ଭୁବନେଶ୍ୱର: ବିଜେପି ସରକାରକୁ ଆସିବାର ୮ମାସ ବିତିଗଲାଣି। ଦଳର ସଂଗଠନ ଓ ସରକାରଙ୍କ ମଧ୍ୟରେ କୌଣସି ସମନ୍ବୟ ରହୁନି। ବିଭିନ୍ନ କ୍ଷେତ୍ରରେ ତାହା ଜଳଜଳ ଦେଖାଗଲାଣି। ସରକାରଙ୍କ ପ୍ରଦର୍ଶନ ନେଇ ଖୋଦ୍ ଦଳ ଭିତରେ କେଁ କାଁ ଚାଲିଥିବା ବେଳେ ଦଳୀୟ ନେତାଙ୍କୁ ଥଇଥାନ କରିବାରେ ଅହେତୁକ ବିଳମ୍ବ ଏହି ନିଆଁରେ ଘିଅ ଢାଳିବା ଭଳି ସ୍ଥିତି କରିଛି। ଏମିତି ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ସାଂଗଠନିକ କାର୍ଯ୍ୟ ନେଇ ଆଲୋଚନା ବେଳେ ସଭାପତି କି ଆଭିମୁଖ୍ୟ ଦେଖାଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି।
ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଏକାକୀ କ୍ଷମତା ଦଖଲ କରିଛି। ତେଣୁ ସରକାରଙ୍କ ସଫଳତା ପାଇଁ ଦଳ ଓ ସରକାର ଭିତରେ ସମନ୍ବୟର ଆବଶ୍ୟକତା ରହିଛି। କିନ୍ତୁ କୌଣସି ନା କୌଣସି କାରଣରୁ ତାହା ବାଧାପ୍ରାପ୍ତ ହୋଇଛି। ଦୁଇ ଦୁଇ ଥର ବିଧାୟକ ଦଳ ବୈଠକରେ ଅସନ୍ତୋଷ ଖୋଲାଖୋଲି ଫୁଟି ବାହାରିଛି। ଖୋଦ୍ ସଭାପତିଙ୍କ ଆଗରେ ମଧ୍ୟ ବିଧାୟକମାନେ ଅସନ୍ତୋଷ ଓଗାଳିଥିଲେ। ବିଧାୟକଙ୍କ କଥା କେହି ଶୁଣୁ ନଥିବା ନେଇ ସେମାନେ ଆରୋପ ଲଗାଇଥିଲେ। ଯିଏ ଚାହୁଁଛ ଇସ୍ତଫା ଦେଇପାର ବୋଲି ସଭାପତି ଚେତାବନୀ ଦେଲା ପରେ ତାହା ଅଧିକ ଅସନ୍ତୋଷର କାରଣ ହୋଇଥିଲା। ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବାବେଳେ ଦଳର ପଦାଧିକାରୀମାନେ ମଧ୍ୟ କିପରି ସେମାନଙ୍କୁ ବିଭିନ୍ନ ବିଭାଗର ମନ୍ତ୍ରୀ ଗୁରୁତ୍ବ ଦେଉନାହାନ୍ତି, ସେ ନେଇ ଅଭିଯୋଗ କରିଥିଲେ। ଦଳର ସଦସ୍ୟତା ଅଭିଯାନରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସହଯୋଗ କରୁନଥିବା ଜଣାଇଥିଲେ।
ବିଧାୟକ ଦଳ ବୈଠକରେ ଅସନ୍ତୋଷ ଫୁଟି ବାହାରିଥିଲା
ଦଳୀୟ ନେତାଙ୍କୁ ଥଇଥାନରେ ଟାଳଟୁଳ ନୀତି
ନଡ୍ଡାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର
ପରବର୍ତ୍ତୀ ସଭାପତି ସଂପର୍କରେ ଦେଇପାରନ୍ତି ସୁରାକ
ନିର୍ବାଚନରେ ବହୁ ବିଜେପି ନେତା ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ। ସେମାନଙ୍କୁ ବିଭିନ୍ନ ସରକାରୀ ପଦପଦବିରେ ଥଇଥାନ କରିବାକୁ ଯୋଜନା ଚାଲିଛି। କିନ୍ତୁ ୮ ମାସ ହେଲା ତାହା ପୂର୍ଣ୍ଣାଙ୍ଗ ରୂପ ନେଇପାରୁନି। ବିଭିନ୍ନ ନିଗମ, ବୋର୍ଡରେ ଦଳୀୟ ନେତାଙ୍କୁ ନିଯୁକ୍ତି କରାଯାଇପାରୁନି। ଏ ଯାଏଁ ସରକାରୀ ଓକିଲ ବି ନିଯୁକ୍ତି