ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଆଜି ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିବାବେଳେ ତାଙ୍କୁ ଓଡ଼ିଶାର ପାରମ୍ପରିକ ନୃତ୍ୟରେ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ବିମାନବନ୍ଦରରୁ ରାଜମହଲ ଛକ ଦେଇ ଦଳ ମୁଖ୍ୟାଳୟକୁ ଏକ ବିଶାଳ ବାଇକ୍ ରାଲିରେ ନିଆଯାଇଥିଲା। ରାଜମହଲ ଓଭରବ୍ରିଜ୍‌ ଉପରୁ ନଡ୍ଡାଙ୍କ ଉପରକୁ ଫୁଲ ପକାଇ ସମ୍ବର୍ଦ୍ଧନା ଦିଆଯାଇଥିଲା।

Advertisment

publive-image

ନଡ୍ଡା ଗୁରୁବାର ଦିନତମାମ୍ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାତିରେ ପୁରୀ ଅଭିମୁଖେ ଯାଇଛନ୍ତି। ଶୁକ୍ରବାର ସକାଳ ୬ଟା ୩୦ରେ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଭଦ୍ରକ ଜିଲ୍ଲା ତିହିଡ଼ିକୁ ହେଲିକପ୍ଟର ଯୋଗେ ଯିବେ। ପୂର୍ବାହ୍ନ ୧୦ଟା ୩୦ରେ ଏସ୍‌ଭିନିରତାର୍‌ର ୧୦୦ଶଯ୍ୟା ବିଶିଷ୍ଟ ନୂତନ କୋଠାର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ବାହାରି ଜନତା ମଇଦାନରେ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା ସମାବେଶକୁ ଯିବେ। ଏହାପରେ ଅପରାହ୍ନ ୫ଟା ୩୦ରେ ୟୁନିଟ-୯ ସ୍ଥିତ ୱାର୍ଡ-୨୯ରେ ଆୟୋଜିତ ବୁଥ୍‌ ବୈଠକରେ ଯୋଗଦେଇ ସଂଧ୍ୟା ୭ଟାରେ ଦିଲ୍ଲୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।

୨୫ବର୍ଷ ପୂର୍ବର ପରିବର୍ତ୍ତନ ମୁଡ୍‌ ଏବେ ପୁଣି ଦେଖିବାକୁ ମିଳିଛି: ସୁରେଶ ପୂଜାରୀ

୧୯୯୭-୯୮ରେ ବାଜପେୟୀ ଭୁବନେଶ୍ୱରରେ ସଭା କରିଥିଲେ। ୨୫ବର୍ଷ ତଳେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନର ମୁଡ୍‌ ଦେଖିବାକୁ ମିଳିଥିଲା। ରାଜ୍ୟରେ କଂଗ୍ରେସ ସରକାରକୁ ହଟାଇ ବିଜେଡି-ବିଜେପି ସରକାର ଆସିଥିଲା। ଏବେ ପୁଣି ଓଡ଼ିଶାବାସୀଙ୍କ ଠାରେ ପରିବର୍ତ୍ତନର ମୁଡ୍ ଦେଖିବାକୁ ମିଳୁଛି। ପରିବର୍ତ୍ତନର ପଦଧ୍ବନି ଶୁଭିଲାଣି। ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି ସେଠାରେ ବିକାଶ ଏବଂ ପରିବର୍ତ୍ତନର ଧାରା ଦେଖିବାକୁ ମିଳୁଛି। କିନ୍ତୁ ଓଡିଶାରେ ବିକାଶ ପଛେଇଛି। ଓଡ଼ିଶାରେ ପରିବର୍ତ୍ତନ ଓ ବିକାଶର ଆବଶ୍ୟକତା ଅଛି। ଯେଉଁମାନେ ଅଛନ୍ତି ସେମାନଙ୍କର ଇଚ୍ଛା ଶକ୍ତି ନାହିଁ କି ସାମର୍ଥ୍ୟ ନାହିଁ। ନଡ୍ଡା ଆସିଛନ୍ତି ବିଜୟର ମନ୍ତ୍ର ଦେବେ। ଆଗାମୀ ନିର୍ବାଚନରେ ବିଜେପି ଯଶସ୍ବୀ ହେବ। ବିଜେପି ସରକାର ଗଠନ ପାଇଁ ଆମକୁ ସଂକଳ୍ପ ନେବାକୁ ହେବ।

