ଭୁବନେଶ୍ବର: ଓଡ଼ିଶାରେ ୩୫୧ଟି ସେକ୍ସ ନେଟ୍‌ୱର୍କ ଅପରେଟର ଅଛନ୍ତି। ବିଭିନ୍ନ ୱେବ୍‌ସାଇଟ୍‌, ଆପ୍‌, ମସାଜ ସେଣ୍ଟର ଓ ଅନ୍ୟ ଯୋଗାଯୋଗ ମାଧ୍ୟମରେ ଏହି ନେଟ୍‌ୱର୍କ ଅପରେଟରମାନେ ଯୌନ କାରବାର ଚଳାଇଛନ୍ତି। ବର୍ଷ ବର୍ଷ ଧରି ଏହି ସଂସ୍ଥାଗୁଡ଼ିକ କାରବାର ଚଳାଇଥିଲେ ହେଁ ପୂର୍ବରୁ କେବେହେଲେ ସରକାରଙ୍କ ନଜରକୁ ଆସି ନ ଥିଲେ। ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସମିତି(ନାକୋ) ପକ୍ଷରୁ ହୋଇଥିବା ପ୍ରୋଗ୍ରାମଟିକ୍ ମ୍ୟାପିଂ ଏଣ୍ଡ ପପୁଲେସନ୍‌ ସାଇଜ୍ ଏଷ୍ଟିମେଟ୍‌(ପି-ଏମ୍‌ପିଏସ୍‌ଇ) ସର୍ଭେରେ ଏବେ ପ୍ରଥମଥର ଲାଗି ସେମାନଙ୍କୁ ଚିହ୍ନଟ କରାଯାଇଛି। ଏହି ନେଟ୍‌ୱର୍କ ଅପରେଟରମାନଙ୍କୁ ଏଣିକି ନାକୋ ପକ୍ଷରୁ ରହିଥିବା ଆବଶ୍ୟକ ସଚେତନତା ଓ କାର୍ଯ୍ୟକ୍ରମ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। 

Advertisment

ରାଜ୍ୟର ଯେଉଁ ସମ୍ବେଦନଶୀଳ ଜନଗୋଷ୍ଠୀଙ୍କ ଭିତରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ସେହି ହଟ୍‌ସ୍ପଟ୍‌ ଅଞ୍ଚଳକୁ ଚିହ୍ନଟ ଓ ସେମାନଙ୍କ ସଂଖ୍ୟା କେତେ ଜାଣିବା ଲାଗି ପି-ଏମ୍‌ପିଏସ୍‌ଇ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ, ପୁରୀରେ ସର୍ବାଧିକ ୧୨୪ଜଣ ସେକ୍ସ ଅପରେଟର ରହିଛନ୍ତି। ଏହାବାଦ୍ ଖୋର୍ଦ୍ଧାରେ ୬୧, କଟକ ୩୨, ଗଞ୍ଜାମ ୨୪, କନ୍ଧମାଳ ୧୪, ନୟାଗଡ଼ ୧୩, ଭଦ୍ରକ ୧୧ ଓ ସୁନ୍ଦରଗଡ଼ରେ ୯ଟି ଅପରେଟର ରହିଛନ୍ତି। ୮ଟି ଜିଲ୍ଲାରେ ସେକ୍ସ ନେଟ୍‌ୱର୍କ ଅପରେଟର ନ ଥିବା ଜଣାପଡ଼ିଛି। ସେହିପରି ମହିଳା ଯୌନ କର୍ମୀ(ଏଫ୍‌ଏସ୍‌ଡବ୍ଲୁ)ଙ୍କ ପାଇଁ ୧୯୦, ପୁରୁଷ-ପୁରୁଷ ଯୌନକର୍ମୀ(ଏମ୍‌ଏସ୍‌ଏମ୍‌) ୨୪, ଇଞ୍ଜେକସନ୍‌ରେ ଡ୍ରଗ୍‌ସ ନେଉଥିବା ବ୍ୟକ୍ତି(ଆଇଡିୟୁ) ୪୬ ଓ ତୃତୀୟଲିଙ୍ଗୀଙ୍କ ପାଇଁ ୯୧ଟି ନେଟ୍‌ୱର୍କ ଅପରେଟର କାମ କରୁଛି। 

ନାକୋ ପକ୍ଷରୁ ପ୍ରକାଶ ପାଇଲା ପି-ଏମ୍‌ପିଏସ୍‌ଇ ରିପୋର୍ଟ
ଏଚ୍‌ଆଇଭି ସଂକ୍ରମଣ ଆଶଙ୍କା ଥିବା ହଟ୍‌ସ୍ପଟ୍‌ ଅଞ୍ଚଳରେ ୭୬% ବୃଦ୍ଧି
ଏଚ୍‌ଆଇଭି ନିୟନ୍ତ୍ରଣ ଓ ନିରାକରଣରେ ଟିଆଇର ଭୂମିକା ଉପରେ ପ୍ରଶ୍ନ