ହୋଇପାରିନାହାନ୍ତି। ସେହିପରି ବିଭିନ୍ନ ପ୍ରମୁଖ ମନ୍ଦିର ପରିଚାଳନା କମିଟିରେ ପୂର୍ବ ପରି ବିଜେଡି ନେତାମାନେ ରହିଛନ୍ତି। ଦଳର ସଂଗଠନ ପ୍ରତି ଅବଦାନ ରଖିଥିବା ନେତାମାନଙ୍କୁ ନିଯୁକ୍ତି ଦେବାରେ କେଉଁ ସ୍ତରରେ ବିଳମ୍ବ ହେଉଛି, ତାହା ଆଶାୟୀମାନେ ବୁଝି ପାରୁନାହାନ୍ତି। ଏଥିପାଇଁ ସେମାନେ ବିଭିନ୍ନ ଫୋରମରେ ଅସନ୍ତୋଷ ଝାଡ଼ୁଛନ୍ତି। ଆହୁରି ମଧ୍ୟ ସାଂଗଠନିକ ନିର୍ବାଚନରେ ବି ଅଡ଼ୁଆ ତୁଟିନି। ଏବେ ମଧ୍ୟ ବହୁ ମଣ୍ଡଳ ସଭାପତିଙ୍କ ନାମ ଚୂଡ଼ାନ୍ତ ହୋଇପାରୁନି, ଯାହାକୁ ନେଇ ତୃଣମୂଳସ୍ତରରେ ଦଳ ଭାଗ ଭାଗ ହୋଇଗଲାଣି।
ଏହା ବାଦ୍ ବିଜେପି ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକକୁ ନେଇ ଦଳ ଭିତରେ ଜୋରଦାର୍ ଟଣାଓଟରା ଚାଲିଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସଭାପତି କ’ଣ ଇଙ୍ଗିତ ଦେଉଛନ୍ତି, ତାହା ଉପରେ ରାଜନୈତିକ ମହଲର ଦୃଷ୍ଟି ରହିଛି। ଦଳରେ କାହାକୁ ପରବର୍ତ୍ତୀ ସଭାପତି କରାଯିବ, ସେ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଉଛି। ମନମୋହନ ସାମଲଙ୍କୁ ଆଉ ଥରେ ଦାୟିତ୍ବ ଦେବା ପାଇଁ ଗୋଟିଏ ଗୋଷ୍ଠୀ ଲବି କରୁଛନ୍ତି। କିନ୍ତୁ ମନମୋହନଙ୍କୁ ରିପିଟ୍ ନ କରିବାକୁ ବି ଅନ୍ୟ ଗୋଷ୍ଠୀ ଲବି ଚଳାଇଛନ୍ତି। ଗତ ନିର୍ବାଚନରେ ଟିକେଟ ନ ନେଇ କେବଳ ସାଂଗଠନିକ କାର୍ଯ୍ୟରେ ନିୟୋଜିତ ଥିବା ଏବଂ ଲମ୍ବା ସମୟ ଧରି ଦଳ ପାଇଁ କାମ କରିଥିବା କୌଣସି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେବାକୁ ଏହି ଗୋଷ୍ଠୀ ମତ ବାଢ଼ୁଛନ୍ତି। ସେହିପରି ଦଳ ଶାସନକୁ ଆସିଥିବାରୁ ସରକାର ଓ ଦଳ ଭିତରେ ଭଲ ସମନ୍ବୟ ପାଇଁ ଜଣେ ବିଧାୟକଙ୍କୁ ଦାୟିତ୍ବ ଦେବାକୁ ବି ମତପ୍ରକାଶ ପାଇଛି। ଯୁବ ନା ବରିଷ୍ଠ ଚେହେରାଙ୍କୁ ଦାୟିତ୍ବ ଦିଆଯିବ, ସେ ନେଇ ମଧ୍ୟ ଦ୍ବନ୍ଦ୍ବ ହଟିନି।
ଏମିତି ଏକ ତ୍ରିଶଙ୍କୁ ସ୍ଥିତିରେ ଥିବା ରାଜ୍ୟ ବିଜେପିକୁ ଜାତୀୟ ସଭାପତି ଶ୍ରୀ ନଡ୍ଡା ଆସନ୍ତାକାଲି ମାର୍ଗଦର୍ଶନ ଦେବେ। ରାଜ୍ୟ ଅତିଥି ଭବନରେ ରୁଦ୍ଧଦ୍ବାର ବୈଠକ କରି ବହୁ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦଳ ଓ ସଂଗଠନ ଭିତରେ କିପରି ସମନ୍ବୟ ରହିବ, ତୃଣମୂଳ ସ୍ତରରେ ସଂଗଠନକୁ କିପରି ସୁଦୃଢ଼ କରାଯିବ, ସରକାରଙ୍କ ସଫଳତାର ପ୍ରଚାର ପ୍ରସାର ଦିଗରେ ଦଳର ଭୂମିକା କ’ଣ ରହିବ, ସେ ନେଇ ସେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିପାରନ୍ତି।