାରେ ଏହାକୁ ଶିକ୍ଷା ଦିଆଯିବ, ତାହାର ନିଷ୍ପତ୍ତି ନାକୋରୁ ଗାଇଡଲାଇନ୍ ଆସିବା ପରେ ନିଆଯିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର