ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ର ୨୫ଟି ଗ୍ରାମ ପଞ୍ଚାୟତରୁ ୨୪ଟିରେ ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ପିଠାଗୋଳାରେ କୋରମ ଅଭାବରୁ ନାଏବ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହାକୁ କେନ୍ଦ୍ରକରି ନବନିର୍ବାଚିତ ୱାର୍ଡମେମ୍ବର ଓ ଗ୍ରାମବାସୀ ପ୍ରିଜାଇଡିଂ ଅଫିସରଙ୍କ ସମେତ ପୁଲିସକୁ ୭ ଘଣ୍ଟା ଧରି ଅଟକ ରଖିଛନ୍ତି। ଏନେଇ ପ୍ରିଜାଇଡିଂ ଅଫିସର ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ, ପିଠାଗୋଳା ପଞ୍ଚାୟତରେ ୧୭ଟି ୱାର୍ଡ ରହିଛି।

Advertisment

ସରପଞ୍ଚଙ୍କୁ ମିଶାଇ ୧୮ଜଣ ସଭ୍ୟ। ସରକାରଙ୍କ ନିୟମ ଅନୁସାରେ ଅଧାରୁ ଅଧିକ ସଭ୍ୟ ଉପସ୍ଥିତ ଥିଲେ ନିର୍ବାଚନ ପାଇଁ କୋରମ ହେବ। ତେଣୁ ଅତି କମରେ ୧୦ଜଣ ସଭ୍ୟ ଉପସ୍ଥିତ ରହିବା ଦରକାର। କିନ୍ତୁ ସରପଞ୍ଚଙ୍କୁ ମିଶାଇ ମାତ୍ର ୯ଜଣ ଉପସ୍ଥିତ ଥିଲେ। ତେଣୁ କୋରମ ଅଭାବରୁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ୧୭ଟି ୱାର୍ଡ ଥିଲେ ମଧ୍ୟ ମରାଗୋଳା ଗ୍ରାମବାସୀ ଭୋଟ ବର୍ଜନ କରିଥିବାରୁ ଗୋଟିଏ ୱାର୍ଡରେ ନିର୍ବାଚନ ହୋଇନଥିଲା। ୧୬ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ୧୬ର ଅଧା ୮ ଏବଂ ସରପଞ୍ଚଙ୍କୁ ମିଶାଇ ୯ଜଣ ସଭ୍ୟ ଉପସ୍ଥିତ ଥିଲେ ମଧ୍ୟ କାହିଁକି ନିର୍ବାଚନ ହେଲାନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଅପରାହ୍‌ଣ ୫ଟାବେଳେ ପୁଲିସ ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଗ୍ରାମବାସୀ ଛାଡ଼ିଛନ୍ତି।