ରାଜ୍ୟରେ ୨୦୨୪ ଡିସେମ୍ବର ସୁଦ୍ଧା ୬୩ହଜାର ୭୪୨ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୨୦ହଜାର ୯୩୫ଜଣ ମହିଳା ରହିଛନ୍ତି। ୨୦୦୭-୦୮ ମସିହାରେ ହୋଇଥିବା ପି-ଏମ୍‌ପିଏସ୍‌ଇ ସର୍ଭେରେ ରାଜ୍ୟରେ ୧୬୭୦ଟି ହଟ୍‌ସ୍ପଟ୍‌ ଅଞ୍ଚଳ ରହିଥିଲା। ଅର୍ଥାତ୍ ଏହି ଅଞ୍ଚଳଗୁଡ଼ିକରେ ଏଚ୍‌ଆଇଭି ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି। ନୂଆ ପି-ଏମ୍‌ପିଏସ୍‌ଇ(୨୦୨୩) ସର୍ଭେରେ  ୩୮୫୨ଟି ହଟ୍‌ସ୍ପଟ୍‌ ଚିହ୍ନଟ ହୋଇଛି। କିଛିବର୍ଷ ଭିତରେ ହଟ୍‌ସ୍ପଟ୍‌ ଅଞ୍ଚଳ ସଂଖ୍ୟାରେ ୭୬% ବୃଦ୍ଧି ଦେଖିବାକୁ ମିଳିଛି। ଟିଆଇ(ଟାର୍ଗେଟେଡ୍‌ ଇଣ୍ଟରଭେନ୍‌ସନ୍‌) ମୁଖ୍ୟତଃ ସହରାଞ୍ଚଳରେ କାମ କରୁଥିବା ବେଳେ ଏହା ଜରିଆରେ ଏହି ହଟ୍‌ସ୍ପଟ୍ ଅଞ୍ଚଳରେ ସେବା ପ୍ରଦାନ କରାଯାଇଥାଏ। ସେହିପରି ଗ୍ରାମାଞ୍ଚଳର ହଟ୍‌ସ୍ପଟ୍‌ ଅଞ୍ଚଳରେ ଏଲ୍‌ଡବ୍ଲ୍ୟୁଏସ୍‌(ଲିଙ୍କ ୱାର୍କର୍ସ ସ୍କିମ) ଜରିଆରେ ସେବା ପ୍ରଦାନ କରାଯାଇଥାଏ। ସର୍ଭେରେ ରାଜ୍ୟର ଗ୍ରାମାଞ୍ଚଳରେ ଏଭଳି ୧୦୩୪ଟି ଅଞ୍ଚଳକୁ ଚିହ୍ନଟ କରାଯାଇଛି। ଏଚ୍‌ଆଇଭିର ମୂଳୋତ୍ପାଟନ ପାଇଁ ନାକୋ ପକ୍ଷରୁ ୯୫-୯୫-୯୫ ନିୟମ କରାଯାଇଛି। ଅର୍ଥାତ୍‌ ପ୍ରଥମ ୯୫% ରେ ଏଚ୍‌ଆଇଭିରେ ଆକ୍ରାନ୍ତ ବ୍ୟକ୍ତି(ପିଏଲ୍‌ଏଚ୍‌ଆଇଭି) ନିଜର ସ୍ଥିତି ସଂପର୍କରେ ଜାଣିବେ। ପରବର୍ତ୍ତୀ ୯୫ରେ ଏହି ଆକ୍ରାନ୍ତଙ୍କ ଭିତରୁ ଏଆର୍‌ଟିରୁ ଔଷଧ ଖାଇବେ। ଶେଷ ୯୫ରେ ଏଆର୍‌ଟିରୁ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ ଭା‌ଇରାଲ୍‌ ଲୋଡ୍‌କୁ ନିୟମିତ ଭାବେ ନିୟନ୍ତ୍ରଣରେ ରଖାଯିବ।

ସୂଚନା ଅନୁସାରେ, ରାଜ୍ୟରେ ଏହି ସ୍ଥିତି ୬୨ ରହିଛି। ଯାହାକି ଜାତୀୟ ହାରଠାରୁ କମ୍। ପୂର୍ବରୁ ରାଜ୍ୟରେ ୫୨ଟି ଟିଆଇ କାର୍ଯ୍ୟ କରୁଛି। କିଭଳି ଢଙ୍ଗରେ ଏଭଳି ସମ୍ବେଦନଶୀଳ ଲୋକଙ୍କ ନିକଟରେ ପହଞ୍ଚିହେବ ସେଥିପାଇଁ ନୂଆ ରଣନୀତି କରାଯିବାର ଆବଶ୍ୟକତା ରହିଛି। ଏଭଳି ଗୋଷ୍ଠୀର ଲୋକମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ଡିଆଇସି(ଡ୍ରପ୍ ଇନ୍‌ ସେଣ୍ଟର) କରାଯାଇଛି। ଏହି ଡିଆଇସିରେ ସେମାନେ ଏକାଠି ହୋଇଥା’ନ୍ତି। ତେଣୁ ଡିଆଇସିକୁ ଆସିବା ପରେ ସେମାନଙ୍କୁ କିଭଳି ଢଙ୍ଗରେ ବୁଝାଯାଇ ଅଧିକ ସଂଖ୍ୟାରେ ସ୍କ୍ରିନିଂ କରାଯାଇପାରିବ, ସମନ୍ବିତ ‌ସ୍ବାସ୍ଥ୍ୟ ଶିବିର ଜରିଆରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରାଯାଇପାରିବ ତାହା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ। ହେଲେ ରାଜ୍ୟରେ ଏହା ଠିକ୍‌ ଭାବେ ଚାଲୁ ନ ଥିବା ଅଭିଯୋଗ ହୋଇଛି। ତେଣୁ ରାଜ୍ୟରେ ଏଚ୍‌ଆଇଭିର ମୂଳୋତ୍ପାଟନ କିଭଳି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି ? ଓସାକ୍ସର ଟିଆଇ ଦାୟିତ୍ବରେ ଥିବା ଅଧିକାରୀ ପ୍ରବୋଧ ସିୟାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରିନାହିଁ।