ଲୋକପ୍ରିୟ ଶିଶୁ ସାହିତ୍ୟିକ ‘ବଡ଼ଭାଇ’ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଆକାଶବାଣୀ କଟକ କେନ୍ଦ୍ରର ଲୋକପ୍ରିୟ ଶିଶୁ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ର ଉପସ୍ଥାପକ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଛି । ସେ ‘ବଡ଼ଭାଇ’ ନାମରେ ସାରା ରାଜ୍ୟର ‌ଶ୍ରୋତା ମହଲରେ ପରିଚିତ ଥିଲେ ।

କଟକରେ ଏକ ଘରୋଇ ହସପିଟାଲରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁବେଳକୁ ଶ୍ରୀ ମହାନ୍ତିଙ୍କୁ ୯୦ ବର୍ଷ ହୋଇଥିଲା । ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ରାଜ୍ୟର ଜଣେ ଆଗଧାଡ଼ିର ଶିଶୁ ସାହିତ୍ୟିକ ଭାବେ ସେ ପରିଚିତ ଥିଲେ । ଶିଶୁମାନଙ୍କ ପାଇଁ ସେ ଅନେକ କ୍ଷୁଦ୍ରଗଳ୍ପ, କବିତା ଆଦି ରଚନା କରିଥିଲେ । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

କେନ୍ଦ୍ରାପଡ଼ାର କଉପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନ୍ତି ଆଇନରେ ଡିଗ୍ରୀ ହାସଲ କରିବା ପରେ ୧୯୫୮ରେ ଆକାଶବାଣୀରେ ଯୋଗ ଦେଇଥିଲେ । ରାଜ୍ୟର ଲୋକପ୍ରିୟ ଶିଶୁ ପତ୍ରିକା ମନପବନ ଓ ମୀନାବଜାରରେ ମଧ୍ୟ ସେ ଲେଖୁଥିଲେ ।

ଶ୍ରୀମହାନ୍ତିଙ୍କ ପରଲୋକରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏକ ଟ୍ଵିଟ କରି ସେ ଲେଖିଛନ୍ତି “ଖ୍ୟାତିସମ୍ପନ୍ନ ଓଡ଼ିଆ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।“

ସମ୍ବନ୍ଧିତ ଖବର