publive-image

ବୁଲି ବୁଲି ଫଟୋ ଉଠାଇଲେ ଜୁଏଲ ଓରାମ

ଜେ.ପି ନଡ୍ଡା ମଞ୍ଚକୁ ଆସିବା ପୂର୍ବରୁ ଦଳର ବରିଷ୍ଠ ପଦାଧିକାରୀମାନେ ମଞ୍ଚରେ ବସିଥିଲେ। ଏହି ସମୟରେ ସାଂସଦ ଜୁଏଲ ଓରାମ ମଞ୍ଚକୁ ଆସି ନିଜ ମୋବାଇଲରେ ଫଟୋ ଉଠାଇଥିଲେ। ମଞ୍ଚ ତଳେ ଥିବା କର୍ମୀ, ମଞ୍ଚ ଉପରେ ବସିଥିବା ନେତାଙ୍କର ଫଟୋ ଉଠାଇଥିଲେ। ଏହି ସମୟରେ ମଞ୍ଚ ପରିଚାଳନା କରୁଥିବା ଗୋଲକ ମହାପାତ୍ର ସାଂସଦଙ୍କୁ ସ୍ବାଗତ କରିବାକୁ ସହକର୍ମୀଙ୍କୁ ଡାକିଥିଲେ। କିନ୍ତୁ ଜୁଏଲ ହଠାତ୍ ତଳକୁ ଓହ୍ଲାଇ ପଳାଇଥିଲେ। କିଛି ସମୟ ପରେ ପୁଣି ମଞ୍ଚକୁ ଆସି ଭାଷଣ ଦେଇଥିଲେ। କହିଥିଲେ ଯେ, ଏହିଭଳି ସମ୍ମିଳନୀ ଆଗକୁ ଲୋକସଭା, ବିଧାନସଭା ସ୍ତରରେ ହେବ। ଆମକୁ ୧୦୦ଟି ଲେଖାଏଁ ବୁଥ୍‌ ଦାୟିତ୍ବ ଦିଆଯାଇଥିଲା। ଆମେ ସେନେଇ ରଣନୀତି ପ୍ରସ୍ତୁତ କରିଛୁ। ଯଦି ପଞ୍ଚାୟତର ପ୍ରମୁଖ, ସହପ୍ରମୁଖ, ପ୍ରଭାରୀ ଯଦି ଠିକ୍‌ ଭାବେ ଲୋକଙ୍କ ସମସ୍ୟା ଓ ସମାଧାନର ବାଟ ନେତୃବର୍ଗଙ୍କୁ ବୁଝାଇବେ ତେବେ ଆମେ ନିଶ୍ଚିତ ଲୋକଙ୍କ ବିଶ୍ବାସଭାଜନ ହୋଇପାରିବା। ଏବେ ୩୨% ଭୋଟ୍‌ ପାଇଛୁ। ଆଉ ଟିକେ ପରିଶ୍ରମ କଲେ ଫଳାଫଳ ଭଲ ହେବ। ସଭା ସରିବା ପରେ ଜୁଏଲ ମୋବାଇଲରେ ଉଠାଇଥିବା ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ମୁଖ୍ୟମନ୍ତ୍ରୀ ସାଧକ ନୁହେଁ, ଓଡ଼ିଶାର ବାଧକ: ଜୟନାରାୟଣ

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ତାଙ୍କ ଭାଷଣରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ, ନବୀନ ପଟ୍ଟନାୟକ ପଇସାପତ୍ର ଦେଇ ଦିଲ୍ଲୀରୁ ଗୋଟେ ପୁରସ୍କାର ଆଣିଲେ। କ’ଣ ନା ତାଙ୍କ ସାଧନା ପାଇଁ ପୁରସ୍କାର ମିଳିଲା। ମୁଁ ୨୨ବର୍ଷ ବିଧାୟକ ହେଲି ହେଲେ ସେ କି ସାଧନା କଲେ ଜାଣିପାରି‌ଲିନି। ଯିଏ ସଂଧ୍ୟାରେ ଅଦୃଶ୍ୟ ଦୁନିଆକୁ ପଳାନ୍ତି, ସେ ହେଉଛନ୍ତି ସାଧକ। ମୁଖ୍ୟମନ୍ତ୍ରୀ ସାଧକ ନୁହେଁ, ଓଡ଼ିଶା ପାଇଁ ବା‌ଧକ। ଆମ ମୁଖ୍ୟମନ୍ତ୍ରୀ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ଓଡ଼ିଶା ମାତୃ ମୃତ୍ୟୁ, ଶିଶୁ ମୃତ୍ୟୁ, ନାରୀ ନିର୍ଯାତନାରେ ଏକ ନମ୍ବର। ଆପଣ ମାନେ ସବୁ ଏକ ହୁଅନ୍ତୁ, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ବଙ୍ଗୋପ ସାଗରରେ ଫିଙ୍ଗି ଦେବା। ଏ ସରକାରକୁ ଭାଙ୍ଗି ଓଡ଼ିଶାରେ ବିଜେପି ସରକାର ଗଠନ କରିବା।

ଫୁଲମାଳ ‌ଏକା‌ ବୋହିଲେ କେ.ଭି

ଜନତା ମଇଦାନ ମଞ୍ଚରେ ନଡ୍ଡାଙ୍କୁ ସ୍ବାଗତ କରିବା ପାଇଁ ଦଳ ପକ୍ଷରୁ ଏକ ବଡ଼ ଫୁଲ ହାର ଆସିଥିଲା। ନଡ୍ଡାଙ୍କୁ ସମ୍ବର୍ଦ୍ଧନା କରିବେଳେ ଏହାକୁ କିଛି ସାଂସଦ, ବିଧାୟକ ଏବଂ ବରିଷ୍ଠ ନେତା ବୋହିକି ନେଲେ। ନଡ୍ଡାଙ୍କ ସହ ପୋଜ୍‌ ଦେଇ ଫଟୋ ଉଠାଇଲେ। ହେଲେ ସମ୍ବର୍ଦ୍ଧନା ସରିବା ପରେ ସମସ୍ତେ ହାତ ଛାଡ଼ି ନିଜ ସିଟ୍‌କୁ ପଳାଇଲେ। ପାଟଣାଗଡ଼ର ପୂର୍ବତନ ବିଧାୟକ କେ.ଭି ସିଂହଦେଓଙ୍କ ହାତରେ ଫୁଲ ହାରଟି ରହି ଯାଇଥିଲା। ହଠାତ୍ ଏତେ ବଡ଼ ଫୁଲ ହାର ଟେକିକି ନେବା କେ.ଭିଙ୍କ ପାଇଁ କଷ୍ଟକର ଥିଲେ ବି ସେ କାହାକୁ କିଛି ନକହି ଏହାକୁ ଟେକି ଟେକି ମଞ୍ଚ ତଳକୁ ନେଇଥିଲେ।