ପରଲୋକରେ ନଦୀୟା ବିହାରୀ

କଟକ : କେନ୍ଦ୍ର ସାହିତ୍ୟ ଅକାଦେମିର ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା, ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା‌ ଆକାଶବାଣୀର ବହୁଳ ଆଦୃତ ‘ଶିଶୁ ସଂସାର’ ଓ ‘କିଶୋର ଚକ୍ର’ କାର୍ଯ୍ୟକ୍ରମର ‘ବଡ଼ ଭାଇ’ ନଦୀୟା ବିହାରୀ ମହାନ୍ତି(୯୦)ଙ୍କର ଆଜି ଅପରାହ୍ନରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। କରୋନାରେ ସଂକ୍ରମିତ ହୋଇ ସେ ଗତକାଲି କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ଅପରାହ୍ନ ୨ଟା ୨୦ରେ ତାଙ୍କର ପରଲୋକ ଘଟିଛି। କଟକ ଖାନନଗର ଶ୍ମଶାନରେ ତାଙ୍କର ‌ଶେଷକୃତ୍ୟ ସଂପନ୍ନ ହୋଇଛି।

୧୯୩୧ ନଭେମ୍ବର ୧୫ ତାରିଖରେ କଟକ ସହରର ତଳ ତେଲେଙ୍ଗାବଜାର(ତତ୍‌କାଳୀନ ରିପନ୍‌ ରୋଡ୍‌)ରେ ଜନ୍ମିତ ନଦୀୟା ବିହାରୀ ରେଭେନ୍ସା କଲିଜିଏଟ୍‌ ସ୍କୁଲରୁ ମାଟ୍ରିକ୍‌ ପାସ୍ କରି ରେଭେନ୍‌ସାରେ କଲେଜ ଶିକ୍ଷା ଆରମ୍ଭ କରିଥିଲେ। କିନ୍ତୁ ନାଟକ ପ୍ରତି ଥିବା ବିଶେଷ ଆଗ୍ରହକୁ ପୂରଣ କରିବା ପାଇଁ ସେ ରେଭେନ୍‌ସା ଛାଡ଼ି ଖ୍ରୀଷ୍ଟ କଲେଜରେ ଆଡମିସନ୍‌ ନେଇଥିଲେ। ସେଠା‌ରେ ସକାଳୁଆ କ୍ଲାସ୍‌ କରି ଅପରାହ୍ନରେ ନାଟକରେ ଅଭିନୟ କରୁଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପାସ୍‌ କରିବା ପରେ ‌ପରିବାରର ଅନ୍ୟମାନଙ୍କ ଭଳି ସେ ଓକିଲାତି କରିବେ ବୋଲି ସମସ୍ତେ ଆଶା କରୁଥିଲେ। ବାପା ଓକିଲ ରାମଚନ୍ଦ୍ର ମହାନ୍ତି ଓ ମା’ ବିମ୍ବଳା ଦେବୀଙ୍କ ସମେତ ପରିବାରର ଅନ୍ୟ ସମସ୍ତଙ୍କ ଆଶାର ବିପରୀତ ସେ ୧୯୫୮ ମସିହା ସେପ୍ଟେମ୍ବର ମାସରେ ଆକାଶବାଣୀର ଶିଶୁ କାର୍ଯ୍ୟକ୍ରମ ବିଭାଗରେ ଯୋଗ ଦେଇଥିଲେ। ତାଙ୍କ ଦ୍ବାରା ପରିଚାଳିତ ଶିଶୁ ସଂସାର, କିଶୋର ଚକ୍ର ଓ ଚକା ଚକା ଭଉଁରୀ କାର୍ଯ୍ୟକ୍ରମରେ ‘ବଡ଼ ଭାଇ ଚରିତ୍ରରେ ଉପସ୍ଥାପକ ଭାବେ କାର୍ଯ୍ୟ କରି ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ପାଇଥିଲେ। ୧୯୮୯ ମସିହାରେ ସେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ପ୍ରଯୋଜକ ଭାବେ ଅବସର ଗ୍ରହଣ କରିଥିଲେ। ଅବସର ପରେ ସେ ‘ଧ୍ରୁବତାରା’ ନାମକ ଏକ ଅନୁଷ୍ଠାନ ଗଢ଼ି ତାର ପରିଚାଳନା ଦାୟିତ୍ବ ତୁଲାଉଥିଲେ। ଶିଶୁ ପତ୍ରିକା ‘ସଂସାର’ ଓ ‘ମୀନାବଜାର’ ପ୍ରଭୃତିରେ ତାଙ୍କର ବହୁସଂଖ୍ୟକ ‌ଶିଶୁସାହିତ୍ୟ ରଚନା ପ୍ରକାଶ ପାଇଥିଲା। ତାଙ୍କର ୨୧ଖଣ୍ଡ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶ ପାଇଥିଲା। କେନ୍ଦ୍ର ସାହିତ୍ୟ ଅକାଦେମି, ଓଡ଼ିଶା ସାହିତ୍ୟ ଏକାଡେମି, ଉତ୍କଳ ସାହିତ୍ୟ ସମାଜ ଓ ଆକାଶବାଣୀର ଜୀବନବ୍ୟାପି ସମ୍ମାନ ସମେତ ରାଜ୍ୟର ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଥିଲା। ସେହିଭଳି, ଶିଶୁ ସାହିତ୍ୟ ସମ୍ମେଳନ ପକ୍ଷରୁ ‘ଶିଶୁ ସାହିତ୍ୟ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଥିଲା। ହୀରାଲୀଳା ଓ ଜୟଦେବ ଭଳି ଦୁଇଟି ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ। କେନ୍ଦ୍ରାପଡ଼ା‌ ଜିଲ୍ଲା ଡେରାବିଶ ବ୍ଲକ୍‌ କାଉପଡ଼ାର ମୂଳ ବାସିନ୍ଦା ଶ୍ରୀ ମହାନ୍ତିଙ୍କ ପରିବାରରେ ପତ୍ନୀ ଆରତୀ, ପୁ୍ଅ ଶ୍ରୀନିବାସ, ବୋହୂ ବିଭାସିନୀ , ନାତି ବିଶ୍ବବିହାରୀ, ଶୁଭସୁଧା ନନ୍ଦ ପ୍ରମୁଖ ଅଛନ୍ତି।

ତାଙ୍କ ପରଲୋକରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ‘ସମ୍ବାଦ ସଂପାଦକ (ଫିଚର୍‌) ଡକ୍ଟର ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ, ଉପ-ସଭାପତି ସଂଜିତ କୁମାର ପଟ୍ଟନାୟକ, ସମ୍ପାଦକ ମୀନା‌କ୍ଷୀ ଦେବୀ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ପ୍ରଭାକର ସ୍ବାଇଁ, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ, ଡାକ୍ତର ରବିରଂଜନ ସାହୁ, ଡକ୍ଟର ସୁନାମଣି ରାଉତ, ଶିଶୁ ସାହିତ୍ୟ ଲେଖକ ସମ୍ମେଳନର ସାଧାରଣ ସମ୍ପାଦକ ଡ.ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର