ପୁରୀ: ବିଧାୟକ, ସାଂସଦ କି ମନ୍ତ୍ରୀ ହେଇଛନ୍ତି ବୋଲି ଗର୍ବ, ଅହଙ୍କାର କରନ୍ତୁନି। ନିଜ ଭିତରେ ମେଳି କରନି କି ପରସ୍ପରର ଗୋଛି କଟାକଟି ନକରି ନିଜ ବ୍ୟକ୍ତିତ୍ବର ବିକାଶ କର। ଗାଁକୁ ଯାଅ; ମହିଳା, ଦଳିତ, ବୃଦ୍ଧବୃଦ୍ଧାଙ୍କ ସହ କଥା ହୁଅ। ସେମାନଙ୍କ ସମସ୍ୟା ବୁଝ ଓ ତା’ର ସମାଧାନ କର। ତୃଣମୂଳ ସ୍ତରରେ ଲୋକ, ଭୋଟର୍‌ଙ୍କ ଆସ୍ଥାଭାଜନ ହୁଅ। ଛୋଟକଥା ଓ ସଂକୀର୍ଣ୍ଣତାଠୁ ଦୂରେଇ ବିକାଶମୂଳକ କାର୍ଯ୍ୟରେ ନିଜକୁ ସାମିଲ କର। ଆଜି ଏହିଭଳି ଢଙ୍ଗରେ ଓଡ଼ିଶାର ସାଂସଦ, ବିଧାୟକମାନଙ୍କୁ ମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା।

Advertisment

‌ପୁରୀ ମେରାଇନ୍ ଡ୍ରାଇଭ୍ ସ୍ଥିତ ସ୍ବାମୀ ନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ବିଜେପିର ସାଂସଦ ଓ ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି ଶ୍ରୀ ନଡ୍ଡା କହିଛନ୍ତି, ଯିଏ ଲେନ୍ସ ଆଡ଼କୁ ଯାଏ ସେ ନେତା ନୁହେଁ, ଯାହା ପାଖକୁ ଲେନ୍ସ ଆସେ ସେ ହିଁ ନେତା। ନୀତି ଓ ନୈତିକତା ନଭୁଲି ତୃଣମୂଳ ସ୍ତରରେ ଲୋକଙ୍କ ସହ ସାମିଲ ହୁଅ। ଅଙ୍ଗନବାଡ଼ି, ମେଡିକାଲ ଓ ବିଦ୍ୟାଳୟର ମୂଳ ସମସ୍ୟାକୁ ସୁଧାରିବାକୁ ପ୍ରୟାସ କର। ଏଥିପାଇଁ ସେଠାରେ ଅଧିକ ସମୟ ବିତାଅ। ଦଳର ବିଚାରଧାରାକୁ ବୁଝି ସଂଗଠନକୁ ସାଙ୍ଗରେ ନେଇ କାମ କରିବାକୁ ସେ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି। ୧୪ଟି ପ୍ରସଙ୍ଗରେ ସେ ବିଜେପି ନେତାଙ୍କୁ କାର୍ଯ୍ୟ କରିବାକୁ କହିଛନ୍ତି। ଏଥିରେ କିପରି ଦଳର ସଂଗଠନକୁ ସାଥିରେ ନେଇ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ କାମ କରିବେ, ଅଫିସରଙ୍କ ସହ ଭଲ ବୁଝାମଣା ରଖି କ୍ଷେତ୍ରସ୍ତରରେ କାମ ଆଦାୟ କରିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଦଳର ସଂଗଠନ ମାଧ୍ୟମରେ ପ୍ରତି ବୁଥ୍‌ରେ, ଘରେ ପହଞ୍ଚାଇବା ଭଳି କାର୍ଯ୍ୟ କରିବେ ସେନେଇ ପରାମର୍ଶ ଦେଇଛନ୍ତି।

ବିଜେପି ପ୍ରଶିକ୍ଷଣ ଶିବିର

ମନ୍ତ୍ରୀ, ସାଂସଦ, ବିଧାୟକ ହୋଇଛ ବୋଲି ମନରେ ଅହଙ୍କାର ଆଣନି
ବ୍ୟକ୍ତିତ୍ବ ବିକାଶ ଉପରେ ଫୋକସ୍ କର

ଶ୍ରୀ ନଡ୍ଡା ବିଜେପି ନେତୃବୃନ୍ଦଙ୍କୁ ବିଭିନ୍ନ ଆହ୍ବାନ ଦେବା ଅବସରରେ କହିଛନ୍ତି ଦଳର ସଦସ୍ୟମାନଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ସାଢ଼େ ୩ ମାସ ମଧ୍ୟରେ ସାଢ଼େ ୧୩ କୋଟି ଲୋକ ଦଳର ସଦସ୍ୟ ହୋଇଛନ୍ତି। ୧୯ ରାଜ୍ୟରେ ଏନ୍‌ଡିଏ ସରକାର ରହିଛି। ୧୩ ରାଜ୍ୟରେ ସ୍ବତନ୍ତ୍ର ଭାବେ ବିଜେପିର ସରକାର ରହିଛି। ଲୋକେ ମତଦାନ ଆଧାରରେ ଯେଉଁ ବିଶ୍ବାସ କରିଛନ୍ତି, ସେଇ ଆଧାରରେ ନିଜର ଦାୟିତ୍ବ ଠିକ୍‌ ଭାବେ ତୁଲାଇବାକୁ ଚେଷ୍ଟା କର। ସେହିପରି ଆଚରଣ, ଉଚ୍ଚାରଣ, ବ୍ୟବହାର ଆଦି ଉପରେ ଧ୍ୟାନ ରଖିବାକୁ ହେବ। ନମ୍ରତା, ସରଳତା ବଜାୟ ରଖିବା ସହ କ’ଣ କରିବ, ନ କରିବ ତାକୁ ବିଚାରପୂର୍ବକ ନେତୃତ୍ବ ଦେବା କଳା ଶିଖିବାକୁ ପଡ଼ିବ। ବିଜେପି ଏକ ବିଚାରପୂର୍ଣ୍ଣ ଆଧାରିତ ଦଳ। ତେଣୁ ଦଳର ବିଚାରଧାରାକୁ ଭଲ ଭାବେ ବୁଝିବା ଓ ଶିଖିବାର ପ୍ରକ୍ରିୟାକୁ ଅନୁକରଣ କରିବାକୁ ନଡ୍ଡା ଆହ୍ବାନ ଦେଇଥିଲେ। ପ୍ରଶିକ୍ଷଣ ଶିବିରରୁ ବାହାରିବା ବେଳେ ସମସ୍ତେ ଯେପରି ଲାଭାନ୍ବିତ ହୋଇ ଯିବେ ତାହା ଉପରେ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ସାଂସଦ ଓ ବିଧାୟକମାନେ ତୃଣମୂଳ ସ୍ତରରେ ଲୋକଙ୍କ ସହ କିପରି ମିଶିବେ, ଭଲ ଭାଷଣ ଦେବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଭାଗ ନେଇଛନ୍ତି। ଦଳର ଅନେକ ବରିଷ୍ଠ ନେତା ବି ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେ.ଭି ସିଂହଦେଓଙ୍କ ସମେତ ବିଜେପିର ବିଭିନ୍ନ ସଂଗଠନ ଦାୟିତ୍ବରେ ଥିବା ନେତାମାନେ ଉପସ୍ଥିତ ଥିଲେ। ରବିବାର ମଧ୍ୟ ୪ଟି ଅଧିବେଶନରେ ତାଲିମ ଦିଆଯିବ।