ପୁରୀ: କଂଗ୍ରେସ ପରଜୀବୀ। ନିର୍ମୂଳୀ ଲତା। ଯାହାକୁ ଆଶ୍ରା କରିବ, ତାକୁ ଦୁର୍ବଳ କରିଦେବ। ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ଢଙ୍ଗରେ କଂଗ୍ରେସକୁ ଆକ୍ରମଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏହି ଅବସରରେ ସେ ଜବାହାରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀ ଓ ତାଙ୍କ ଶାସନକୁ ବି ସମାଲୋଚନା କରିଛନ୍ତି। କହିଛନ୍ତି, କଂଗ୍ରେସ ଜାଣିବା ଦରକାର, ଆଜି ଦେଶର ବିକାଶ ହାର ୭ ପ୍ରତିଶତ। ପୂର୍ବରୁ ଭାରତ ଆର୍ଥିକ ସ୍ଥିତିରେ ୧୧ ନମ୍ବରରେ ଥିଲା। ଆଜି ତୃତୀୟରେ। ଯେଉଁଠି ବ୍ରିଟେନ୍‌ ଆମକୁ ଶାସନ କରୁଥିଲା, ସେଠି ଆମେ ବ୍ରିଟେନଠୁ ଆଗରେ। ୯୭ ପ୍ରତିଶତ ଭାରତୀୟ ଉତ୍ପାଦ ଆଜି ବିଶ୍ବ ବଜାରକୁ ରପ୍ତାନି ହେଉଛି। ଅଟୋ ମୋବାଇଲ୍‌ କ୍ଷେତ୍ରରେ ବି ଦେଶ ତୃତୀୟରେ ରହିଛି। ଏହା ବିଜେପି ସରକାରର ବିକାଶର ମାପଦଣ୍ଡ ବୋଲି କହିଛନ୍ତି ନଡ୍ଡା।

Advertisment

ନଡ୍ଡା କହିଲେ, ଦ୍ବିତୀୟ ଥର ୬୦ ବର୍ଷ ପରେ ତିନି ଥର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ନରେନ୍ଦ୍ର ମୋଦୀ। ପ୍ରଥମ ଥର ଯେବେ ଜବାହାରଲାଲ ନେହେରୁ ତୃତୀୟ ଥର ନିର୍ବାଚନ ଲଢ଼ି ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସ୍ବାଧୀନତା ସଂଗ୍ରାମର ଭିନ୍ନ ଏକ ପରିବେଶ ଥିଲା। କିନ୍ତୁ ୬୦ ବର୍ଷ ପରେ ପୂରା ଶକ୍ତି ସହ ବିଜୟ ହାସଲ କରିଛନ୍ତି ନରେନ୍ଦ୍ର ମୋଦୀ। ୧୮ ରାଜ୍ୟରେ ଏନ୍‌ଡିଏ ସରକାର ଗଢ଼ିଛି। ଯେଉଁଥିରୁ କେବଳ ବିଜେପି ୧୩ ରାଜ୍ୟରେ ଏକୁଟିଆ ସରକାର ଗଢ଼ିଛି। ନିଜ ଛାତ୍ରଜୀବନ ରାଜନୀତି ଅନୁଭୂତିକୁ ବଖାଣି ନଡ୍ଡା କହିଲେ, ୧୯୭୫ ମସିହା ଜୁନ ୨୫ରେ ଆମମାନଙ୍କୁ କାରାଗାରରେ ଭର୍ତ୍ତି କରିଦିଆଗଲା। ସେ ସମୟରେ ୧ଲକ୍ଷ ୨୫ହଜାର ଲୋକଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା।

ଯେଉଁଥିରୁ ୭୫ହଜାର ଲୋକ କେବଳ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଥିଲେ। ଏଣୁ ୨୫ ଜୁନକୁ ସମ୍ବିଧାନ ସୁରକ୍ଷା ଓ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଇନ୍ଦିରା ଗାନ୍ଧୀ କାହିଁକି ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ, ତା’ର ରହସ୍ୟ କାହାରିକୁ ଅଛପା ନାହିଁ। ଧାରା-୩୭୦ ବଦଳରେ ଜମ୍ମୁ ଓ କାଶ୍ମୀରକୁ ପ୍ରବେଶ ପାଇଁ ସ୍ବତନ୍ତ୍ର ପାସ୍‌ ମିଳୁଥିଲା। ଶ୍ୟାମାପ୍ରକାଶ ମୁଖାର୍ଜୀ ସେ ସମୟରେ ଏହାର ବିରୋଧ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ନେତୃତ୍ବ ଧାରା-୩୭୦ ହଟାଇଛନ୍ତି। ୧୯୮୭-୮୮ରେ ବିଜେପି କହିଥିଲା, ରାମ ମନ୍ଦିର ନିର୍ମାଣ କରିବାକୁ ରାସ୍ତା ପ୍ରଶସ୍ତ କରିବ। ଏହାକୁ କଂଗ୍ରେସ ଅଟ୍ଟହାସ୍ୟ କରିଥିଲା। କିନ୍ତୁ ୨୦୨୪ରେ ଭବ୍ୟ ରାମମନ୍ଦିର ନିର୍ମାଣ ହେଲା ବୋଲି ନଡ୍ଡା କହିଛନ୍ତି।